ପ୍ରବାସୀ ଭାରତୀୟ ଦିବସ: ଓଡ଼ିଆଙ୍କ ପାଇଁ ସଂକଳ୍ପର ଦିବସ

ଏଥର ଓଡ଼ିଶାରେ ଅନୁଷ୍ଠିତ ହେଉଛି ପ୍ରବାସୀ ଭାରତୀୟ ଦିବସ। ଭାରତ ସରକାରଙ୍କ ବିଦେଶ ମନ୍ତ୍ରଣାଳୟର ଏହି ମହତ୍ୱାକାଂକ୍ଷୀ କାର୍ଯ୍ୟର ଉଦ୍ଦେଶ୍ୟ ବିଭିନ୍ନ ଦେଶରେ ରହୁଥିବା ଭାରତୀୟମାନଙ୍କୁ ଏକ ସୂତ୍ରରେ ବାନ୍ଧି ସମ୍ପର୍କ ସ୍ଥାପନ କରିବା। ପରସ୍ପର ସହ ଆଲୋଚନା ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ମଞ୍ଚ।
ପ୍ରବାସୀମାନଙ୍କର ଭାରତ ସରକାରଙ୍କ ସହ ସମ୍ପର୍କ, ବିଦେଶ ମାଟିରେ ରହୁଥିବା ଭାରତୀୟ ଓ ଭାରତୀୟ ବଂଶୋଦ୍ଭବଙ୍କୁ ନିଜ ସଂସ୍କୃତି, ପରମ୍ପରା, ଐତିହ୍ୟ ତଥା ନିଜ ପୂର୍ବ ପୁରୁଷମାନଙ୍କର ସ୍ମୃତି ସହ ଯୋଡ଼ିବା ପାଇଁ ଏହା ଏକ ଅନନ୍ୟ କାର୍ଯ୍ୟକ୍ରମ।
ଭାବାତ୍ମକ ଆବେଗର ମିଳନ ସହ ପ୍ରବାସୀମାନଙ୍କୁ ସାରା ଦେଶ ଓ ସେମାନଙ୍କର ମୂଳ ରାଜ୍ୟର ସ୍ଥିତି ଜାଣିବା ସହ ସେମାନଙ୍କର ଅନୁଭବ ଓ ପ୍ରତିଷ୍ଠାର ଲାଭ ଦେଶକୁ ପହଞ୍ଚାଇବାରେ ମଧ୍ୟ ଅନେକ ସମ୍ଭାବନା ଅତୀତରେ ସୃଷ୍ଟି କରିଛି ପ୍ରବାସୀ ଭାରତୀୟ ଦିବସ।
ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବରେ ସାଢ଼େ ୪ କୋଟି ଓଡ଼ିଆଙ୍କ ତରଫରୁ ମୁଁ ଦେଶର ଯଶସ୍ବୀ ପ୍ରଧାନମନ୍ତ୍ରୀ ତଥା ବିଶ୍ୱର ଅଦ୍ୱିତୀୟ ଜନନାୟକ ନରେନ୍ଦ୍ର ମୋଦିଙ୍କୁ ଓଡ଼ିଶାକୁ ଏହାର ଆୟୋଜନର ସୁଯୋଗ ଦେଇଥିବାରୁ ଅଶେଷ ଅଶେଷ କୃତଜ୍ଞତା ଜ୍ଞାପନ କରୁଛି।
ଓଡ଼ିଶାରେ କାହିଁକି ପୂରା ପୂର୍ବ ଭାରତରେ ଭାରତ ସରକାରଙ୍କର ଏଭଳି ବିଶାଳ ଓ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ପ୍ରଥମ ଥର ପାଇଁ ଅନୁଷ୍ଠିତ ହେବାକୁ ଯାଉଛି। ଏହି କାର୍ଯ୍ୟକ୍ରମର ଆୟୋଜନ କେବଳ ଓଡ଼ିଶାକୁ ଲାଭ ଦେଇଦେବ କହିବାକୁ ଚାହୁଁନି। କିନ୍ତୁ ଏହି ଆୟୋଜନ ପଛର ଯେଉଁ ବିଶାଳ ଲକ୍ଷ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିରେ ଅଛି ଯଦି ଆମେ ସାଢ଼େ ୪ କୋଟି ଓଡ଼ିଆ ହୃଦୟଙ୍ଗମ କରିବା ଓ ନିଜକୁ ବିକାଶର ମଞ୍ଚରେ ସାମିଲ କରିବା ପାଇଁ ଉଦ୍ୟମ କରିବା ତେବେ ଆମେ ରାଜ୍ୟକୁ ପ୍ରଗତିର ଶୀର୍ଷକୁ ନେଇପାରିବା ଏଥିରେ ମୋର ତିଳେମାତ୍ର ସନ୍ଦେହ ନାହିଁ।
ଦିଲ୍ଲୀରେ ମୋଦିଜୀଙ୍କର ହେଉ ବା ଓଡ଼ିଶାରେ ତାଙ୍କ ମାର୍ଗ ଦର୍ଶନରେ ଚାଲିଥିବା ସରକାର ସବୁବେଳେ ଲୋକଙ୍କ ସରକାର। ମୋଦିଜୀ ଯେତେବେଳେ ଓଡ଼ିଶାକୁ ପ୍ରବାସୀ ଭାରତୀୟ ଦିବସର ଭବ୍ୟ ଆୟୋଜନର ଦାୟିତ୍ୱ ଦେଇଛନ୍ତି ତାଙ୍କ ନେତୃତ୍ୱରେ ଯଦି ସାଢ଼େ ୪କୋଟି ଓଡ଼ିଆ ପାଦେ ପାଦେ ଆଗକୁ ଚାଲିବେ ତାହାହେଲେ ଓଡ଼ିଶା ସାଢ଼େ ୪ କୋଟି ପାଦ ଆଗକୁ ଯିବ। କହିବାର ଉଦ୍ଦେଶ୍ୟ ଆମେ ଓଡ଼ିଶାବାସୀ ଓଡ଼ିଶାର ଭାଗ୍ୟ ନିର୍ଦ୍ଧାରକ। ଯଦି ଏ ଜାତି ଆଗକୁ ବଢ଼ିବା ପାଇଁ ଦୃଢ଼ ନିଶ୍ଚିତ ହୁଏ ଏହାର ପ୍ରଗତିକୁ କେହି ରୋକି ପାରିବେ ନାହିଁ।
ପ୍ରବାସୀ ଭାରତୀୟ ଦିବସ ଏକ ପ୍ରତୀକାତ୍ମକ କାର୍ଯ୍ୟକ୍ରମ ହୋଇଥାଇପାରେ। ମାତ୍ର ଏହାର ଦର୍ଶନ ଆମେ ଓଡ଼ିଆଙ୍କୁ ହୃଦୟଙ୍ଗମ କରିବାକୁ ପଡ଼ିବ ଓ ଓଡ଼ିଶାକୁ ପ୍ରଗତିର ଶୀର୍ଷରେ ପହଞ୍ଚାଇବା ପାଇଁ ଦୃଢ଼ ସଂକଳ୍ପ କରିବାକୁ ପଡ଼ିବ।
୬ ମାସ ପୂର୍ବରୁ ନିର୍ବାଚନ ପ୍ରକ୍ରିୟାରେ ଓ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେବାପରେ ମୁଁ ଯେତେବେଳେ ନୂଆ ଓଡ଼ିଶାର ନୂଆ ପିଢ଼ି ସହ ମିଶିଛି ସେମାନଙ୍କ ଆଖିରେ ନିଜେ ବଡ଼ ହେବାର ଓ ଆମ ମାତୃଭୂମିକୁ ପ୍ରଗତିର ଶୀର୍ଷରେ ପହଞ୍ଚାଇବାର ଶପଥର ଝଲକକୁ ମର୍ମେ ମର୍ମେ ଅନୁଭବ କରିଛି।
