ମନ୍ଦିର ହୁଣ୍ଡିରୁ ନେଇଗଲେ ଲକ୍ଷାଧିକ ଟଙ୍କା

ଚିକିଟି,୧୨।୧୧(ଡି.ଏନ.ଏ.): କେ.ନୂଆଗାଁ ଥାନା ସୁନ୍ଦରଡ଼ା ଗ୍ରାମ ସ୍ଥିତ ସୁନ୍ଦେରଶ୍ୱର ମନ୍ଦିରରୁ ଦୁର୍ବୃତ୍ତମାନେ ମନ୍ଦିର ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି। ଶୁକ୍ରବାର ସକାଳେ ମନ୍ଦିର ପୂଜାରୀ ପୂଜା କରିବାକୁ ଆସି ହୁଣ୍ଡି ଭଙ୍ଗା ହୋଇଥିବା ଦେଖିବାକୁ ପାଇଥିଲେ। ପରେ ସେ ମନ୍ଦିର ପରିଚାଳନା କମିଟି ସଭାପତି ବୃନ୍ଦାବନ ପ୍ରଧାନଙ୍କୁ ଜଣାଇଥିଲେ। ଏନେଇ କମିଟି ପକ୍ଷରୁ ନୂଆପଡ଼ା ଫାଣ୍ଡିରେ ଅଭିଯୋଗ ହୋଇଛି।

ଫାଣ୍ଡି ଅଧିକାରୀ ରାମଶଙ୍କର ବେହେରା ମନ୍ଦିରରେ ପହଞ୍ଚି ତଦନ୍ତ କରି ଫେରିଛନ୍ତି। ପୂର୍ବରୁ ମଧ୍ୟ ଅଞ୍ଚଳର ବିଭିନ୍ନ ସ୍ଥାନରୁ ଲୁଟ୍‌ ହୋଇଥିଲେ ମଧ୍ୟ ଅଭିଯୁକ୍ତମାନଙ୍କୁ ପୋଲିସ ଧରିବାରେ ବିଫଳ ହୋଇଛି। ଏହି ସମ୍ପର୍କରେ ନୂଆପଡ଼ା ଫାଣ୍ଡି ଅଧିକାରୀ ରାମଶଙ୍କରଙ୍କୁ ପଚାରିବାରୁ ଅଭିଯୋଗକୁ ଭିତ୍ତି କରି ପୋଲିସ ତଦନ୍ତ ଆରମ୍ଭ କରିଥିବା କହିଛନ୍ତି।