ଖଣିରେ ଅଘଟଣ: ପଥର ତଳେ ଜେସିବି ଡ୍ରାଇଭର

ନୟାଗଡ଼ ଅଫିସ,୧୫।୧୧: ନୟାଗଡ଼ ଜିଲା ଶରଣକୁଳ ଥାନା ପୁଆଣିଆ ପଥରଖଣିରେ ଚାପି ହୋଇ ଜଣେ ଜେସିବି ଡ୍ରାଇଭରର ମୃତ୍ୟୁ ଘଟିଛି। ମୃତକ ହେଲେ କଟକ ଜିଲା ନରସିଂହପୁର ଓଡସିଙ୍ଗା ଗାଁର ସୁଶାନ୍ତ ଦାସ । ପୁଆଣିଆ ଠାରେ ଥିବା ଏକ କ୍ରସର୍‌ ନିକଟରେ ପାହାଡରୁ ପଥର ଫୁଟାଯାଇଥାଏ। ତେବେ ସୁଶାନ୍ତ ସେହିଠାରେ ଜେସିବି ଡ୍ରାଇଭର୍‌ ଭାବେ କାର୍ଯ୍ୟକରୁଥିଲେ। ସୋମବାର ଭୋରରୁ ସୁଶାନ୍ତ ଜେସିବିରେ ଏକ ବଡ଼ ପଥରକୁ ଖସାଉଥିବା ବେଳେ ପଥରଟି ଜେସିବି ଉପରେ ପଡିଯିବାରୁ ଘଟଣାସ୍ଥଳରେ ଚାପି ହୋଇ ତାଙ୍କର ମୃତ୍ୟୁ ଘଟିଥିଲା। ତେବେ ପରିବାର ଏବଂ ସ୍ଥାନୀୟ ଲୋକେ ତାଙ୍କ ମୃତ୍ୟୁକୁ ନେଇ ସନ୍ଦେହ କରିଛନ୍ତି। ମୃତ୍ୟୁ ପଥରପଡ଼ି ହୋଇଛି କିମ୍ବା ବ୍ଲାଷ୍ଟିଂ ଯୋଗୁ ହୋଇଛି ତାକୁ ନେଇ ସନ୍ଦେହ ବଢ଼ିଛି। ସେଠାରେ ବେଆଇନ ଭାବେ ପଥର ଫୁଟାଯାଉଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଅନ୍ୟପଟେ ପୋଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଚଳାଇଛି।