ବ୍ରହ୍ମପୁର,୧୬ା୧୨(ସୁବାସଚନ୍ଦ୍ର ପାଢ଼ୀ):ଗୋଷାଣି ନୂଆଗାଁ ଥାନା ଅନ୍ତର୍ଗତ ହିଲପାଟଣାରେ ରହୁଥିବା କ୍ଷୀର ବ୍ୟବସାୟୀ ଲମ୍ୱୋଦର ମୁନି ହତ୍ୟା ମାମଲାର ବିଚାର ଏବେ ବ୍ରହ୍ମପୁର ଅତିରିକ୍ତ ଜିଲା ଜଜ୍-୩ ବିବସ୍ୱତ ଗୌତମଙ୍କ କୋର୍ଟରେ ଚାଲୁ ରହିଛି। ଉକ୍ତ ମାମଲାରେ ଉଭୟ ସରକାର ଏବଂ ପ୍ରତିପକ୍ଷ ଓକିଲଙ୍କ ପକ୍ଷରୁ ସମସ୍ତ ଯୁକ୍ତି ଉପସ୍ଥାପନ ହୋଇସାରିଛି। ଜଜ୍ ଆସନ୍ତା ୨୩ ତାରିଖରେ ମାମଲାର ଚୂଡାନ୍ତ ରାୟ ପ୍ରକାଶ ପାଇଁ ଦିନ ଧାର୍ଯ୍ୟ କରିଥିବା କୋର୍ଟ ସୂତ୍ରରୁ ସୂଚନା ମିଳିଛି। ମାମଲାରେ ଗିରଫ ପରଠାରୁ ବ୍ରହ୍ମପୁର ମଣ୍ଡଳ କାରାଗାରରେ ଥିବା ୪ ଅଭିଯୁକ୍ତ ଓ ଢେଙ୍କାନାଳ ଜେଲରେ ଥିବା ଜଣେ ଅଭିଯୁକ୍ତଙ୍କୁ ଭିଡିଓ କନଫରେନ୍ସ ମାଧ୍ୟମରେ ହାଜର କରାଯାଇଥିଲା।
୨୦୨୦ ଜୁନ ୧୨ ତାରିଖ ରାତିରେ ବ୍ୟବସାୟୀ ଲମ୍ୱୋଦରଙ୍କୁ ହିଲପାଟଣା ସ୍ଥିତ ତାଙ୍କ କ୍ଷୀର ଗୋଦାମ ଭିତରେ ହତ୍ୟା କରାଯାଇଥିଲା। ଲୁଟ ଉଦ୍ଦେଶ୍ୟରେ କେତେଜଣ ଦୁର୍ୱୃତ୍ତ ଗୋଦାମ ଭିତରେ ପଶିଥିଲେ। ଶବ୍ଦ ଶୁଣି ଲମ୍ୱୋଦର ନିଦରୁ ଉଠି ପଡିଥିବା ବେଳେ ଲୁଟେରାମାନେ ଧରାପଡିିବା ଭୟରେ ତାଙ୍କୁ ହତ୍ୟା କରିଥିଲେ ବୋଲି ପୋଲିସ ତଦନ୍ତରୁ ସ୍ପଷ୍ଟ ହୋଇଥିଲା।
ଏ ନେଇ ପୋଲିସ ଏକ ମାମଲା(ନଂ.୮୭/୨୦) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ପୋଲିସ ପର୍ଯ୍ୟାୟକ୍ରମେ ଅଭିଯୁକ୍ତ ରୂପେଶ ପାଢ଼ୀ, ଶ୍ରୀନୁ ରେଡ୍ଡୀ, ରଞ୍ଜିତ କୁମାର ସାହୁ ଏବଂ ଶିବ ମହାରଣାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ବର୍ତ୍ତମାନ ସେମାନେ ବ୍ରହ୍ମପୁର ମଣ୍ଡଳ କାରାଗାରରେ ବନ୍ଦୀ ଭାବେ ଅଛନ୍ତି। ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ଶଙ୍କର ସାହୁ ଫେରାର ଥିବା ବେଳେ ଢେଙ୍କାନାଳରେ ଏକ ଡକାୟତି ମାମଲାରେ ଜେଲ ଯାଇଥିଲେ। ବ୍ରହ୍ମପୁର ପୋଲିସ ତାଙ୍କୁ ରିମାଣ୍ଡରେ ଆଣି ଏସଡିଜେଏମ କୋର୍ଟରେ ହାଜର କରି ଲମ୍ୱୋଦର ହତ୍ୟା ମାମଲାରେ ଜଡିତ କରିଥିଲା। ସେ ବର୍ତ୍ତମାନ ଢେଙ୍କାନାଳ ଜେଲରେ ଅଛନ୍ତି।