ମୋର ପ୍ରିୟ ରାଜ୍ୟବାସୀ, ଓଡ଼ିଶା ଧନୀ ଓ ଓଡ଼ିଆମାନେ ଗରିବ ଏହା କହି ଆମେ କେତେଦିନ ଶାନ୍ତିରେ ଶୋଇପାରିବା। ବୋଧହୁଏ ମୋଦିଜୀଙ୍କ ଓଡ଼ିଶାକୁ ପ୍ରବାସୀ କାର୍ଯ୍ୟକ୍ରମ ଆୟୋଜନର ବ୍ୟବସ୍ଥା ଆମକୁ ସାଢ଼େ ୪ କୋଟିି ଓଡ଼ିଆଙ୍କୁ ଆତ୍ମସମୀକ୍ଷା ପାଇଁ ସୁଯୋଗ ସୃଷ୍ଟି କରିଛି।
ଓଡ଼ିଶା ମାଟିତଳେ ମହାପ୍ରଭୁ ଶ୍ରୀଜଗନ୍ନାଥ ଅମାପ ଖଣିଜ ସମ୍ପଦ ଦେଇଛନ୍ତି। ଉଚ୍ଚମାନର ଲୁହାପଥର, ବକ୍ସାଇଟ୍‌, କ୍ରୋମାଇଟ୍‌, ମାଙ୍ଗାନିଜ, କୋଇଲା, ଚୂନପଥର, ଲାଇମଷ୍ଟୋନ୍‌, ଡୋଲମାଇଟ୍‌, ଗ୍ରାଫାଇଟ୍‌ର ଅମାପ ଭଣ୍ଡାର ଦେଇଛନ୍ତି।
ଆମର ନଦନଦୀ, ଜଳଶକ୍ତିରେ ଓଡ଼ିଶାକୁ ବେଶ୍‌ ସମୃଦ୍ଧ କରିଛି। ୪୮୦ କିଲୋମିଟର ବ୍ୟାପୀ ସୁଦୀର୍ଘ ବେଳାଭୂମି ଆମର ଅନନ୍ୟ ସମ୍ପଦ। ନୀଳ ଅର୍ଥନୀତିର ବଡ଼ ସମ୍ଭାବନାର ସୁଯୋଗ ଆମକୁ ଦେଇଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ। ଓଡ଼ିଶା ପାଖରେ ଅଛି ଅମାପ ଜଙ୍ଗଲ ସମ୍ପଦ। ଜଙ୍ଗଲ ସହିତ ଜଡ଼ିତ ଆଦିବାସୀ ଓ ବନଜାତ ଦ୍ରବ୍ୟ ଏବଂ ଜଙ୍ଗଲ ସହିତ ଜଡ଼ିତ ଆର୍ଥିକ ବିକାଶର ଅନେକ ଦିଗ ବିକାଶର ବାଟରେ ଆମ ରାଜ୍ୟକୁ ଆଗେଇ ନେବା ପାଇଁ ଅନେକ ସୁଯୋଗ ସୃଷ୍ଟି କରିଛି।
ଓଡ଼ିଶା ଆଜି ଦିନରେ ଭୌତିକ ଦୃଷ୍ଟିରୁ ଦେଶର ଅନ୍ୟ ରାଜ୍ୟମାନଙ୍କ ତୁଳନାରେ ହୁଏତ ପଛରେ ଥାଇପାରେ। ମାତ୍ର ଆମ ଯୁବପିଢ଼ିର ବୌଦ୍ଧିକ ଶକ୍ତି ଦେଶର କୌଣସି ବି ରାଜ୍ୟଠାରୁ ପଛରେ ନୁହେଁ ଏକଥା ମୁଁ ଦୃଢ଼ତାର ସହିତ କହିପାରିବି। ଭାରତର ବଡ଼ ବୁଦ୍ଧି ଆଧାରିତ ସୂଚନା ଓ ପ୍ରଯୁକ୍ତି ବା ଆଇଟି ଶିଳ୍ପରେ ଓଡ଼ିଆ ନୂଆ ପିଢ଼ିର ଯୋଗଦାନକୁ ଯେ କେହି ବି ସ୍ବୀକାର କରିବ।
