ଦିନ ଦ୍ୱିପ୍ରହରେ ବ୍ୟବସୀୟୀଙ୍କ ଘରୁ ଲୁଟି ନେଲେ ଲକ୍ଷାଧିକ ଟଙ୍କା

ବରଗଡ଼ ଅଫିସ୍‌,୧୨।୧: ବରଗଡ଼ ସହରରେ ସପ୍ତାହେ ହେଲା ଲୁଟ୍‌ପାଟ୍‌ ବଢ଼ି ଚାଲିଛି। ଏହା ବରଗଡ଼ ପୋଲିସ ପାଇଁ ଚ୍ୟାଲେଞ୍ଜ ହୋଇପଡ଼ିଛି। ମଙ୍ଗଳବାର ପୂର୍ବାହ୍ନରେ ୩ଜଣ ଦୁର୍ବୃତ୍ତ ବରଗଡ଼ ପୌର ପରିଷଦ ଅଧୀନ ୱାର୍ଡ଼ ନଂ.୫ ସହରାପଡ଼ାରେ ରହୁଥିବା ଜଣେ ବ୍ୟବସାୟୀଙ୍କ ଘରେ ପଶି ଲକ୍ଷାଧିକ ଟଙ୍କା ଲୁଟ୍‌କରି ଫେରାର ହୋଇ ଯାଇଛନ୍ତି। ସ୍ଥାନୀୟ ଟାଉନ ଥାନା ପୋଲିସ ଏ ନେଇ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ମାତ୍ର ଲୁଟେରାଙ୍କୁ ଠାବ କରି ପାରିନାହିଁ। ଏହା ପୂର୍ବରୁ ପ୍ରାୟ ସପ୍ତାହକ ମଧ୍ୟରେ ସହର ତଥା ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଆହୁରି ଅନେକ ଲୁଟ୍‌ ହୋଇଛି। ରବିବାର ବରଗଡ଼ ସହରର ଏକ ହୋଟେଲରୁ ଛତିଶଗଡ଼ର ଜଣେ ବ୍ୟକ୍ତିଙ୍କଠାରୁ ୨.୩୫ଲକ୍ଷ ଟଙ୍କା ଲୁଟ୍‌ ହୋଇଥିଲା। ସୋମବାର ପୋଲିସ ଲୁଟ୍‌ ଟଙ୍କା ଉଦ୍ଧାର କରିବା ସହିତ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଅନ୍ୟପଟେ ଏହି ଲୁଟେରାଙ୍କୁ ଧରିବାର କିଛି ସମୟ ପରେ ସହର ଉପକଣ୍ଠ ଘୁଲିପାଲିରେ ଜଣେ ବ୍ୟକ୍ତି ଲୁଟ୍‌୍‌ର ସମ୍ମୁଖୀନ ହୋଇଥିଲେ। ସେହିପରି ଏହା ପୂର୍ବରୁ ବରଗଡ଼-କଟାପାଲି ଏବଂ ବରଗଡ଼-ଭଟଲି ରାସ୍ତାରେ ମଧ୍ୟ ଏକାଧିକ ଲୁଟ୍‌ ଘଟଣା ଘଟିଛି। ଏଭଳି ଲୁଟ୍‌ପାଟ୍‌ ବର୍ତ୍ତମାନ ଜିଲାବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଥିବା ବେଳେ ଏହା ପୋଲିସର ନିଦ ହଜାଇ ଦେଇଛି।