Categories: ଫୁରସତ

ଆଠ ମହଲାର ବଙ୍ଗଳା, କୋଟି କୋଟି ମୂଲ୍ୟର ଗାଡ଼ି; ସବୁ ସମ୍ପତ୍ତି ବିକି ଚମକାଇବା ଭଳି କାମ କଲେ ମହିଳା

ପ୍ରତିଟି ବ୍ୟକ୍ତି ରୋଜଗାର କରି ଖୁବ୍‌ଶୀଘ୍ର ବଡ଼ ଲୋକ ହେବାକୁ ଚାହାନ୍ତି। ଫଳରେ ବଙ୍ଗଳା କରିପାରିବେ। ଦାମୀ ଗାଡ଼ି କିଣିପାରିବେ। ଏପରିକି ବିଳାସବ୍ୟସନରେ ଜୀବନ ଅତିବାହିତ ମଧ୍ୟ କରିହେବ। ହେଲେ ଏକ ନିଆରା ଘଟଣାକ୍ରମରେ ଜଣେ ମହିଳା ନିଜର ରାଜକୀୟ ଜୀବନଶୈଳୀକୁ ପାଦରେ ଆଡେଇ ଦେଇ ଏଭଳି କିଛି କରିଛନ୍ତି ଯାହାକୁ ଜାଣିଲେ ଚକିତ ହେବେ।

ଦିନ ଥିଲା ଆମେରିକାରେ ରହୁଥିବା ୩୬ ବର୍ଷୀୟ କ୍ୟାଟଲିନ୍‌ ପାଇଲ୍‌ ନାମକ ମହିଳା ଫ୍ଲୋରିଡାର ଏକ ଆଠ ମହଲା ବିଶିଷ୍ଟ ଭବ୍ୟ ବଙ୍ଗଳାରେ ରହୁଥିଲେ। ଏକାଧିକ ଦାମୀ ଗାଡ଼ିର ସଉକ ତାଙ୍କର ଥିଲା। ତାଙ୍କ ଆଗପଛରେ ଚାକର ବୁଲୁଥିଲେ। ତାଙ୍କ ପାଖରେ କୋଟି କୋଟି ଟଙ୍କାର ସମ୍ପତ୍ତି ରହିଥିଲା। ହେଲେ ଏସବୁ ଜିନିଷରେ ତାଙ୍କ ମନ ଲାଗୁ ନ ଥିଲା। ୨୦୨୨ରେ ସେ ସ୍ବାମୀଙ୍କଠାରୁ ଛାଡ଼ପତ୍ର ନେଇ ସବୁକିଛି ବିକ୍ରି କରିଦେଇଥିଲେ। ପରେ ସେ ଏକ ଭ୍ୟାନ୍‌ କିଣି ସେଥିରେ ରହିଥିଲେ। ବର୍ଷକୁ ସେ ୩୩ କୋଟି ଟଙ୍କା ରୋଜଗାର କରୁଥିଲେ, ହେଲେ ଏବେ ମାତ୍ର ୩୦ ଡଲାର ପ୍ରତିଦିନ ଖର୍ଚ୍ଚ କରୁଛନ୍ତି।

କ୍ୟାଟଲିନ୍‌ ଏବେ ଭ୍ୟାନ୍‌ ଯୋଗେ ସହରକୁ ସହର ଘୁରି ବୁଲୁଛନ୍ତି। କେବେ ପର୍ବତରେ ତ କେବେ ଜଙ୍ଗଲରେ ସେ ରହୁଛନ୍ତି। ଏବେର ଜୀବନ ବିଷୟରେ ପଚାରିଲେ ସେ କେବଳ ଏତିକି କୁହନ୍ତି ଯେ ବଡ଼ ବଙ୍ଗଳାରେ ଏକାକୀ ଜୀବନ ବିତାଇବାକୁ ଭଲ ଲାଗୁ ନ ଥିଲା। ନିଜକୁ ଖୁସି କରିବା ଲାଗି ସେ ସବୁକିଛି କରିଛନ୍ତି। ଏବେ ସେ ବହୁତ ଖୁସି ଅଛନ୍ତି। ନୂଆ ବନ୍ଧୁ କରୁଛନ୍ତି। ଡେଟ୍‌ରେ ମଧ୍ୟ ଯାଉଛନ୍ତି।

Share