ଠାକୁରଙ୍କୁ ବି ଛାଡ଼ିଲେନି: ଜଗନ୍ନାଥ ମନ୍ଦିରରୁ ଲକ୍ଷାଧିକ ଟଙ୍କାର ଚୋରି

ଭବାନୀପାଟଣା,୪।୬(ସ୍ବ.ପ୍ର.): କଳାହାଣ୍ଡି ଜିଲା ଜୟପାଟଣା ଥାନା ଅନ୍ତର୍ଗତ ମୁଖୀଗୁଡ଼ା ଜଗନ୍ନାଥ ମନ୍ଦିରରୁ ଶୁକ୍ରବାର ବିଳମ୍ବିତ ରାତିରେ ଚୋରି ହୋଇଛି। ଦୁବୃର୍ତ୍ତ ଲକ୍ଷାଧିକ ଟଙ୍କାର ରୁପା ଅଳଙ୍କାର ଚୋରିକରି ନେଇଛନ୍ତି। ଏହା ସହ ପିତଳ ସାମଗ୍ରୀ, ହୁଣ୍ଡିରେ ଥିବା ଟଙ୍କା ନେଇଯାଇଛନ୍ତି। ଶନିବାର ଭୋରରୁ ପୂଜକ ମନ୍ଦିର ଭିତରକୁ ଯାଇ ଚୋରି ହୋଇଥିବା ଦେଖିବାକୁ ପାଇଥିଲେ। ଏହି ସମୟରେ ସେ ମନ୍ଦିରର ଦକ୍ଷିଣ ଦ୍ୱାର ଓ ହୁଣ୍ଡିର ତାଲା ଭଙ୍ଗା ଯାଇଥିବାଲା। ଏହା ସହ ଠାକୁରଙ୍କ ତିନୋଟି ରୁପା ମୁକୁଟ, ଅଣ୍ଟା ପାତିଆ, ପୂଜା ପାଇଁ ବ୍ୟବହାର କରାଯାଉଥିବା ପିତଳ ସାମଗ୍ରୀ ଚୋରି ହୋଇଯାଇଥିବା ଦେଖିବାକୁ ପାଇଥିଲେ। ପରେ ମନ୍ଦିର ପରିଚାଳନା କମିଟିକୁ ଜଣାଇବା ପରେ ସ୍ଥାନୀୟ ମୁଖୀଗୁଡା ଫାଣ୍ଡି ଅଧିକାରୀଙ୍କୁ ସୂଚନା ଦେଇଥିଲେ । ହୁଣ୍ଡିରେ ପ୍ରାୟ ୩୦ରୁ ୪୦ହଜାର ଟଙ୍କା ଥିବା ଅନୁମାନ କରାଯାଉଛି। ସେହିପରି ଚୋରି ଜିନିଷର ମୂଲ୍ୟ ୧୦ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହେବ ବୋଲି ଅନୁମାନ କରାଯାଇଛି। ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି।