ମିଳୁନି ବାଙ୍ଗରା ନଡ଼ିଆ ଚାରା

ଜଗତ୍‌ସିଂହପୁର ଅଫିସ,,୧୫।୧: ଦେଶର ପ୍ରମୁଖ ୬ଟି ନଡ଼ିଆ ଉତ୍ପାଦନକାରୀ ରାଜ୍ୟ ମଧ୍ୟରେ ଓଡ଼ିଶା ଅନ୍ୟତମ। ଉପକୂଳବର୍ତ୍ତୀ ଜିଲାଗୁଡ଼ିକରେ ଏହା ଅଧିକ ହୁଏ। ସେ ଦୃଷ୍ଟିରୁ ଏକଦା ଜଗତ୍‌ସିଂହପୁର ନଡିଆ ଉତ୍ପାଦନରେ ସୁନାମ ଅର୍ଜନ କରୁଥିଲା। ୧୯୯୯ ମହାବାତ୍ୟା ଓ ଫନୀ ବାତ୍ୟାରେ ବହୁ ନଡ଼ିଆ ଗଛ ଉପୁଡ଼ି ଯାଇଥିଲା। ଏହାପରେ ଉନ୍ନତମାନର ଅଧିକ ଅମଳକ୍ଷମ ବାଙ୍ଗରା(ବାମନ) ନଡ଼ିଆ (ଡୁଆଫ୍‌ କୋକାନଟ୍‌) ଉତ୍ପାଦନ ସମ୍ଭବ ହେଉନାହିଁ। କେବଳ ଜଗତ୍‌ସିଂହପୁର ନୁହେଁ, ରାଜ୍ୟର ଅନ୍ୟ କୌଣସି ସ୍ଥାନରେ ସରକାରୀ ଭାବେ ବାଙ୍ଗରା ନଡ଼ିଆ ଚାରା ଉପଲବ୍ଧ ହେଉନି। ସେହିପରି ମାର୍କେଟିଂ ପାଇଁ ମଣ୍ଡି, ପ୍ରୋସେସିଂ ପ୍ଲାଣ୍ଟର ଅଭାବ ସାଙ୍ଗକୁ ବୀମା ସୁବିଧା ନ ଥିବାରୁ ଏହି ଚାଷ ପ୍ରତି ଲୋକେ ମୁହଁ ମୋଡ଼ିବାରେ ଲାଗିଛନ୍ତି।
୧୯୯୯ ମହାବାତ୍ୟା ପୂର୍ବରୁ ଜିଲାରେ ପ୍ରାୟ ୧୦ ହଜାର ହେକ୍ଟର ଜମିରେ ନଡ଼ିଆ ଗଛ ଥିଲା। ଏହା ଲୋକଙ୍କ ଆବଶ୍ୟକତା ପୂରଣ ସହ ବହୁ ପରିମାଣର ନଡ଼ିଆ ବାହାର ରାଜ୍ୟକୁ ଚାଲାଣ ହେଉଥିଲା। ମହାବାତ୍ୟାରେ ଜଗତ୍‌ସିଂହପୁର ଜିଲା ସର୍ବାଧିକ ପ୍ରଭାବିତ ହେବାରୁ ପ୍ରାୟ ୯୦% ଗଛ ନଷ୍ଟ ହୋଇଯାଇଥିଲା। ଯାହା କିଛି ରହିଯାଇଥିଲା, ସେଥିରୁ ଅଧିକାଂଶ ରୋଗପୋକ ଓ ଅନ୍ୟାନ୍ୟ କାରଣରୁ ପ୍ରଭାବିତ ହୋଇଥିଲା। ଫଳରେ ଗଛଗୁଡ଼ିକ ଆଶାଜନକ ଅମଳ ଦେଇପାରି ନ ଥିଲା। ସେତେବେଳେ ନଡ଼ିଆ ଗଛ ପାଇଁ ସରକାରୀ ଓ ବେସରକାରୀ ପ୍ରୋତ୍ସାହନ ଥିଲା। କିନ୍ତୁ ତାହା ବାଟମାରଣା ଏବଂ ବିଭାଗୀୟ ଆନ୍ତରିକତାର ଅଭାବରୁ ବାସ୍ତବ ଲକ୍ଷ୍ୟ ପୂରଣ ହୋଇପାରି ନ ଥିଲା। ପରବର୍ତ୍ତୀ ସମୟରେ ନଡ଼ିଆ ଚାଷକୁ ପ୍ରୋତ୍ସାହିତ କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଯଥାକ୍ରମେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଏବଂ ରାଜ୍ୟ ଅନୁଦାନରେ ଅର୍ଥ ବରାଦ କରିଥିଲେ। ଏହି ଅନୁଯାୟୀ ଜଗତ୍‌ସିଂହପୁର ଜିଲା ଉଦ୍ୟାନ କୃଷି ସହକାରୀ ନିର୍ଦ୍ଦେଶକ (ଏଡିଏଚ୍‌)ଙ୍କ କାର୍ଯ୍ୟାଳୟ ପଦକ୍ଷେପ ନେଲା। ଏ ସମ୍ପର୍କରେ ଏଡିଏଚ୍‌ ପ୍ରଦୀପ କୁମାର ବଳଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ଜିଲାରେ ୨୦୦୯-୧୦ରେ ୨,୪୫୪ ହେକ୍ଟର ଜମିରେ ନଡିଆ ଗଛ ଥିଲା। ଏଥିରୁ ବାର୍ଷିକ ୧୫୧.