ଓଡ଼ିଆ ଜାତି ପରିଶ୍ରମୀ। ଏକଥା ସତ ଆମେ ଆମ ଲୋକମାନଙ୍କୁ ଆମ ମାଟିରେ ରୋଜଗାରର ସୁଯୋଗ ଯୋଗାଇ ଦେଇ ପାରି ନାହୁଁ। ମାତ୍ର ଆମ ଲୋକମାନଙ୍କର ଝାଳରେ ଦେଶର ପଶ୍ଚିମ ଓ ଦକ୍ଷିଣ ପ୍ରଦେଶମାନେ ଯେ, ଆର୍ଥିକ ପ୍ରଗତିର ଶୀର୍ଷକୁ ଯିବା ପାଇଁ ସଫଳ ହୋଇଛନ୍ତି ଏଥିରେ କେହି ଦ୍ୱିମତ ହେବେ ନାହିଁ।
ଏସବୁ ପ୍ରସଙ୍ଗ ଉଠାଇବା ପଛରେ ମୋ ମନରେ ଏକ ଆବେଗ ଅଛି। ଆମେ ଆମର ଅପାର ସମ୍ଭାବନାକୁ ଠିକ୍‌ ଉପଯୋଗ ନ କରିବା କାରଣରୁ ଆମେ ସାରା ଦେଶରେ ଅନ୍ୟ ରାଜ୍ୟଗୁଡ଼ିକ ତୁଳନାରେ ପ୍ରଗତିର ମାପଦଣ୍ଡରେ ପଛରେ ପଡ଼ିଛେ। କାହାକୁ ଦୋଷ ଦେଇ ନିଜ ଦାୟିତ୍ୱରୁ ହଟିଯିବା ମୋ ଭଳି ଗରିବ ପୃଷ୍ଠଭୂମିରୁ ସଂଘର୍ଷର ରାସ୍ତା ଆପଣାଇ ଏହି ସ୍ଥାନରେ ପହଞ୍ଚତ୍ଥିବା ମେହନତି ମଣିଷ ପକ୍ଷରେ ସମ୍ଭବ ନୁହେଁ।
ମୋଦିଜୀ ଦେଇଥିବା ପ୍ରବାସୀ ଭାରତୀୟ ଦିବସର ଆୟୋଜନର ସୁଯୋଗ ଭିତରେ ଓଡ଼ିଶାର ଭାଗ୍ୟ ପରିବର୍ତ୍ତନର ସ୍ବପ୍ନ ମୁଁ ଦେଖୁଛି। ବର୍ତ୍ତମାନ ଓଡ଼ିଶାର ସ୍ଥିତିର ଆଲୋଚନା କରିବାର ଇଚ୍ଛା ଥିଲେ ମଧ୍ୟ ସାଙ୍କେତିକ ଭାବରେ ଗୋଟିଏ ଆବେଗପୂର୍ଣ୍ଣ ବିଷୟକୁ ମୋର ପ୍ରିୟ ଓଡ଼ିଶାବାସୀଙ୍କ ସାମ୍ନାରେ ରଖିବାକୁ ଚାହୁଁଛି।
ତଥ୍ୟ କହୁଛି, ରାଜ୍ୟର ଗର୍ଭବତୀ ମହିଳାଙ୍କ ମଧ୍ୟରେ ୬୨ ପ୍ରତିଶତ ରକ୍ତହୀନତାର ଶିକାର। ଏହି ହାର ରାଷ୍ଟ୍ରୀୟ ହାରଠାରୁ ୧୦ ପ୍ରତିଶତ ଅଧିକ। ତଥ୍ୟ କହୁଛି ଗତ ୫ ବର୍ଷରେ ରକ୍ତହୀନତାର ଶିକାର ମହିଳାଙ୍କ ସଂଖ୍ୟା ଆମ ରାଜ୍ୟରେ ୧୪ ପ୍ରତିଶତରୁ ଅଧିକ ବୃଦ୍ଧି ହୋଇଛି। ୫ ବର୍ଷରୁ କମ୍‌ ଶିଶୁଙ୍କ ମଧ୍ୟରୁ ଅପେକ୍ଷିତ ଓଜନଠାରୁ ୩୦ ପ୍ରତିଶତ ଓଜନ କମ୍‌। ବୟସ ଅନୁସାରେ ଉଚ୍ଚତା ଓ ଉଚ୍ଚତା ଅନୁସାରେ ଓଜନର ମାପଦଣ୍ଡରେ ରାଷ୍ଟ୍ରୀୟ ହାରଠାରୁ ଓଡ଼ିଶା ବହୁ ପଛରେ। ଯଦି ନୂଆପିଢ଼ି ନିର୍ବଳୁଆ ହୁଏ ସଶକ୍ତ ଓଡ଼ିଶାର ଭାର କିଏ ବୋହିବ? ଓଡ଼ିଶା ପ୍ରଗତି କରିନି ବୋଲି କହୁନି, କିନ୍ତୁ ମାତୃ ମୃତ୍ୟୁ ହାର ଓ ଶିଶୁ ମୃତ୍ୟୁ ହାରରେ ରାଷ୍ଟ୍ରୀୟ ପରିସଂଖ୍ୟାନଠାରୁ ଓଡ଼ିଶା କାହିଁକି ପଛରେ ରହିବ ଏ ଚିନ୍ତିା ମୋତେ ବ୍ୟଥିତ କରୁଛି।
