କ୍ରେନ ତଳେ ଚାପି ହୋଇ ଗଞ୍ଜାମର ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ

ଗଞ୍ଜାମ,୨୯।୯(ଅନାଥ ତରାଇ): ପେଟ ପାଇଁ ଆନ୍ଧ୍ରପ୍ରଦେଶର ତିରୁପତି ଯାଇଥିବା ଗଞ୍ଜାମ ଜିଲାର ଜଣେ ପ୍ରବାସୀ ଶ୍ରମିକଙ୍କର ଏକ ଅଭାବନୀୟ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତ ଗୋଖରକୁଦା ଗାଁର ରାମା ରାଓ (୫୪) କାମ କରୁଥିବା ସମୟରେ ଏକ କ୍ରେନ ତଳେ ଚାପି ହୋଇ ପ୍ରାଣ ହରାଇଛନ୍ତି।

ପ୍ରାୟ ଛଅ ମାସ ପୂର୍ୱେ ରାମା ରାଓ ଏବଂ ତାଙ୍କ ସ୍ତ୍ରୀ କରଲାମ୍ମା ଜଣେ ଠିକାଦାରଙ୍କ ସହାୟତାରେ ରୋଜଗାର ଆଶାରେ ତିରୁପତି ଯାଇଥିଲେ। ମଙ୍ଗଳବାର ଦିନ ନିୟମିତ କାମ କରୁଥିବା ବେଳେ ଏହି ଦୁର୍ଘଟଣାଟି ଘଟିଥିବା ପରିବାରବର୍ଗଙ୍କ ପକ୍ଷରୁ ସୂଚନା ମିଳିଛି।

ମୃଦେହ ବ୍ୟବଚ୍ଛେଦ ପ୍ରକ୍ରିୟା ଶେଷ ହେବା ପରେ ମୃତଦେହକୁ ଜନ୍ମମାଟି ଗାଁକୁ ଅଣାଯିବ ବୋଲି ଜଣାପଡ଼ିଛି। ଏହି ଘଟଣା ସମ୍ପର୍କରେ ଜିଲା ଶ୍ରମ ଅଧିକାରୀ ବର୍ଷା ଜେନା ପ୍ରଥମେ ଅବଗତ ନ ଥିବା କହିବା ସହ ପରିବାରବର୍ଗଙ୍କ ସହ ଯୋଗାଯୋଗ କରାଯାଇ ନିୟମାନୁସାରେ ସମସ୍ତ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଅନ୍ୟପକ୍ଷରେ, ଶ୍ରମିକମାନଙ୍କୁ ନେଇଥିବା ଠିକାଦାରଙ୍କର ଶ୍ରମ କାର୍ଯ୍ୟାଳୟରେ କୌଣସି ପଞ୍ଜିକରଣ ନଥିବା ସାମ୍ନାକୁ ଆସିଛି। ଏଭଳି ବିନା ପଞ୍ଜିକରଣରେ ଶ୍ରମିକ ଚାଲାଣ ଉପରେ ପ୍ରଶାସନ ତୁରନ୍ତ କଡ଼ା ରୋକ ଲଗାଇବାକୁ ସ୍ଥାନୀୟ ଅଞ୍ଚଳରେ ଦୃଢ଼ ଦାବି ହୋଇଛି।

Share