କଲ୍ୟାଣସିଂହପୁରରେ ଲୋକଙ୍କୁ ସଚେତନ କଲେ ମନ୍ତ୍ରୀ

ରାୟଗଡ଼ା ଅଫିସ,୬।୮: ରାୟଗଡ଼ା ଜିଲା କାଶୀପୁର ବ୍ଲକ ପରେ ପଡ଼ୋଶୀ କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ସିକରପାଇ ଓ ବୁଡ଼ାଗୁଡ଼ା ପଞ୍ଚାୟତରେ ଝାଡ଼ାବାନ୍ତି ବ୍ୟାପିଛି। ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ଶୁକ୍ରବାର ବ୍ଲକ ଗସ୍ତକରି ଆକ୍ରାନ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିଛନ୍ତି। ସେହିପରି ଝାଡ଼ାବାନ୍ତିରୁ ରକ୍ଷା ପାଇବା ନିମନ୍ତେ ଲୋକଙ୍କୁ ସଚେତନ କରିଛନ୍ତି। ମନ୍ତ୍ରୀ ପ୍ରଥମେ ସିକରପାଇ ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଇ ସେଠାରେ ଚିକିତ୍ସାଧୀନ ୩ ଅକ୍ରାନ୍ତ ସୁରେଶ କନ୍ଧପାଣି(୨୦), ଜନମନ ପ୍ରଧାନ(୪୦), ହାପି ତିଆକା( ୫୦)ଙ୍କ ସ୍ବାସ୍ଥ୍ୟାବସ୍ଥା ବିଷୟରେ ଡାକ୍ତରଙ୍କ ସହ ଆଲୋଚନା କରିଥିଲେ। ଚିକିତ୍ସା ସୁବିଧା ଓ ଅନ୍ୟ ସମସ୍ୟା ନେଇ ରୋଗୀଙ୍କ ସହ ମଧ୍ୟ ଆଲୋଚନା କରିଥିଲେ। ପରେ ସିକରପାଇ ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କରିଥିଲେ। ପରେ ଝାଡ଼ାବାନ୍ତିରେ ପ୍ରଭାବିତ ବୁଡ଼ାଗୁଡ଼ା ପଞ୍ଚାୟତର ଗୁରୁତୁଲୀ ଗାଁକୁ ଯାଇ ଲୋକଙ୍କୁ ଫୁଟାପାଣି ପିଇବା, ଗରମ ଖାଦ୍ୟ ଖାଇବା, ଖାଦ୍ୟ ଖାଇବା ପୂର୍ବରୁ ଭଲରେ ହାତ ଧୋଇବା ନିମନ୍ତେ ସଚେତନ କରିଥିଲେ। ମନ୍ତ୍ରୀଙ୍କ ଗସ୍ତ ସମୟରେ ସ୍ଥାନୀୟ ବିଡିଓ ତାପସ କୁମାର ଭୋଇ, ଏବିଡିଓ ବଳରାମ ପାତ୍ର, ଏସ୍‌ଆଇ ସଞ୍ଜୟ କୁମାର ମୁର୍ମୁ, ବ୍ଲକ ବିଜେଡି ସଭାପତି ସୁନ୍ଦର ରାଓ ବାଗ, ଏମ୍‌. ଧର୍ମେନ୍ଦ୍ର, ଜିଲା ପରିଷଦ ସଦସ୍ୟ ବି. ୱାରା ପ୍ରସାଦ ରାଓଙ୍କ ସମେତ ଦଳୀୟ କର୍ମୀ ଓ ନେତା ଉପସ୍ଥିତ ଥିଲେ।