ଭଗବାନ ଆମକୁ ଖଣି ଦେଇଛନ୍ତି। ଗତ କିଛିବର୍ଷରେ ମୋଦି ସରକାରଙ୍କର ଖଣି ଓ ଖଣି ଆଧାରିତ ନୀତିରେ ପରିବର୍ତ୍ତନ ଓ ଖଣିଥିବା ରାଜ୍ୟକୁ ଏହାର ସବୁ ଫାଇଦା ଦେବା କାରଣରୁ ଓଡ଼ିଶାର ରୋଜଗାରର ଆକାରକୁ ବହୁତ ବଢ଼ାଇଛି। ସରକାରଙ୍କର ବଜେଟ୍‌ ସାଇଜ ବଡ଼ ହୋଇଛି ସତ କିନ୍ତୁ ଓଡ଼ିଆ ଲୋକଙ୍କର ରୋଜଗାର ଯେତିକି ବଢ଼ିବା କଥା ତାହା ବଢ଼ି ପାରିନାହିଁ।
ଆମକୁ ଲୋକଙ୍କ ପାଖରେ ରୋଜଗାର ପହଞ୍ଚାଇବାକୁ ପଡ଼ିବ। ଖଣି ଆଧାରିତ ରାଜ୍ୟ ରାଜସ୍ବ ତ ମିଳିବ କିନ୍ତୁ ଆମକୁ ଖଣି ବାହାରେ ପୁରୁଷାର୍ଥ କରିବାକୁ ପଡ଼ିବ। କୃଷି, କୃଷି ଆଧାରିତ ଆନୁଷଙ୍ଗିକ କ୍ଷେତ୍ର ଓ କୃଷି ଉତ୍ପାଦର ପ୍ରକ୍ରିୟାକରଣର ସମ୍ଭାବନାକୁ ଖୋଜିବାକୁ ପଡ଼ିବ। ଓଡ଼ିଆ ଲୋକଙ୍କୁ ଚାକିରିଆ ନୁହେଁ, ରୋଜଗାର ସୃଷ୍ଟି କରିବା ପାଇଁ ଉଦ୍ୟମୀ ହେବା ଲାଗି ମାନସିକ ସ୍ତରରେ ପ୍ରସ୍ତୁତ କରିବାକୁ ପଡ଼ିବ। ଶିଳ୍ପ, କ୍ଷୁଦ୍ର, ଲଘୁ ଉଦ୍ୟୋଗ ଏବଂ ଓଡ଼ିଶାର ପାରମ୍ପରିକ ଶିଳ୍ପ ଯଥା ବୟନଶିଳ୍ପ, ହସ୍ତକଳା ଆଦିକୁ ବିଶ୍ୱ ଦରବାରରେ ପହଞ୍ଚାଇବାର ବଡ଼ ଯୋଜନାକୁ କ୍ରିୟାନ୍ବିତ କରିବାକୁ ପଡ଼ିବ।
ଦେଶ ଏବେ ଅମୃତକାଳରେ। ୨୦୪୭ରେ ଆମ ଦେଶ ସ୍ବାଧୀନତାର ୧୦୦ ବର୍ଷ ପାଳନ କରିବ। ମାତ୍ର ଏହା ପୂର୍ବରୁ ୨୦୩୬ ମସିହାରେ ଓଡ଼ିଶା ଭାଷାଭିତ୍ତିକ ରାଜ୍ୟ ଭାବେ ସ୍ବତନ୍ତ୍ର ପ୍ରଦେଶ ଗଠନର ୧୦୦ ବର୍ଷ ପୂରଣ କରିବ। ଆମର ସଂକଳ୍ପ ଦେଶ ଯେତେବେଳେ ୧୦୦ ବର୍ଷ ପୂରଣ କରିବ ଦେଶକୁ ବିଶ୍ୱର ଏକ ନମ୍ବର ଅର୍ଥନୀତି କରିବାରେ ଓଡ଼ିଶା ଏକ ନିର୍ଣ୍ଣାୟକ ଭୂମିକା ନେବ। ସେଥିପାଇଁ ୨୦୩୬ ସୁଦ୍ଧା ଓଡ଼ିଶାକୁ ଖାଲି ଭାରତର ନୁହେଁ ବିଶ୍ୱର ଆର୍ଥିକ ଦୃଷ୍ଟିରୁ ଆଗୁଆ ଭୂଖଣ୍ଡ ଭାବେ ଗଢ଼ିତୋଳିବା ପାଇଁ ଆମକୁ ଯୋଜନାରେ ସଫଳ ହେବାକୁ ପଡ଼ିବ।