୪ ଲକ୍ଷ ନଡିଆ ଉତ୍ପାଦନ ହୋଇଥିଲା। ୬ ବର୍ଷ ପରେ ଅର୍ଥାତ୍‌ ୨୦୧୫-୧୬ରେ ଏହି ଜମି ପରିମାଣ ୨,୬୫୬ ହେକ୍ଟରକୁ ବଢ଼ିବା ସହ ଅମଳ ୧୮୨ ଲକ୍ଷରେ ପହଞ୍ଚତ୍ଥିଲା। ୨୦୨୦-୨୧ରେ ୨,୮୭୬ ହେକ୍ଟର ଜମିରୁ ୨୪୦ ଲକ୍ଷ ନଡିଆ ଉତ୍ପାଦନ ସମ୍ଭବ ହୋଇପାରିଛି। ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ୪୫୬ ଜଣଙ୍କୁ ୭୮.୨ ହେକ୍ଟର ଜମିରେ ନଡିଆ ଚାଷ ପାଇଁ ପ୍ରୋତ୍ସାହିତ କରାଯାଇଛି। ରାଜ୍ୟ ଅନୁଦାନରେ ୧୩୫ ଜଣ ୩୦ ହେକ୍ଟର ଜମିରେ ଏହି ଚାଷ କରିଛନ୍ତି। ଏଥିମଧ୍ୟରେ ୮୦୦ ଜଣଙ୍କୁ ୮୦୦୦ ଚାରା ୫୦% ରିହାତିରେ ଯୋଗାଇ ଦିଆଯାଇଛି। ଅତୀତରେ କେନ୍ଦ୍ର ସରକାରଙ୍କ କୋକାନଟ୍‌ ଡେଭଲପମେଣ୍ଟ ବୋର୍ଡ (ସିଡିବି) ଚାରାରୋପଣ ପାଇଁ ରିହାତି ଦେବା ସହ ପୁରୁଣା ବଗିଚା ରକ୍ଷଣାବେକ୍ଷଣ ପାଇଁ ଟଙ୍କା ଦେଉଥିଲା। କିନ୍ତୁ ୨ ବର୍ଷ ହେବ ଏହି ସହାୟତା ବନ୍ଦ କରି ଦିଆଯାଇଛି। ନଡ଼ିଆ ଗଛ ଚଢ଼ିବା ପାଇଁ ପୂର୍ବରୁ ଯନ୍ତ୍ର ଯୋଗାଇ ଦିଆଯାଇଥିଲା,ତାହା ମଧ୍ୟ ଆଉ ଆସୁନି।
ଏଡିଏଚ୍‌ ବଳ କହିଛନ୍ତି ଯେ, ଯାଦୁରା (ଏରିଓଫାଇଟମାଇଟ୍‌) ହେଉଛି ନଡିଆ ଗଛର ମୁଖ୍ୟ ରୋଗ। ଏହାର ନିରାକରଣ ପାଇଁ ଆବଶ୍ୟକ ଔଷଧ ଓ ଯତ୍ନ ନେବା ଜରୁରୀ ଥିଲେ ସୁଦ୍ଧା ତାହା କରାଯାଉନାହିଁ। ଏଣୁ ନଡିଆ ଅମଳ ପ୍ରଭାବିତ ହେବା ସହ ମରିଯାଉଛି। ଜିଲାରେ ପ୍ରୋସେସିଂ ୟୁନିଟ୍‌ ପାଇଁ ମୁଖ୍ୟମନ୍ତ୍ରୀ ଉଦ୍ୟୋଗ ଯୋଜନାରେ ରିହାତି ଅଛି। ତେଣୁ ଏଥିପ୍ରତି ଆଗ୍ରହ ପ୍ରକାଶ ପାଇଲେ ନଡିଆ ଚାଷ ପ୍ରତି ଲୋକେ ମଧ୍ୟ ଆକର୍ଷିତ ହୁଅନ୍ତେ ବୋଲି ଏଡିଏଚ୍‌ କହିଛନ୍ତି। ଏ ସମ୍ପର୍କରେ ନବ ନିର୍ମାଣ କୃଷକ ସଙ୍ଗଠନ ସହ ସଂଯୋଜକ ରଶ୍ମିରଞ୍ଜନ ସ୍ବାଇଁ, ରଘୁନାଥପୁର ବ୍ଲକ ବ୍ରାହ୍ମଣବାଡ଼ି ପାଣ୍ଡରାର ଗୋବିନ୍ଦ ସାହୁ, ବାଲିକୁଦା ବ୍ଲକ ଖାଁକରପୁରର ଅଶୋକ ସ୍ବାଇଁ, ଏରସମା ବ୍ଲକ ଭାରିଶୋଳର ପ୍ରସନ୍ନ କୁମାର କୁଅଁର, କୁଜଙ୍ଗ ବ୍ଲକ ବଡ଼ବନ୍ଧର ନଟବର ସେଣ ଓ ନାଉଗାଁ ବ୍ଲକ ଏରଡ଼ା ଗ୍ରାମର ମହେନ୍ଦ୍ର