ବଢ଼ିଚାଲିଛି ଲଘୁ ଖଣିଜ ସମ୍ପଦ ଚାଲାଣ

ଖୋର୍ଦ୍ଧା ଅଫିସ,୪ା୭: ଖୋର୍ଦ୍ଧା ଜିଲାରେ ଲଘୁ ଖଣିଜ ସମ୍ପଦ ଚୋରା ଚାଲାଣ ବଢ଼ିଚାଲିଛି। ମାଫିଆମାନେ ଦୈନିକ ଶହ ଶହ ଟ୍ରକରେ ମାଙ୍କଡ଼ା ପଥର, ମୋରମ, କଳାମୁଗୁନି ଓ ବଉଳମାଳା ପଥର ଜିଲା ତଥା ବାହାର ଜିଲାକୁ ଚାଲାଣ କରୁଛନ୍ତି। ଏପରି କି ତାପଙ୍ଗ ମୁଣ୍ଡିଆ, ଟାଙ୍ଗୀ ଆରିଆପଡା ବୃଷବନ୍ଧ ପାହାଡ଼, ୧୬ ନମ୍ବର ଜାତୀୟ ରାଜପଥ ଉଭୟ ପାର୍ଶ୍ୱରେ ରହିଥିବା ପାହାଡକୁ ନଣ୍ଡା କରିସାରିଲେଣି। ରାଜପଥ ସମ୍ପ୍ରସାରଣ ଆଳରେ ପଥର ଏବଂ ମୋରମ ଚାଲାଣ କରାଯାଉଛି। ଏନେଇ ଅଭିଯୋଗ ସତ୍ତ୍ୱେ ପ୍ରଶାସନ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ। ଲୋକଦେଖାଣିଆ ପ୍ରଶାସନ ପକ୍ଷରୁ ଚଢ଼ାଉ କରାଯାଉଛି ବୋଲି ସାଧାରଣରେ ଅଭିଯୋଗ ହେଉଛି।
ଟାଙ୍ଗୀ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ୱ ପାହାଡ଼ କଟାଯାଇ ମୋରମ ଚାଲାଣ ଯୋଗୁ ବଡ଼ ବଡ଼ ଗର୍ତ୍ତ ସୃଷ୍ଟି ହୋଇଛି। ବର୍ଷାହେଲେ କୃତ୍ରିମ ହ୍ରଦର ଭ୍ରମ ସୃଷ୍ଟି କରୁଛି। ପ୍ରଶାସନ ଏବଂ ପୋଲିସର କେତେଜଣ ଅସାଧୁ କର୍ମଚାରୀଙ୍କୁ ହାତବାରିଶି କରି ମାଫିଆମାନେ ଲଘୁ ଖଣିଜ ସମ୍ପଦ ହରିଲୁଟ କରିଚାଲିଛନ୍ତି। ଜାତୀୟ ରାଜପଥ ଏମାନଙ୍କ ଗଳାବାଟ ସାଜିଛି। ବେଆଇନ ଖଣିରେ ଚଢ଼ାଉ ପୂର୍ବରୁ ମାଫିଆଙ୍କୁ ସୂଚନା ମିଳିଯାଉଥିବାରୁ ଘଟଣାସ୍ଥଳରୁ ଚମ୍ପଟ ମାରୁଛନ୍ତି। ତେବେ ପ୍ରଶାସନ ମେଶିନ, ଯନ୍ତ୍ରପାତି ଏବଂ ପଥର ବୋଝେଇ ଯାନ ଜବତ କରିବା ସହ ଏହାର ଚାଳକଙ୍କୁ ଗିରଫ କରୁଛି। ଅନ୍ୟପକ୍ଷରେ ବେଆଇନ ଭାବେ ପଥର ଖନନ, ବ୍ଲାଷ୍ଟିଂ, ପଥର ଚାଲାଣ ରୋକିବାକୁ ଦୈନିକ ଏକାଧିକ ଗ୍ରାମବାସୀ ଜିଲା ପ୍ରଶାସନର କାର୍ଯ୍ୟାଳୟକୁ ଦୌଡୁଛନ୍ତି। ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ରୁତି ପରେ ବି କାର୍ଯ୍ୟକାରୀ ହେଉନାହିଁ। ଏସ୍‌ଟିଏଫ୍‌ର ବାରମ୍ବାର ଚଢ଼ାଉ ଫଳରେ ମାଫିଆଙ୍କ ମଧ୍ୟରେ ଛନକା ପଶିିଥିଲା। ତେବେ କିଛି ଦିନ ପରେ ଏସଟିଏଫ ଶୀଥିଳ ପଡିଗଲା। ଅନ୍ୟପକ୍ଷରେ ଏନେଇ ଜିଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀ କୁହନ୍ତି, ଜିଲା ପ୍ରଶାସନ, ଜଙ୍ଗଲ ବିଭାଗ ଏବଂ ପୋଲିସକୁ ନେଇ ଏକ ଯୁଗ୍ମ କମିଟି ଗଠନ କରାଯିବ। ଏହି କମିଟି ବେଆଇନ ଭାବେ ଚାଲିଥିବା ପଥର ଖଣି ଏବଂ କ୍ରଶର ୟୁନିଟ ଉପରେ ଚଢ଼ାଉ କରିବ। ରାଜ୍ୟ ପ୍ରଦୂଷଣ ବୋର୍ଡ ବିନା ଅନୁମତିରେ ଚାଲିଥିବା କ୍ରଶର ୟୁନିଟ୍‌ ସିଲ୍‌ କରାଯିବ। ଏଣିକି ଚୋରାଚାଲାଣରେ ବ୍ୟବହାର ଗାଡ଼ି ଧରାପଡିଲେ ଜରିମାନା ସହ ଏହାର ଲାଇସେନ୍ସ ରଦ୍ଦ କରାଯିବ। ଚୋରା ଚାଲାଣକୁ ପ୍ରଶ୍ରୟ ଦିଆଯିବ ନାହିଁ ବୋଲି ସେ କହିଛନ୍ତି।