ଆମ ଆତ୍ମବିଶ୍ୱାସ ଆମର ଶକ୍ତି। ଆମ ରାଜାଙ୍କ ବିଜୟ ପାଇଁ କଳା ଧଳା ଘୋଡ଼ାରେ ଚଢ଼ି ଆମ ବଡ଼ଠାକୁର ଯୁଦ୍ଧ କ୍ଷେତ୍ରକୁ ଓହ୍ଲାଇବା ଓଡ଼ିଆଙ୍କ ଲୋକବିଶ୍ୱାସ। ଓଡ଼ିଆ ସାଧବପୁଅ ସାତ ଦରିଆ ତେର ନଈ ଡେଇଁ ସମୁଦ୍ରପଥରେ ବେପାର ବଣିଜ କରି ଆମ ରାଜ୍ୟକୁ ଧନଧାନ୍ୟରେ ପୂର୍ଣ୍ଣ କରିଥିଲା। ମୋର ବିଶ୍ୱାସ ଓଡ଼ିଆଙ୍କ ଆତ୍ମବିଶ୍ୱାସକୁ ଆହୁରି ଦୃଢ଼ କରି ଓଡ଼ିଶାକୁ ପ୍ରଗତିର ଶୀର୍ଷରେ ପହଞ୍ଚାଇବା ପାଇଁ ପ୍ରବାସୀ ଭାରତୀୟ ଦିବସ ଏକ ଉତ୍‌ପ୍ରେରକର ଭୂମିକା ନେବ।
ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗୀୟ ଅଟଳ ବିହାରୀ ବାଜପେୟୀଙ୍କଠାରୁ ଆଜିର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପର୍ଯ୍ୟନ୍ତ ଦେଶ ବିକାଶର ନୂଆ ଧାରାର ସୂତ୍ରପାତ କରିଛନ୍ତି। ବାଜପେୟିଜୀ ମହାତ୍ମା ଗାନ୍ଧୀଙ୍କ ଦକ୍ଷିଣ ଆଫ୍ରିକାରୁ ଭାରତକୁ ଫେରିବାର ଦିବସ ଜାନୁଆରୀ ୯, ୧୯୧୫ ଆଧାରରେ ଜାନୁଆରୀ ୯କୁ ପ୍ରବାସୀ ଭାରତୀୟ ଦିବସ ଭାବେ ପାଳନ କରିବାର ଶୁଭାରମ୍ଭ କରିଥିଲେ। ବାଜପେୟୀଙ୍କ ଧାରାକୁ ନରେନ୍ଦ୍ର ମୋଦି ନୂଆ ଦିଶା ଦେଇ ପ୍ରବାସୀ ଭାରତୀୟ ଓ ଭାରତୀୟ ବଂଶୋଦ୍ଭବମାନଙ୍କୁ ନିଜ ଦେଶ ସହିତ ଯୋଡ଼ି ବିକାଶ ଧାରାରେ ସାମିଲ କରିବା ପାଇଁ ନୂଆ ରାସ୍ତା କାଢ଼ିଛନ୍ତି।
ସାଢ଼େ ୪ କୋଟି ଓଡ଼ିଆଙ୍କୁ ମୋର ନିବେଦନ ଓଡ଼ିଶାରେ ଅନୁଷ୍ଠିତ ଏହି ନିର୍ଣ୍ଣାୟକ କାର୍ଯ୍ୟକ୍ରମରେ ସାମିଲ ହୁଅନ୍ତୁ। ଦେଶ ଓ ରାଜ୍ୟକୁ ବିକାଶର ଶୀର୍ଷକୁ ନେବା ପାଇଁ ଦୃଢ଼ ସଂକଳ୍ପ ନିଅନ୍ତୁ।
ମୁଖ୍ୟମନ୍ତ୍ରୀ, ଓଡ଼ିଶା


