ଅସନ୍ତୁଷ୍ଟ କର୍ମୀଙ୍କୁ ଦଳକୁ ଆଣିଲେ ମନ୍ତ୍ରୀ

ଝାରସୁଗୁଡ଼ା ଅଫିସ,୨୧ା୫: ବ୍ରଜରାଜନଗର ଉପନିର୍ବାଚନରେ ଅଳକା ମହାନ୍ତିଙ୍କୁ ବିପୁଳ ଭୋଟରେ ବିଜୟୀ କରିବା ପାଇଁ ଦଳର ମନ୍ତ୍ରୀ, ଏମ୍‌ପି, ବିଧାୟକଙ୍କ ସହ ହେଭିୱେଟ ନେତୃବୃନ୍ଦ ପ୍ରାଣପଣେ ଉଦ୍ୟମ ଚଳାଇଛନ୍ତି। ଏଥିପାଇଁ ପ୍ରଚାର ଦାୟିତ୍ୱରେ ଥିବା ନେତାମାନେ ଅସନ୍ତୁଷ୍ଟ କର୍ମୀଙ୍କୁ ମନେଇ ଘରବାହୁଡ଼ା କରି ଦଳକୁ ତୃଣମୂଳସ୍ତରରୁ ସୁଦୃଢ଼ କରିବାରେ ଲାଗିଛନ୍ତି। ଏନେଇ ଦଳୀୟ କର୍ମୀଙ୍କ ମଧ୍ୟରେ ରହିଥିବା ଅସନ୍ତୋଷକୁ ମନ୍ତ୍ରୀ ବୁଝାମଣା ମାଧ୍ୟମରେ ସମାଧାନ କରିଛନ୍ତି। ଏଭଳି ସ୍ଥିତି ଦେଖିବାକୁ ମିଳିଛି ବ୍ରଜରାଜନଗର ନିର୍ବାଚନମଣ୍ଡଳୀର ଲଖନପୁର ବ୍ଲକ ବନ୍ଧବାହାଲ ଅଞ୍ଚଳରେ। ଅଞ୍ଚଳର କିଛି ଅସନ୍ତୁଷ୍ଟ କର୍ମୀଙ୍କୁ ବୁଝାଇ ଉପନିର୍ବାଚନ ଦାୟିତ୍ୱରେ ଥିବା ଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ଦଳକୁ ଫେରାଇ ଆଣିଛନ୍ତି। ସେ କହିଛନ୍ତି, ଦଳୀୟ କର୍ମୀଙ୍କ ମଧ୍ୟରେ ଯେଉଁ ମନୋମାଳିନ୍ୟ ରହିଥିଲା, ତାହା ଦୂର ହୋଇଛି। ଉପନିର୍ବାଚନରେ ଦଳ ନିଶ୍ଚିତ ଭଲ କରିବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଘରବାହୁଡ଼ା ଅସନ୍ତୁଷ୍ଟ କର୍ମୀମାନଙ୍କ ମଧ୍ୟରେ ବରିଷ୍ଠ କର୍ମୀ ସୁନିଲ ମହାନ୍ତି, ପୂର୍ବତନ ସରପଞ୍ଚ ରାଜେନ୍ଦ୍ର ନାୟକ, ନାଏବ ସରପଞ୍ଚ ଅଶୋକ କୁମାର ସ୍ବାଇଁ, ଦିଲୀପ ମହାନ୍ତି, ପ୍ରଫୁଲ୍ଲ ପ୍ରଧାନ, ପ୍ରକାଶ ପାଢ଼ୀ, କୈଳାସ ପାତ୍ର ପ୍ରମୁଖଙ୍କ ସହ ୫୧ଜଣ କର୍ମୀଙ୍କୁ ମନ୍ତ୍ରୀ ଦାଶ ଉତ୍ତରୀୟ ପ୍ରଦାନ କରି ଦଳକୁ ସ୍ବାଗତ କରିଥିଲେ।