ମିଳିଲାନି ଦ୍ୱିତୀୟ କିସ୍ତି ଟଙ୍କା: ଆଜବେଷ୍ଟସ ପକାଇଲେ ଇନ୍ଦିରାଆବାସ ହିତାଧିକାରୀ

ଲାଠୋର, ୩୦ା୧୦ (ଡି.ଏନ.ଏ.)
ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ମାଲପଡ଼ା ପଞ୍ଚାୟତ ଅନ୍ତର୍ଗତ ଫୁଲଝର ଗ୍ରାମର ରୁକୁଣୀ ବିଭାର। ସ୍ବାମୀ ଲକ୍ଷ୍ମଣ ବିଭାର, ଦୁଇ ଝିଅ ଅହଲ୍ୟା, ଜ୍ୟୋତ୍ସ୍ନା ଓ ଦୁଇ ପୁଅ ରମେଶ ଏବଂ ଯଶୋବନ୍ତଙ୍କୁୁ ନେଇ ତାଙ୍କ ପରିବାର। ଏସ୍‌ଇସିସି ତାଲିକାରେ ତାଙ୍କ ପରିବାରର ନାମ ଅନ୍ତର୍ଭୁକ୍ତ ଥିବାରୁ ରୁକୁଣୀଙ୍କୁ ଇନ୍ଦିରା ଆବାସ ଯୋଜନାରେ ସାମିଲ କରାଯାଇ ଖପ୍ରାଖୋଲ ପଞ୍ଚାୟତ ସମିତ ପକ୍ଷରୁ ତା୨୬ା୧୨ା୨୦୧୪ରିଖରେ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା। ପ୍ରକଳ୍ପର ଅଟକଳ ଥିଲା ୭୫ ହଜାର ଟଙ୍କା। ବାସଗୃହ ନିର୍ମାଣ ପାଇଁ ପ୍ରଥମ କିସ୍ତିରେ ୧୫ ହଜାର ଟଙ୍କା ମଞ୍ଜୁର କରାଗଲା। ପୈତୃକ ଘରଭାଙ୍ଗି ବାସଗୃହ ନିର୍ମାଣ କାମ ଆରମ୍ଭ କରି ଛାତ ଲେଭଲ ପର୍ଯ୍ୟନ୍ତ କରିଥିଲେ। ଦ୍ୱିତୀୟ କିସ୍ତି ପାଇଁ ବାରମ୍ବାର ବ୍ଲକ କାର୍ଯ୍ୟାଳୟକୁ ଧାଇଁ ସେ ନୟାନ୍ତ ହୋଇଥିଲେ ବି ତାହା ମିଳିଲା ନାହିଁ। ଏହି ସମୟ ମଧ୍ୟରେ ଲକ୍ଷ୍ମଣ ରୋଗାଗ୍ରସ୍ତ ହୋଇ ତା୧୮ା୨ା୨୦୧୯ ରିଖରେ ମୃତ୍ୟୁବରଣ କଲେ। ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତିଙ୍କ ମୃତ୍ୟୁ ପରେ ଆର୍ଥିକ ଦୁର୍ଗତି ମଧ୍ୟକୁ ଟାଣି ହୋଇଗଲା ଏହି ଗରିବ ପରିବାର। ଦୁଇଓଳି ଖାଇବା ଯୋଗାଡ କରିବା କଷ୍ଟକର ହେଉଥିବା ବେଳେ ଘର କାମ କରିବା ସମ୍ଭବ ହେଲାନାହିଁ। ତେଣୁ ଲୋକଙ୍କଠାରୁ ଧାରକରଜ କରି ଅର୍ଦ୍ଧନିର୍ମିତ ଅବସ୍ଥାରେ ପଡି ରହିଥିବା ବାସଗୃହରେ ଆଜବେଷ୍ଟସ୍‌ ପକାଇ କୌଣସି ମତେ ପରିବାରବର୍ଗ ମୁଣ୍ଡ ଗୁଞ୍ଜିଛନ୍ତି। ଲକ୍ଷ୍ମଣଙ୍କ ମୃତ୍ୟୁ ପରେ ରୁକୁଣୀ ପରିବାର ମଙ୍ଗଳ ଯୋଜନାରେ ସାମିଲ କରିବା ପାଇଁ ଆବଶ୍ୟକ କାଗଜ ପତ୍ର ବ୍ଳକ କାର୍ଯ୍ୟାଳୟରେ ଗତ ମାର୍ଚ୍ଚ ୨୦୧୯ରେ ଦାଖଲ କରିଥିଲେ। ହେଲେ ଆଜି ଯାଏ ତାଙ୍କୁ ଯୋଜନାରେ ସାମିଲ କରି ଆର୍ଥିକ ସହାୟତା ଯୋଗାଇ ଦିଆଯାଇ ନାହିଁ। ପଞ୍ଚାୟତରୁ ମିଳୁଥିବା ୨୫କେଜି ଚାଉଳ ଏବଂ ୫ଶହ ଟଙ୍କା ଭତ୍ତାରେ ରୁକୁଣୀ ଘର ଚଳାଉଛନ୍ତି। ଏଥିପ୍ରତି ବ୍ଲକ ପ୍ରଶାସନ ଦୃଷ୍ଟି ଦେଇ ସମ୍ପୃକ୍ତ ପରିବାରକୁ ଆବଶ୍ୟକ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି। ଏ ନେଇ ବିଡିଓ ତରଣୀ ସୁନାଙ୍କୁ ପଚାରିବାରୁ ଏହା ୬ବର୍ଷର ପୁରୁଣା କେସ୍‌। ହିତାଧିକାରୀ ସମୟାନୁସାରେ କାମ ସାରି ନ ଥିବାରୁ ଟଙ୍କା ଫେରି ଯାଇଥିବ। ତେଣୁ ପ୍ରଥମ କିସ୍ତି ବାବଦ ୧୫ହଜାର ଟଙ୍କା ଫେରସ୍ତ ଦେଲେ ନୂତନ ଆବାସ ଯୋଜନାର ଘର ରୁକୁଣୀଙ୍କୁ ଯୋଗାଇ ଦିଆଯିବ। ସେହିପରି ପରିବାର ମଙ୍ଗଳ ଯୋଜନା ବାବଦକୁ ପାଇଥିବା ଟଙ୍କା ସମ୍ପର୍କରେ ରୁକୁଣୀ ତାଙ୍କୁ ଭେଟି ଜଣାଇଲେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ସେ କହିଥିଲେ।