Enter your email to get our daily news in your inbox.

All Right Reserved By Dharitri.Com

T20 WC Opening Ceremony:ନୋରା ଫତେହିଙ୍କ ଡ୍ୟାନ୍ସ ସାଙ୍ଗକୁ ବାଦଶାହାଙ୍କ ଜଲଓ୍ବା! ଓପନିଂ ସେରିମନିରେ ଲାଗିବ ବଲିଉଡ ତଡକା

ନୂଆଦିଲ୍ଲୀ,୫।୨: T20 World Cup 2026 ଶନିବାର, ଫେବୃଆରୀ ୭ରେ ଆରମ୍ଭ ହେବ। ଟୁର୍ଣ୍ଣାମେଣ୍ଟର ପ୍ରଥମ ଦିନରେ ତିନୋଟି ମ୍ୟାଚ ଖେଳାଯିବ, ଯେଉଁଥିରେ ପାକିସ୍ତାନ ଏବଂ ନେଦରଲ୍ୟାଣ୍ଡ…

ସରୁନି ବିସ୍ଥାପିତଙ୍କ ଥଇଥାନ ଦୁଃଖ: ବଢ଼ୁଛି ଅସନ୍ତୋଷ

ମୋହନା,୫।୨(ମନ୍ମଥ ମିଶ୍ର) ଛେଳିଗଡ଼ ପ୍ରକଳ୍ପରେ କ୍ଷତିଗ୍ରସ୍ତ ହୋଇଥିବା ବିସ୍ଥାପିତଙ୍କ ଆଜି ଯାଏ ଥଇଥାନ ହୋଇପାରି ନାହିଁ। ୩ ଦଶନ୍ଧି ଧରି ଚାଲିଛି ବିସ୍ଥାପନ ପ୍ରକ୍ରିୟା। ଚାଷ ଓ…

ପାକିସ୍ତାନୀ-ବାଂଲାଦେଶୀ ଭାଇ ଭାଇ, 2026 T20 World Cup ପୂର୍ବରୁ ପାକିସ୍ତାନୀ କ୍ୟାପଟେନଙ୍କ ବୟନକୁ ନେଇ ବିବାଦ

