ମୁହଁ ଖୋଲିଲେ ମନ୍ତ୍ରୀ ଦିବ୍ୟଶଙ୍କର

ଭୁବନେଶ୍ୱର,୨୯।୧୦(ବ୍ୟୁରୋ): ମମିତା ମେହେର ହତ୍ୟା ମାମଲାରେ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍‌ ଦିବ୍ୟଶଙ୍କର ମିଶ୍ର ଶୁକ୍ରବାର ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି। ମନ୍ତ୍ରୀ ଏକ ପ୍ରେସ ବିବୃତିରେ କହିଛନ୍ତି, ମମିତାଙ୍କ ମୃତ୍ୟୁ ପାଇଁ ଗଭୀର ମର୍ମାହତ। ତାଙ୍କ ପରିବାର ପ୍ରତି ମୋର ସମବେଦନା ରହିଛି। ଆଇନ ଅନୁଯାୟୀ ଦୋଷୀଙ୍କୁ ଦଣ୍ଡ ମିଳିବା ଆବଶ୍ୟକ।

ମହାଲିଙ୍ଗ କଲେଜ କାର୍ଯ୍ୟକ୍ରମରେ ଯୋଗଦେବା ସମ୍ପର୍କରେ ମନ୍ତ୍ରୀ କହିଛନ୍ତି, ଜନ ପ୍ରତିନିଧି ଶିକ୍ଷାନୁଷ୍ଠାନର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥାନ୍ତି। ମୁଁ ଯଦି କୌଣସି ଶିକ୍ଷାନୁଷ୍ଠାନ କାର୍ଯ୍ୟକ୍ରମରେ ଯୋଗଦେଇଥାଏ ଏବଂ ସେଠି ପରେ କିଛି ଅପରାଧ ଘଟେ, ସେଥିପାଇଁ ମୋତେ ଦାୟୀ କରାଯାଇପାରିବ ନାହିଁ। ମୋ ବିରୋଧରେ କିଛି ପ୍ରମାଣ ଥିଲେ ପୋଲିସ ଏବଂ କୋର୍ଟରେ ଦାଖଲ କରନ୍ତୁ। ମୁଁ ବାୟୁସେନାର ଆଦର୍ଶ ନେଇ ରାଜନୀତିରେ ପ୍ରବେଶ କରିଛି। ମୁଁ ପଛେ କ୍ଷତିଗ୍ରସ୍ତ ହେବି, ହେଲେ ଜଣେ ନୀରିହଙ୍କୁ ଦୁଃଖ ଭୋଗିବାକୁ ଦେବି ନାହିଁ।