Categories: ଜାତୀୟ

କାନ୍ଦି ପକାଇଲେ ହରକ ସିଂ ରାୱତ, କହିଲେ ଏତେ ବଡ ନିଷ୍ପତ୍ତି ବିଷୟରେ ଆଗରୁ ଜଣା ନ ଥିଲା

ଡେରାଡୁନ,୧୭ ।୧: କଂଗ୍ରେସରୁ ଅସନ୍ତୁଷ୍ଟ ହୋଇ ୨୦୧୬ରେ ଭାରତୀୟ ଜନତାପାର୍ଟି (ଭାଜପା)ର ହାତ ଧରିଥିଲେ ହରକ ସିଂ ରାୱତ । ଏବେ ଭାଜପା ତାଙ୍କୁ ୬ ବର୍ଷ ପାଇଁ ଦଳରୁ ନିଲମ୍ବିତ କରିବା ସହ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ତାଙ୍କୁ ମନ୍ତ୍ରିମଣ୍ଡଳରୁ ବରଖାସ୍ତ କରିଛନ୍ତି । ମନ୍ତ୍ରିମଣ୍ଡଳରୁ ବରଖାସ୍ତ ହେବା ପରେ ଭାବୁକ ହୋଇ କାନ୍ଦି ପକାଇଛନ୍ତି ହରକ ସିଂ ରାୱତ । କହିଛନ୍ତି ଭାଜପା ଏତେ ବଡ ନିଷ୍ପତ୍ତି ନେବା ପୂର୍ବରୁ ମୋତେ ଥରଟିଏ ଜଣାଇ ନାହିଁ ଭାଜପା ଯାହା କରିଛି ତାହା ମୋତେ ଖୁବ୍ କଷ୍ଟ ଦେଇଛି । ସେ କହିଛନ୍ତି ଯଦି ମୁଁ କଂଗ୍ରେସ ଛାଡି ଭାଜପାରେ ଯୋଗ ଦେଇ ନ ଥାଆନ୍ତି ତେବେ ୪ ବର୍ଷ ପୂର୍ବରୁ ଇସ୍ତଫା ଦେଇ ସାରିଥାଆନ୍ତି । ମୋର ମନ୍ତ୍ରୀପଦ ପ୍ରତି ସେମିତି କିଛି ଲାଳସା ନଥିଲା । ମୁଁ କେବଳ ଦଳ ପାଇଁ କାମ କରୁଥିଲି । ମୋର କଂଗ୍ରେସ ସହ ସମ୍ପର୍କ ଥିବା ଦର୍ଶାଇ ମୋତେ ବରଖାସ୍ତ କରାଯାଇଛି । ଏବେ ମୁଁ ନିଶ୍ୱାର୍ଥପର ଭାବେ କଂଗ୍ରେସକୁ ବିଜୟି କରିବାକୁ କାର୍ଯ୍ୟ କରିବି । ଏଥିରୁ ସେ ସ୍ପଷ୍ଟ କରିଛନ୍ତି କି ସେ କଂଗ୍ରେସରେ ଯୋଗ ଦେଉଛନ୍ତି ।

Share