Categories: ଜାତୀୟ

ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ବ୍ରିଜ୍‌ର ଉଦ୍‌ଘାଟନ କଲେ ମନ୍ତ୍ରୀ

ଶାହାଜାହାନପୁର,୧୦।୧: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ ହେବା ପୂର୍ବରୁ ଜଣେ ମନ୍ତ୍ରୀ ଗାରା ନଦୀରେ ନିର୍ମାଣାଧୀନ ଏକ ପୋଲକୁ ଅସମ୍ପୂର୍ଣ୍ଣ ଅବସ୍ଥାରେ ଉଦ୍‌ଘାଟନ କରିଛନ୍ତି। ନିର୍ବାଚନ ପୂର୍ବରୁ ମନ୍ତ୍ରୀ ସୁରେଶ କୁମାର ଖାନ୍ନା ବ୍ରିଜ୍‌ ନିର୍ମାଣର ଶ୍ରେୟ ନେବାକୁ ଯାଇ ଲୋକଙ୍କୁ ବୋକା ବନାଇଥିବା ସମାଜବାଦୀ ପାର୍ଟି ଅଭିଯୋଗ କରିଛି।

ଭାଜପା ସବୁ କ୍ଷେତ୍ରରେ ବିଫଳ ହୋଇଥିବା ବେଳେ ଲୋକଙ୍କ ବୋକା ବନାଇବାକୁ ଏଭଳି ଉଦ୍‌ଘାଟନ କରୁଥିବା ଏସ୍‌ପି ଜିଲା ସଭାପତି ତନବୀର ଖାନ୍‌ କହିଛନ୍ତି। ନିର୍ବାଚନ ତାରିଖ ଘୋଷଣା ଓ ଆଦର୍ଶ ଆଚରଣ ବିଧି ଲାଗୁ ହେବାର ଦିନକ ପୂର୍ବରୁ ମନ୍ତ୍ରୀ ଖାନ୍ନା ପୋଲ ଉଦ୍‌ଘାଟନ କରିଥିଲେ। ଏହା ବ୍ରିଜ୍‌ କର୍ପୋରେଶନର କାର୍ଯ୍ୟ, ମ୍ୟୁନିସିପାଲିଟି ଏହାକୁ କରି ନ ଥିବା କମିଶନର ସନ୍ତୋଷ ଶର୍ମା କହିଛନ୍ତି। କିଛି କାମ ବାକି ଅଛି। ଜାନୁୟାରୀ ୨୬ରେ ସର୍ବସାଧାରଣଙ୍କ ପାଇଁ ଉକ୍ତ ବ୍ରିଜ୍‌ ଖୋଲାଯିବ ବୋଲି ବ୍ରିଜ୍‌ କର୍ପୋରେଶନ ବରେଲିର ମୁଖ୍ୟ ପ୍ରୋଜେକ୍ଟ ମ୍ୟାନେଜର ଦେବେନ୍ଦ୍ର ସିଂ କହିଛନ୍ତି।

Share