ମିନି ବସ ଦୁର୍ଘଟଣା: ବୃଦ୍ଧି ପାଇଲା ମୃତକଙ୍କ ସଂଖ୍ୟା

ରାଉରକେଲା ଅଫିସ,୨୭।୧୨: ୧୪୩ ନଂ. ଜାତୀୟ ରାଜପଥ ରାଉରକେଲା ବାଲୁଘାଟ ଡାକବଙ୍ଗଳା ନିକଟରେ ରବିବାର ହୋଇଥିବା ମିନି ବସ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨କୁ ବୃଦ୍ଧି ପାଇଛି। ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଡାକ୍ତରଖାନା ନେବା ରାସ୍ତାରେ ଆର ଜଣଙ୍କର ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ ଜଣେ ମହିଳା ଅଛନ୍ତି। ମୃତକ ଦ୍ୱୟ ହେଲେ ସୁମି କିସ୍ପଟା ଓ କାର୍ତ୍ତିକ ମହାକୁଡ଼।
ସୂଚନାନୁଯାୟୀ, ଆଜି ସକାଳେ ଘରୋଇ ମିନି ବସ୍‌ (ମା ତାରିଣୀ) ୧୫ଜଣ ଯାତ୍ରୀଙ୍କୁ ନେଇ ଲାଠିକଟାରୁ ରାଉରକେଲା ଆସୁଥିଲା। ଅରାଗ ପରେ ଅର୍ଥାତ ୮ଟାରେ ବାଲୁଘାଟ ଏନ୍‌ଏଚ୍‌ ଡାକବଙ୍ଗଳା ସମ୍ମୁଖରେ ଭାରସାମ୍ୟ ହରାଇ ଡିଭାଇଡରକୁ ପିଟି ରାସ୍ତାରେ ଓଲଟି ପଡ଼ିଥିଲା। ସ୍ଥାନୀୟ ଲୋକେ ବସ ଭିତରୁ ଯାତ୍ରୀମାନଙ୍କୁ ଉଦ୍ଧାର କରିଥିଲେ। ଗୁରୁତର ଓ ଆହତ ଯାତ୍ରୀଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାକୁ ପଠାଇଥିଲେ।