ଗନ୍ଧମାର୍ଦ୍ଦନ ଜୈବ ବିବିଧତା ଐତିହ୍ୟସ୍ଥଳୀ ଘୋଷିତ

ବଲାଙ୍ଗୀର ଅଫିସ, ୨୩ା୩: ଭବ୍ୟ ପ୍ରାକୃତିକ ସମ୍ପଦ, ଜୈବ ବିବିଧତା, ସହସ୍ରାଧିକ ଔଷଧୀୟ ଗୁଳ୍ମ, ଜଙ୍ଗଲ ଓ ବନ୍ୟ ସମ୍ପଦ ତଥା ୨୦ରୁ ଊର୍ଦ୍ଧ୍ୱ ଚିରସ୍ରୋତା ଝରଣା ପାଇଁ ସୁପ୍ରସିଦ୍ଧ ବଲାଙ୍ଗୀର ଓ ବରଗଡ଼ ଜିଲା ସୀମାରେଖାରେ ଥିବା ଗନ୍ଧମାର୍ଦ୍ଦନ ପାହାଡ଼କୁ ରାଜ୍ୟ ସରକାର ଜୈବ ବିବିଧତା ଐତିହ୍ୟସ୍ଥଳୀ ଭାବେ ଘୋଷଣା କରିଛନ୍ତି। ଏନେଇ ରାଜ୍ୟ ଜଙ୍ଗଲ, ପରିବେଶ ଏବଂ ଜଳବାୟୂ ପରିବର୍ତ୍ତନ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜରିଆରେ ସୂଚନା ଦିଆଯାଇଛି।
ପ୍ରାୟ ୧୯ହଜାର ହେକ୍ଟର ଜମି ପରିବ୍ୟାପ୍ତ ପୁରାଣ ପ୍ରସିଦ୍ଧ ଗର୍ଦ୍ଧମାର୍ଦ୍ଦନ ପାହାଡ଼ରେ ହଜାରରୁ ଊର୍ଦ୍ଧ୍ୱ ପ୍ରକାରର ବିରଳ ଔଷଧୀୟ ଗୁଳ୍ମ, ଅନେକ ପ୍ରଜାତିର ଔଷଧୀୟ ଗଛ, ଫଳ, ଫୁଲ ଏବଂ ବହୁ ମୂଲ୍ୟବାନ ଲଘୁ ବନଜାତ ବନ୍ୟ ସମ୍ପଦ ଭରି ରହିଛି। ବଲାଙ୍ଗୀର ଜିଲା ପଟ ହରିଶଙ୍କର ଏବଂ ବରଗଡ଼ ଜିଲା ପଟେ ନୃସିଂହନାଥ ଭଳି ପ୍ରସିଦ୍ଧ ତୀର୍ଥକ୍ଷେତ୍ର ରହିଛି। ସୁପ୍ରସିଦ୍ଧ କପିଳଧାରା ଜଳପ୍ରପାତ, ସେଲାପଥର, ଜଳମହାଦେବ ଭଳି ଦର୍ଶନୀୟ ସ୍ଥାନ ରହିଛି। ଏଠାରେ ଦୀର୍ଘ ୧୮ କିମିର ଟ୍ରେକିଂ ସାଇଟ୍‌ ମଧ୍ୟ ରହିଛି। ଆଜିବି ଏଠାରେ ବହୁ ପାରମ୍ପରିକ ବୈଦ୍ୟ ଜଡ଼ିବୁଟିର ସନ୍ଧାନ ଚାଲିଛି। ୧୯୮୦ ଦଶକରେ ଏଠାରେ ବସ୍କାଇଟ୍‌ ଖଣି ଖନନ ପାଇଁ ସରକାର ଅନୁମତି ହେବା ପରେ ଏହି ପୁରାଣ ପ୍ରସିଦ୍ଧ ଏବଂ ପ୍ରାକୃତିକ ଶୋଭାରେ ଭରପୁର ଗନ୍ଧମାର୍ଦ୍ଦନର ସୁରକ୍ଷା ପାଇଁ ଐତିହାସିକ ବାଲ୍‌କୋ ହଟାଅ ଆନ୍ଦୋଳନ ହୋଇଥିଲା। ଏହି ଆନ୍ଦୋଳନ ଫଳରେ ଖଣି ଖନନ ବନ୍ଦ କରି ବାଲ୍‌କୋ କମ୍ପାନୀକୁ ହଟାଇବାକୁ ସରକାର ଏକ ପ୍ରକାର ବାଧ୍ୟ ହୋଇଥିଲେ। ଏଭଳି ଏକ ଦୁର୍ଲଭ ପର୍ବତଶ୍ରେଣୀକୁ ଜୈବ ବିବିଧତା ଐତିହ୍ୟସ୍ଥଳୀ ଭାବେ ଘୋଷଣା କରିବାକୁ ରାଜ୍ୟ ଜୈବ ବିବିଧତା ବୋର୍ଡକୁ ବିଭିନ୍ନ ବ୍ଲକ ଏବଂ ଜିଲାସ୍ତରୀୟ ଜୈବବିବିଧତା ବୋର୍ଡ ପକ୍ଷରୁ ସୁପାରିସ କରାଯାଇ ଆସୁଥିଲା। ଶେଷରେ ଏହି ସୁପାରିଶକୁ ରାଜ୍ୟ ସରକାର ମାନ୍ୟତା ପ୍ରଦାନ କରିଥିବା ଜଣାପଡିଛି। ଗନ୍ଧମାର୍ଦ୍ଦନ ଜୈବ ବିବଧତା ଐତିହ୍ୟସ୍ଥଳୀ ଘୋଷଣା ହେବା ପରେ ଏଠାକାର ଜୈବ ବିବିଧତା ସୁରକ୍ଷିତ ହୋଇପାରିବ। ଗନ୍ଧମାର୍ଦ୍ଦନକୁ ରାଜ୍ୟ ସରକାର ଜୈବ ବିବିଧତା ଐତିହ୍ୟସ୍ଥଳୀ ଭାବେ ଘୋଷଣା କରିଥିବାନେଇ ବଲାଙ୍ଗୀର ଡିଏଫ୍‌ଓ ନୀତିଶ କୁମାର ବୁଧବାର ବଲାଙ୍ଗୀର ସାମ୍ବାଦିକ ଭବନଠାରେ ଆୟୋଜିତ ଜୈବ ବିବିଧତା ବୋର୍ଡର ଏକ ସଭାରେ ସୂଚନା ଦେଇଛନ୍ତି। ଏହି ଘୋଷଣା ପରେ ଗନ୍ଧମାର୍ଦ୍ଦନରୁ ଖଣି ଖନନ ଆଶଙ୍କା ଏକ ପ୍ରକାର ଦୂର ହୋଇଥିବା ପରିବେଶବିତ୍‌ ମତ ପ୍ରକାଶ କରିଛନ୍ତି।