କୁମାର ନାୟକ ପ୍ରମୁଖ କହିଛନ୍ତି, ମହାବାତ୍ୟା ସମୟରେ ଅଧିକାଂଶ ନଡ଼ିଆ ଗଛ ନଷ୍ଟ ହୋଇ ଯାଇଥିଲା। ଏଣୁ ନଡିଆ ଚାଷ ପ୍ରତି ଆକର୍ଷଣ ରହିଲା ନାହିଁ। ତଥାପି ଆନ୍ଧ୍ରପ୍ରଦେଶରୁ ଆସିଥିବା କିଛି ନଡ଼ିଆ ଚାରା ମାଗଣାରେ ଦିଆଯାଇଥିବାରୁ ଲୋକେ ଲଗାଇଥିଲେ। ହେଲେ ଯାଦୁରା ରୋଗ ଯୋଗୁ ବହୁ ଗଛ କ୍ଷତିଗ୍ରସ୍ତ ହୋଇଛି। ସେହିପରି ମାଙ୍କଡ ଉପଦ୍ରବ ଚିନ୍ତାର କାରଣ ହୋଇଛି। ମାଙ୍କଡମାନେ ଗୋଟମା ସହ ଗଛର କନ୍ଦ ଚିରି ଦେଉଛନ୍ତି। ଜଗତ୍‌ସିଂହପୁର ଏକ ବାତ୍ୟା ପ୍ରଭାବିତ ଜିଲା ହୋଇଥିବାରୁ ଗଛ ପ୍ରତି ବିପଦ ସବୁବେଳେ ରହୁଛି। ସରକାର ବାଙ୍ଗରା ନଡିଆ ଚାରା ଯୋଗାଇଲେ ଲୋକେ ଆଗ୍ରହ ପ୍ରକାଶ କରନ୍ତେ ବୋଲି ସେମାନେ କହିଛନ୍ତି।
ଅନ୍ୟପକ୍ଷରେ ବାଙ୍ଗରା ନଡିଆ ଚାରା କିଣିବା ପାଇଁ ଲୋକଙ୍କୁ ଖୋର୍ଦ୍ଧା ଜିଲାର ପିତାପଲ୍ଲୀଠାରେ ଥିବା ସିଡିବି ଫାର୍ମକୁ ଯିବାକୁ ପଡୁଛି। ସେଠାରେ ମଧ୍ୟ ପର୍ଯ୍ୟାପ୍ତ ପରିମାଣରେ ଏହି ଚାରା ମିଳୁନି। ବେସରକାରୀ ଭାବେ କେତେକ ସଂସ୍ଥା କଁା ଭଁା ଏହାକୁ ଅଧିକ ମୂଲ୍ୟରେ ବିକ୍ରି କରୁଛନ୍ତି। ତିର୍ତ୍ତୋଲସ୍ଥିତ ଉଦ୍ୟାନ କୃଷି ବିଭାଗ ଶାରଳା ବାମନ ନଡିଆ ଫାର୍ମରେ ଚୋରାରେ ଅରେଞ୍ଜ ଓ ମାଲେସିଆ ଭେରାଇଟିର ଚାରା ଯଥାକ୍ରମେ ୪୦୦ ଓ ୫୦୦ ଟଙ୍କାରେ ବିକ୍ରି ହେଉଥିବା ଅଭିଯୋଗ ହୋଇଛି। ଟ୍ରକ ଟ୍ରକ ଆସୁଥିବା ଏହି ଚାରା ଦର ଯଥେଷ୍ଟ ଅଧିକ ହୋଇଥିଲେ ସୁଦ୍ଧା ନେବା ପାଇଁ ଅନେକ ସମୟରେ ଲମ୍ବା ଧାଡ଼ି ହେଉଛି। ତେଣୁ ଜିଲାରେ ଏହି ବାମନ ନଡିଆ ଚାରା ବିକ୍ରି ପାଇଁ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ଉପକେନ୍ଦ୍ର ହେବା ଜରୁରୀ ବୋଲି ଚାଷୀମାନେ ଦାବି କରିଛନ୍ତି।
ଏ ସମ୍ପର୍କରେ ପିତାପଲ୍ଲୀସ୍ଥିତ ସିଡିବି ଫାର୍ମ ଟେକ୍‌ନିସିଆନ କ୍ଷିତୀଶ ପାଣି କହିଛନ୍ତି, ଏବେ ବାମନ ନଡିଆ ଗଛ ନାହିଁ। କେବଳ ଡେଙ୍ଗା ମିଳିବ। ବିଭିନ୍ନ ଜିଲାରୁ ଲୋକ ଆସି ଚାରା ନିଅନ୍ତି। ନଡ଼ିଆ ଗଛଚଢ଼ା ସମସ୍ୟା ଦୂର ପାଇଁ ମେଶିନ୍‌ ଦିଆଯାଉଛି। କିନ୍ତୁ ଯିଏ ନେବେ, ସେ ୫ ଦିନ ତାଲିମ ନେଇ ଷଷ୍ଠ ଦିନ ଗଛରେ ଠିକରେ ଚଢ଼ିପାରିଲେ ମେଶିନ ଦିଆଯିବା ବ୍ୟବସ୍ଥା ଥିବା ସେ କହିଛନ୍ତି।