ନୂଆଦିଲ୍ଲୀ,୫।୨: ପାକିସ୍ତାନ କ୍ରିକେଟ ଦଳର ଅଧିନାୟକ ସଲମାନ ଆଗା ICCକୁ ଉସୁକାଇବାକୁ ଚେଷ୍ଟା କରିଛନ୍ତି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ବାଂଲାଦେଶ କ୍ରିକେଟ ଦଳକୁ 2026 T20…

ଅଶ୍ବିନୀ ବୈଷ୍ଣବଙ୍କୁ ଓଡିଶାରେ ପୁରାଇ ଦେବୁନି..’: ରାଜ୍ୟସଭାରେ ଗର୍ଜିଲେ ମୁନ୍ନା ଖାଁ

ନୂଆଦିଲ୍ଲୀ,୫।୨: ରାଜ୍ୟସଭାରେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଟାର୍ଗେଟ କରି ଗର୍ଜିଛନ୍ତି ଏମପି ମୁନ୍ନା ଖାଁ। ନବରଙ୍ଗପୁର ଏବଂ ମାଲକାନଗିରି ଜିଲାକୁ ରେଳପଥ ସଂଯୋଗ ପାଇଁ କେନ୍ଦ୍ର ସରକାରଙ୍କ…

ନୂତନ ଉପନିବନ୍ଧନ କାର୍ଯ୍ୟାଳୟ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ: ଏଣିକି ଆଉ ହଇରାଣ ହେବେନି ଅଞ୍ଚଳବାସୀ

ତୁମୁଡିବନ୍ଧ,୫।୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧରେ ଅଭାସୀ ମାଧ୍ୟମରେ ଗୁରୁବାର ମୁଖ୍ୟମନ୍ତ୍ରୀ ତୁମୁଡିବନ୍ଧ ତହସିଲ କାଯ୍ୟଳୟ ପରିସରରେ ଉପନିବନ୍ଧନ କାର୍ଯ୍ୟାଳୟ ଉଦ୍‌ଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମଟିକୁ…

ଶନି ଦେବଙ୍କ ବିରଳ ସଂଯୋଗ; ବରବାଦ ହେବେ ନା ଧନ ପାଇବେ ଏହି ୩ ରାଶି!

ଶୁକ୍ରବାର, ଫେବୃଆରୀ 6, 2026 ରେ, ବୁଧ ଏବଂ ଶନି ପରସ୍ପର ପ୍ରତି 30 ଡିଗ୍ରୀ କୋଣରେ ଅବସ୍ଥିତ ହେବେ। ଏହା ଦ୍ୱିଦ୍ୱାଦଶ ଯୋଗ ସୃଷ୍ଟି କରିବ।…

ସ୍ପଷ୍ଟ କଲା ଭାରତ, ନଇଁବ ନାହିଁ ଦେଶ ରୁଷିଆରୁ କିଣିବ ତେଲ!

ନୂଆଦିଲ୍ଲୀ,୫।୨: ଭାରତ ଏବଂ ଆମେରିକା ମଧ୍ୟରେ ଏକ ବାଣିଜ୍ୟ ଚୁକ୍ତି ଉପରେ ସହମତ ହୋଇଛି। ଏହା ସହିତ, ଏକ ପ୍ରମୁଖ ପ୍ରଶ୍ନ ଉଠିଛି: ଭାରତ ରୁଷିଆରୁ ତେଲ…

ଖୋଲିଲା ‘ଲକ୍ଷ୍ମୀ ଭଣ୍ଡାର’, ମହିଳା-ଗିଗ ଓ୍ବାର୍କର୍ସଙ୍କୁ ବଡ଼ ଉପହାର ହେଲେ ମମତା

କୋଲକାତା,୫।୨: ଗୁରୁବାର ପଶ୍ଚିମବଙ୍ଗ ବିଧାନସଭାରେ ରାଜ୍ୟ ବଜେଟ ଉପସ୍ଥାପିତ ହୋଇଛି। ପଶ୍ଚିମବଙ୍ଗ ଅର୍ଥମନ୍ତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ୪.୦୬ ଲକ୍ଷ କୋଟି ଟଙ୍କାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri