ମିମ୍‌ସାର କାର୍ଯ୍ୟକ୍ଷମ ପ୍ରତିଶ୍ରୁତି ଧୂଆଁବାଣ ନ ହେଉ

ତାଳଚେର,୧୭।୫(ନି.ପ୍ର.) ତାଳଚେର ମେଡିକାଲ କଲେଜ ବା ମହାନଦୀ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ ସେଣ୍ଟର (ମିମ୍‌ସାର) କାର୍ଯ୍ୟକ୍ଷମ ପ୍ରତିଶ୍ରୁତି ଏକ ଧୂଆଁ ବାଣ ନ ହେଉ। ହାଟତୋଟାସ୍ଥିତ ପ୍ରେସ୍‌ କ୍ଲବଠାରେ ସୋମବାର ଆୟୋଜିତ ଖବରଦାତା ସମ୍ମିଳନୀରେ ତାଳଚେର ମେଡିକାଲ କଲେଜ ସଂଘର୍ଷ ସମିତି ଆବାହକ ଶରତ ଚନ୍ଦ୍ର ପ୍ରଧାନ ଏହା କହିଛନ୍ତି। ପ୍ରଧାନ କହିଛନ୍ତି, ତାଳଚେରରୁ କେନ୍ଦ୍ର ସରକାର ବାର୍ଷିକ ହଜାର ହଜାର କୋଟି ଟଙ୍କାର ରାଜସ୍ବ ପାଉଛନ୍ତି। ଏହା ତୁଳନାରେ କୌଣସି ପ୍ରକାର ବିକାଶ ମୂଳକ ଯୋଜନା ଏ ଅଞ୍ଚଳରେ କରାଯାଇ ନାହିଁ। ପ୍ରଦୂଷଣ ତାଳଚେର ବାୟୁମଣ୍ଡଳକୁ ବିଷାକ୍ତ କରିସାରିଛି। ସ୍ବାସ୍ଥ୍ୟ, ଶିକ୍ଷା, ଗମନାଗମନ ଓ ପାନୀୟ ଜଳର ଉତ୍କଟ ଅଭାବ ଦେଖା ଦେଇଛି। ଏମ୍‌ସିଏଲ୍‌ ପକ୍ଷରୁ ନିର୍ମାଣ କରାଯାଇଥିବା ମେଡିକାଲ କଲେଜକୁ ବାରମ୍ବାର ଦାବି ପରେ ରାଜ୍ୟ ସରକାର ପରିଚାଳନା କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏଥିପାଇଁ ସରକାରଙ୍କୁ ଧନ୍ୟବାଦ। କିନ୍ତୁ ପ୍ରତିଶ୍ରୁତି ଧୂଅଁାବାଣ ନ ହେଉ। ଏହା ଯଥାଶୀଘ୍ର କାର୍ଯ୍ୟକାରୀ ହେଉ। ଏହି ମେଡିକାଲ କଲେଜ ତାଳଚେରବାସୀଙ୍କ ଅନେକ ସମସ୍ୟା ସମାଧାନର ଉତ୍ସ। ତେଣୁ ଏହା କାର୍ଯ୍ୟକ୍ଷମ ସହ ତାଳଚେରକୁ ସମସ୍ତ ଟ୍ରେନ୍‌ ଆସିବା, ବିମଳାଗଡ ରେଳ ଲାଇନ ଶୀଘ୍ର ସମ୍ପୂର୍ଣ୍ଣ କରିବା, ଏକ ନୂଆ ସ୍କିଲ୍‌ ଡେଭଲପମେଣ୍ଟ ସେଣ୍ଟର ଖୋଲିବା, ଟିଟିପିଏସ୍‌ ଉଚ୍ଛେଦରେ ୩ଟି ଡିଏଭି ସ୍କୁଲ୍‌କୁ ବନ୍ଦ ନ କରିବା ଏବଂ ତାଳଚେର ଜମିହରା ପ୍ରଜାଙ୍କ ଥଇଥାନ ଆଦି ଦାବିଗୁଡିକ କିଭଳି କାର୍ଯ୍ୟକାରୀ ହେବ ସେ ଦିଗରେ ସରକାର ପଦକ୍ଷେପ ନେବାକୁ ପ୍ରଧାନ ଦାବି କରିଛନ୍ତି। ଏହି ଖବରଦାତା ସମ୍ମିଳନୀରେ ବ୍ଲକ କଂଗ୍ରେସ ସଭାପତି ତଥା ବରିଷ୍ଠ ଆଇନଜୀବୀ ଜ୍ଞାନ ରଞ୍ଜନ ପାଣି, ବୀରବର ସାହୁ, ଶ୍ରୀନିବାସ ସାହୁ, ଦୁର୍ଗାଚରଣ ସାହୁଙ୍କ ସମେତ ଡାକ୍ତର ମହାନ୍ତି ଉପସ୍ଥିତ ଥିଲେ।