 

ପ୍ରମୋଦ କୁମାର ନାୟକ


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଯୁବକ ମୃତ, ବୃଦ୍ଧ ଗୁରୁତର

ବ୍ରହ୍ମପୁର ଅଫିସ,୨୭।୬: ସଡ଼କ ଦୁର୍ଘଟଣା ହ୍ରାସ କରିବା ପାଇଁ ଜିଲା ପ୍ରଶାସନ ଓ ପୋଲିସ ପକ୍ଷରୁ ଅନେକ କାର୍ଯ୍ୟକ୍ରମ କରାଯାଉଛି। ଏନେଇ ଜନସାଧାରଣଙ୍କୁ ସଚେତନ ମଧ୍ୟ...

ଜାତୀୟ ପତାକାକୁ ଅସମ୍ମାନ ପ୍ରସଙ୍ଗ: ଦୋଷୀଙ୍କୁ ଦୋଷମୁକ୍ତ କଲେ ବିଇଓ

କୋରୁକୋଣ୍ଡା,୨୨ା୫(ଡି.ଏନ୍‌.ଏ.): ଗତ ଫେବୃୟାରୀ ୧୮ରେ କୋରୁକୋଣ୍ଡା ବ୍ଲକ ସଦର ପଞ୍ଚାୟତ ଶାରଦାଗୁଡ଼ା ଗ୍ରାମ ପ୍ରାଥମିକ ବିଦ୍ୟାଳୟରେ ତ୍ରିସ୍ତରୀୟ ନିର୍ବାଚନ ପାଇଁ ଭୋଟ ଗ୍ରହଣ କେନ୍ଦ୍ର କରାଯାଇଥିଲା।...

ଚାଉଳିଆଗଞ୍ଜ ପୂଜା କମିଟି : ଦଶମୀରେ ହୁଏ ଦହି ପଖାଳ

କଟକ ଅଫିସ,୧୬ା୯ : ଷୋଡ଼ଶ ଉପଚାରରେ ହୁଏ ଜନଗହଳି। କେବଳ ଗୋଟିଏ ଦିନ ନୁହେଁ, ସମ୍ପୂର୍ଣ୍ଣ ଷୋଡ଼ଶ ଉପଚାରରେ ଏଠାରେ ଜନଗହଳି ହୁଏ। ଚଳିତଥର ଷୋଡ଼ଶ...

ଢେଙ୍କାରେ ପହଞ୍ଚିଲେ ୭ ପ୍ରବାସୀ ଓଡ଼ିଆ

ହାଟଡିହୀ,୫।୫(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ ଢେଙ୍କା ପଞ୍ଚାୟତରେ ୭ ପ୍ରବାସୀ ଓଡ଼ିଆ ସୋମବାର ବିଳମ୍ବିତ ରାତିରେ ପହଞ୍ଚିଛନ୍ତ। ଏମାନେ ସୁରଟରୁ ନିଜ ଖର୍ଚ୍ଚରେ ବାଲେଶ୍ୱର...

ଅନୁଗୋଳ ଜିଲାର ୮୫ଟି କେନ୍ଦ୍ରରେ ମାଟ୍ରିକ୍‌ ପରୀକ୍ଷା ଦେଲେ ୧୭,୫୧୩ ଛାତ୍ରୀଛାତ୍ର

ଅନୁଗୋଳ ଅଫିସ, ୧୯।୨: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ବୁଧବାରଠାରୁ ଆରମ୍ଭ ହୋଇଛି। ଚଳିତ ବର୍ଷ ଅନୁଗୋଳ ଜିଲାର ୮୫ଟି ପରୀକ୍ଷା...

ରାସ୍ତାକୁ ପଙ୍କମାଟି ଖସି ଯାତାୟାତରେ ଅସୁବିଧା

ପଟ୍ଟାମୁଣ୍ଡାଇ,୧୦।୭(ସ୍ବ.ପ୍ର.): କେନ୍ଦ୍ରାପଡା ଜିଲାର ପଟ୍ଟାମୁଣ୍ଡାଇ ଉତିକଣ ବନ୍ୟା ନିରୋଧକ ପୁରୁଣା ପଟ୍ଟାମୁଣ୍ଡାଇ-ରାଜନଗର ପୂର୍ତ୍ତ ବିଭାଗ ରାସ୍ତାର ଅଳଭାଠାରୁ ମଦନପୁର ମଧ୍ୟ ଦେଇ ରାଜନଗର ପର୍ଯ୍ୟନ୍ତ ରାସ୍ତା...

ତାଲୁକସ୍ତରୀୟ ଆଇନ ସଚେତନତା ଶିବିର

ସିନାପାଲି,୨୭।୯(ଡି.ଏନ.ଏ.)-ନୂଆପଡ଼ା ଜିଲା ସିନାପାଲି ବ୍ଲକ ଅନ୍ତର୍ଗତ ଜି.ମେ. ମହାବିଦ୍ୟାଳୟ ପରିସରରେ ଗୁରୁବାର ଏକ ତାଲୁକସ୍ତରୀୟ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ସିନାପାଲିସ୍ଥିତ ଆଇନ...

ମାତିଲେ ସାଇବର ଠକ

ଅନୁଗୋଳ ଅଫିସ,୩୧।୧୦: ଅନୁଗୋଳ ଜିଲାରେ ପୁଣି ମାତିଛନ୍ତି ସାଇବର ଠକ। ସେମାନଙ୍କ ଶିକାର ହୋଇଛନ୍ତି ଜଣେ କେନ୍ଦ୍ର ସରକାରଙ୍କ କର୍ମଚାରୀ ଏବଂ ଅନ୍ୟ ଜଣେ ମହିଳା। କ୍ରେଡିଟ୍‌...

Advertisement
Archives

Model This Week