କୋଟିପତି ଅଧୀକ୍ଷଣ ଯନ୍ତ୍ରୀ ଗିରଫ

ଭୁବନେଶ୍ୱର, ୯।୧ (ବ୍ୟୁରୋ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗ୍ରାମୀଣ ଜଳ ଯୋଗାଣ ଓ ପରିମଳ ବିଭାଗ (ଆର୍‌ଡବ୍ଲ୍ୟୁଏସ୍‌ଏସ୍‌) ଭୁବନେଶ୍ୱର ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀ ବିଜୟାନନ୍ଦ ସାହୁଙ୍କୁ ସୋମବାର ଭିଜିଲାନ୍ସ ଗିରଫ କରିଛି। ଶନିବାରଠାରୁ ହୋଇଥିବା ଚଢ଼ାଉ ଓ ଯାଞ୍ଚରେ ବିଜୟାନନ୍ଦ ଏବଂ ତାଙ୍କ ପରିବାର ସଦସ୍ୟଙ୍କଠାରୁ ୩ କୋଟି ୧୩ ଲକ୍ଷ ୭୬ ହଜାର ୫୯୯ ଟଙ୍କାର ଆୟ ବହିର୍ଭୂତ୍ତ ସମ୍ପତ୍ତି ଠାବ କରାଯାଇଛି। ଏହା ବିଜୟାନନ୍ଦଙ୍କ ପ୍ରକୃତ ଆୟଠାରୁ ୨୨୧ ଶତକଡ଼ା ଅଧିକ ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି। ଏଥିସହ ବିଜୟାନନ୍ଦ ଓ ତାଙ୍କ ସ୍ତ୍ରୀଙ୍କ ନାମରେ କଟକ ଭିଜିଲାନ୍ସ ଥାନାରେ ଏକ ମାମଲା (ନଂ.୧/୨୦୨୩) ରୁଜୁ କରାଯାଇଛି। ଗିରଫ ପରେ କୋଟିପତି ଅଧିକାରୀ ବିଜୟାନନ୍ଦଙ୍କୁ ଢ଼େଙ୍କାନାଳ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟକୁ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।
ସୂଚନାଯୋଗ୍ୟ, ବିଜୟାନନ୍ଦଙ୍କ ନାଁରେ କିଛିଦିନ ହେଲା ମାଳମାଳ ଦୁର୍ନୀତି ଅଭିଯୋଗ ଆସିଥିଲା। ଢେଙ୍କାନାଳ ଭିଜିଲାନ୍ସ କୋର୍ଟଙ୍କ ୱାରେଣ୍ଟ ବଳରେ ଶନିବାର ବିଜୟାନନ୍ଦଙ୍କ ଭୁବନେଶ୍ୱରସ୍ଥିତ ବାସଭବନ ସମେତ ଅନୁଗୋଳ ଓ ଢେଙ୍କାନାଳର ୬ଟି ସ୍ଥାନରେ ଭିଜିଲାନ୍ସ ଟିମ୍‌ ଏକକାଳୀନ ଚଢ଼ାଉ କରିଥିଲା। ଏଥିରେ ଭିଜିଲାନ୍ସର ୫ ଡିଏସ୍‌ପି, ୧୪ ଇନ୍ସପେକ୍ଟର ଓ ୨୮ ଜଣ କର୍ମଚାରୀ ସାମିଲ ଥିଲେ। ଯାଞ୍ଚବେଳେ ବିଜୟାନନ୍ଦଙ୍କ ୩ଟି କୋଠା, ୧୪ ପ୍ଲଟ୍‌ ସହ ନଗଦ ୧.୮୧ ଲକ୍ଷ ଟଙ୍କା, ୪୪ ଲକ୍ଷ ୮୪ ହଜାର ୪୮୫ ଟଙ୍କାର ବ୍ୟାଙ୍କ, ପୋଷ୍ଟାଲ ଓ ଇନ୍‌ସ୍ୟୁରାନ୍ସ ଜମା, ୨୩୭ ଗ୍ରାମ୍‌ ସୁନା, ଘରୋଇ ସାମଗ୍ରୀ, ଗୋଟିଏ କାର ଠାବ ହୋଇଥିଲା। ତେବେ ଏହି ମାମଲାରେ ଭିଜିଲାନ୍ସ ପକ୍ଷରୁ ଅଧିକ ତଦନ୍ତ କରାଯାଉଥିବା ସୂଚନା ଦିଆଯାଇଛି।