Categories: ରାଜ୍ୟ

କୋଟିପତି ଗଞ୍ଜେଇ ବ୍ୟବସାୟୀ ଗିରଫ

ବାରିପଦା,୨।୪- ସ୍ପେଶାଲ ସ୍କ୍ବାଡ୍‌ ୮ ମାସ ହେଲା ଜଣେ ଚୋରା ଗଞ୍ଜେଇ ବ୍ୟବସାୟୀଙ୍କ ଉପରେ ରଖିଥିଲା ନଜର। ଶେଷରେ ଗୁରୁବାର ରାତିରେ ଉକ୍ତ ବ୍ୟବସାୟୀ ଘରେ ଥିବା ବେଳେ ସ୍ପେଶାଲ ସ୍କ୍ବାଡ୍‌ ଚଢ଼ାଉ କରି ତାଙ୍କୁ ଗିରଫ କରିଛି। ସେ ହେଲେ କପ୍ତିପଦା ଥାନା ଅଧୀନ କୟଁାଖୁଣ୍ଟା ଗ୍ରାମର ଶରତ ନାୟକ। ତାଙ୍କ ପୈତୃକ ଘରୁ ୪ଟି ଓ ଉଦଳା ସ୍ଥିତ ଘରୁ ୧୬ଟି ମୋଟ ୨୦ ବସ୍ତାରେ ସାଢ଼େ ୪ କୁଇଣ୍ଟାଲ ଗଞ୍ଜେଇ ଜବତ ହୋଇଛି। ଏହାର ଅନୁମାନିକ ମୂଲ୍ୟ ୪୦ ଲକ୍ଷ ଟଙ୍କା ହେବ। ଏହାବାଦ୍‌ ଘରୁ ନଗଦ ୫ ଲକ୍ଷ ୯୧ ହଜାର ଟଙ୍କା, ୫ ମୋବାଇଲ ଫୋନ, ବିଭିନ୍ନ ବ୍ୟାଙ୍କର ଏଟିଏମ୍‌ କାର୍ଡ ଓ ପାସ୍‌ବୁକ ସହ ଦୁଇଟି ପଶ୍ଚିମବଙ୍ଗର ନମ୍ବର ଥିବା କାର୍‌ ମଧ୍ୟ ଜବତ କରିଛି ସ୍ପେଶାଲ ସ୍କ୍ବାଡ୍‌। ବଡ଼ ବଡ଼ ବାକ୍ସରେ ବିକ୍ରି ଉଦ୍ଦେଶ୍ୟରେ ଥିବା ଛୋଟ ପ୍ୟାକେଟ୍‌ ମଧ୍ୟ ଜବତ ହୋଇଛି। ଏ ନେଇ ଏକ ମାମଲା (ନଂ.୯୫/୨୧) ରୁୁଜୁ କରି ଶରତଙ୍କୁ କୋର୍ଟ ଚାଲାଣ କରାଯାଇଛି। ଉଦଳା ଓ କପ୍ତିପଦା ପୋଲିସ ସହାୟତାରେ ସ୍ପେଶାଲ ସ୍କ୍ବାଡ୍‌ ଅଚାନକ ଚଢ଼ାଉ କରିଥିଲା। ବିଳମ୍ବିତ ରାତି ପର୍ଯ୍ୟନ୍ତ ଚଢ଼ାଉ ଜାରି ରହିଥିଲା। ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିବା ପରେ ଅଧିକ ତଥ୍ୟ ପଦାକୁ ଆସିବ ବୋଲି କପ୍ତିପଦା ଥାନାଧିକାରୀ ସଞ୍ଜୟ ପ୍ରଧାନ କହିଛନ୍ତି।