କ୍ଷତିପୂରଣ ଦାବିରେ ଖଣି ବନ୍ଦ ଆନ୍ଦୋଳନ

ତାଳଚେର,୨।୧୧(ନି.ପ୍ର.) ତାଳଚେରସ୍ଥିତ ହିଙ୍ଗୁଳା କୋଇଲା ଖଣିରେ ଦୁର୍ଘଟଣାରେ ଜଣେ ଠିକା ଶ୍ରମିକଙ୍କ ମୃତ୍ୟୁ ପରେ କ୍ଷତିପୂରଣ ଦାବିରେ ଦୁଇଦିନ ହେଲା କଣିହାଁ ବ୍ଲକ ସାନତ୍ରିବିଡା ଗ୍ରାମବାସୀ ଆନ୍ଦୋଳନ ଚଳାଇଛନ୍ତି। ଫଳରେ କୋଇଲା ଉତ୍ପାଦନ ଓ ପରିବହନ ବାଧାପ୍ରାପ୍ତ ହୋଇଛି। ପ୍ରକାଶ ଯେ, ହିଙ୍ଗୁଳା କୋଇଲା ଖଣିରେ କାର୍ଯ୍ୟ ନେଇଥିବା ଏକ କମ୍ପାନୀ ଅଧୀନରେ ସାନତ୍ରିବିଡା ଗ୍ରାମର ସଞ୍ଜୟ କୁମାର ବେହେରା (୩୮) ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ। ଗତ ଶନିବାର ଏକ ହାଇୱା ମାଡିଯିବାରୁ ତାଙ୍କର ମୃତ୍ୟୁ ହୋଇଥିଲା। ଘଟଣାସ୍ଥଳରେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ପହଞ୍ଚି ସମବେଦନା ଜଣାଇଛନ୍ତି। ମୃତକଙ୍କ ପରିବାରର ଦାବି ପୂରଣ ପାଇଁ ଖଣି କର୍ତ୍ତୃପକ୍ଷଙ୍କୁ ନିବେଦନ କରିଛନ୍ତି। ହେଲେ ଖବର ଲେଖା ହେଲା ବେଳକୁ ସମାଧାନର ରାସ୍ତା ବାହାରି ନ ଥିବାରୁ ଆନ୍ଦୋଳନ ଜାରି ରହିଛି।