ଭବାନୀପାଟଣା,୨୧ା୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟାକୁ ଇତିମଧ୍ୟରେ ମାସେ ବିତିଯାଇଛି। ଆସନ୍ତା ୩୦ରେ ଏହି ପ୍ରକ୍ରିୟା ସରିଯିବ। ହେଲେ ଏପର୍ଯ୍ୟନ୍ତ ଜିଲାରେ ଧାନ ବିକ୍ରି ସମସ୍ୟା ଅସମାହିତ ରହିଛି। ମଣ୍ଡିକୁ ଧାନ ଆସୁଥିଲେ ବି କିଣାଯାଉ ନାହିଁ। ମିଲର ପହଞ୍ଚତ୍ଲେ ଏବଂ କଟ୍ନିରେ ଚାଷୀ ରାଜି ହେଲେ ଯାଇ ଧାନ କିଣାଯାଉଛି। କଟ୍ନିରେ ଚାଷୀ ସହମତି ପ୍ରକାଶ ନ କଲେ ଧାନ ଦୀର୍ଘଦିନ ଧରି ମଣ୍ଡିରେ ପଡ଼ି ରହୁଛି। କେବଳ ସେତିକି ନୁହେଁ, ବେପାରୀ (ମଧ୍ୟସ୍ଥ) ମାଧ୍ୟମରେ ଆସିଥିବା ଧାନକୁ ତତ୍କାଳ କିଣାଯାଇ ମଣ୍ଡିରୁ ଉଠାଯାଉଛି କିମ୍ବା ସେଭଳି ଧାନ ମଣ୍ଡିକୁ ଆସିବା ବଦଳରେ ସିଧାସଳଖ ବିଭିନ୍ନ ରାଇସ ମିଲ୍କୁ ଯାଉଥିବା ଚାଷୀମାନେ ଅଭିଯୋଗ କରିଛନ୍ତି।
ପ୍ରକାଶ ଯେ, ଗତ ସାଧାରଣ ନିର୍ବାଚନ ସମୟରେ ରାଜ୍ୟରେ ସରକାର ଆସିଲେ ବିନା କଟ୍ନିର ମଣ୍ଡିରୁ ଚାଷୀଙ୍କ ଧାନ ଉଠାଣ କରାଯିବ ବୋଲି ଭାଜପା ଘୋଷଣା କରିଥିଲା। ହେଲେ କଳାହାଣ୍ଡି ଜିଲାରେ ଏବେ ୭ କେଜି କଟ୍ନି ନ ଦେଲେ ମଣ୍ଡିରୁ ଧାନ ଉଠୁନାହିଁ। ଶୁଖା ଧାନ ଥିଲେ ମଧ୍ୟ ଚାଷୀଙ୍କୁ ଏହି କଟ୍ନି ଦେବାକୁ ପଡୁଛି। ଏହାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଆଗକୁ ବର୍ଷା ହେଲେ ଏହି କଟ୍ନି ୧୦ କେଜିକୁ ଯାଇପାରେ ବୋଲି ଚାଷୀ ଅନୁମାନ କରୁଛନ୍ତି। ଅନ୍ୟପକ୍ଷରେ, ପଡୋଶୀ ନୂଆପଡ଼ା ଜିଲାରେ ୩ରୁ ୫ ଓ ବରଗଡ଼ ଜିଲାରେ ୨ରୁ ୩କେଜି କଟ୍ନି ଚାଲିଥିବା ଜଣାପଡିଛି। ତେବେ କଳାହାଣ୍ଡି ଜିଲାର ସବୁଠୁ ଅଧିକ ୭ କେଜି କଟ୍ନି କରାଯିବା ମିଲର ଚାଷୀଙ୍କୁ ଶୋଷଣ କଲା ଭଳି ହେଉଛି ବୋଲି ବରିଷ୍ଠ କଂଗ୍ରେସ ନେତା ପ୍ରଭାତ ଦାଶ ପ୍ରକାଶ କରିଛନ୍ତି। ଏହି କଟ୍ନି ଅଙ୍କ ଛିଡୁ ନ ଥିବାରୁ ଜିଲାରେ ଧାନ କିଣା ମନ୍ଥର ହୋଇଛି। ଯେଉଁଠି ଚାଷୀ ୭ କେଜି କଟ୍ନି ଦେବାକୁ ରାଜି ହେଉଛି ସେଠାରେ ଧାନ ଉଠୁଛି ନଚେତ ମଣ୍ଡିରେ ପଡିରହୁଛି ବୋଲି ସେ କହିଛନ୍ତି। ଜିଲା ଯୋଗାଣ ବିଭାଗ ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ, ଶୁକ୍ରବାର ସୁଦ୍ଧା ଜିଲାର ୩୦ ହଜାର ୧୯୨ ଜଣ ଚାଷୀ ୧୮ଲକ୍ଷ ୬୮ ହଜାର ୬୨୦ କୁଇଣ୍ଟାଲ ଧାନ ବିକ୍ରି କରିସାରିଥିବା ଜଣାପଡିଛି। କେବଳ ଶୁକ୍ରବାର ୨୯୯୨ ଜଣ ଚାଷୀ ୧ ଲକ୍ଷ ୮୬ ହଜାର ୭୧୦ କୁଇଣ୍ଟାଲ ଧାନ ବିକ୍ରି କରିଛନ୍ତି। ଏ ନେଇ ଜିଲା ଯୋଗାଣ ଅଧିକାରୀ ଅଜୟ ମଲ୍ଲିକଙ୍କୁ ପଚାରିବାରୁ ଦେଖୁଛି ବୋଲି କହିଥିଲେ।