କୋଟିପତି ଜିଆର୍‌ଏସ୍‌ ଗିରଫ, ସ୍ତ୍ରୀଙ୍କ ନାଁରେ ମାମଲା

ଭୁବନେଶ୍ୱର,୨୭।୪(ବ୍ୟୁରୋ): ଭୁବନେଶ୍ୱର ଇଞ୍ଜଣା ଗ୍ରାମପଞ୍ଚାୟତ(ପୂର୍ବର କଳାରାହାଙ୍ଗ ପଞ୍ଚାୟତ)ର ଗ୍ରାମ ରୋଜଗାର ସେବକ (ଜିଆର୍‌ଏସ୍‌) ବାବୁଲି ଚରଣ ପଢ଼ିହାରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ପରେ ତାଙ୍କ ନିକଟରୁ ବିପୁଳ ପରିମାଣର ଆୟ ବହିର୍ଭୂତ୍ତ ସମ୍ପତ୍ତି ଠାବ କରାଯାଇଛି। ଠାବ ହୋଇଥିବା ସମ୍ପତ୍ତି ତାଙ୍କ ପ୍ରକୃତ ଆୟଠୁ ୩୮୩ ଶତକଡ଼ା ଅଧିକ। ବାବୁଲିଙ୍କ ନିକଟରୁ ଠାବ କରାଯାଇଥିବା ସମ୍ପତ୍ତି ସମ୍ପର୍କରେ ସନ୍ତୋଷଜନକ ଉତ୍ତର ଦେଇ ନ ପାରୁବାରୁ ଭିଜିଲାନ୍ସ ତାଙ୍କ ନାମରେ ଏକ ମାମଲା(ନଂ.୯/୨୦୨୨) ରୁଜୁ କରି ମଙ୍ଗଳବାର ଗିରଫ କରିଛି। ଏଥିସହ ତାଙ୍କ ସ୍ତ୍ରୀଙ୍କ ନାମରେ ମଧ୍ୟ ଏକ ମାମଲା ରୁଜୁ କରାଯାଇଛି। ଗିରଫ ପରେ ବାବୁଲିଙ୍କୁ ଭୁବନେଶ୍ୱରର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟକୁ ଚାଲାଣ କରାଯାଇଥିଲା। ସେଠାରେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।
ସୂଚନା ଅନୁଯାୟୀ, ବାବୁଲି ୨୦୦୮ ମାର୍ଚ୍ଚ ୧ରେ ଜିଆର୍‌ଏସ୍‌ ଭାବେ ଯୋଗ ଦେଇଥିଲେ। ଏଯାବତ୍‌ ତାଙ୍କ ଚାକିରି ନିୟମିତ ହୋଇ ନ ଥିବାବେଳେ ବାବୁଲି ସ୍ବୀକାର କରିଥିବାବେଳେ ସେ ମାସିକ ୮ ହଜାର ୫୦୦ ଟଙ୍କା ଦରମା ପାଉଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଉଛି। ତାଙ୍କ ବିରୋଧରେ ଏକାଧିକ ଦୁର୍ନୀତି ଅଭିଯୋଗ ଆସିବା ପରେ ଭିଜିଲାନ୍ସ ଟିମ୍‌ ସୋମବାର ଭୁବନେଶ୍ୱର ରଘୁନାଥପୁରସ୍ଥିତ ପୈତୃକ ଘର ସମେତ ୬ଟି ସ୍ଥାନରେ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ କଟକ ବେଲ୍‌ଗଛିଆରେ ଗୋଟିଏ ଓ ଭୁବନେଶ୍ୱରରେ ୫୮ ପ୍ଲଟ୍‌, ଭୁବନେଶ୍ୱର ରଘୁନାଥପୁର ମାଉସୀ ମା’ ମନ୍ଦିର ନିକଟରେ ୧.୨୪ କୋଟିର ଗୋଟିଏ ୩ ମହଲା କୋଠା ସମେତ ଏକାଧିକ କୋଠା ଠାବ ହୋଇଥିଲା। ସେହିପରି ତାଙ୍କ ଘରୁ ୮.୮୫ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା, ସୁନା ଓ ରୁପା ଗହଣା, ଘରୋଇ ଆସବାବପତ୍ର, ନଗଦ ଟଙ୍କା ମିଳିଥିଲା। ଅନ୍ୟପକ୍ଷରେ ବାବୁଲି ଏନେଇ ଗଣମାଧ୍ୟମକୁ କହିଛନ୍ତି, ମୋ ରୋଜଗାର ହ୍ବାଇଟ୍‌, କିିଛି ବେଆଇନ୍‌ କାମ କରିନାହିଁ ବୋଲି କହିଛନ୍ତି।