ତେହେରାନ,୩।୬: ମଙ୍ଗଳବାର ରାତିରେ ଗଲ୍ଫ (ଖାଡ଼ି) ଅଞ୍ଚଳରେ ଉତ୍ତେଜନା ଆଉଥରେ ବୃଦ୍ଧି ପାଇଛି, ଯେତେବେଳେ ଇରାନ ଆମେରିକାର ସେନା ଘାଟିକୁ ଟାର୍ଗେଟ କରି କ୍ଷେପଣାସ୍ତ୍ର (ମିସାଇଲ) ଏବଂ ଡ୍ରୋନ ମାଡ଼ କରିଛି। ଇରାନ ଦାବି କରିଛି ଯେ, ପାରସ୍ୟ ଉପସାଗର, ହର୍ମୁଜ ଏବଂ କେଶ୍ମ ଦୀପ ଆଖପାଖରେ ଆମେରିକାର ଶତ୍ରୁତାପୂର୍ଣ୍ଣ ଗତିବିଧିର ଜବାବରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଇରାନର ଏହି ଆକ୍ରମଣରେ କୁଏତରେ ଥିବା ଅଲ ସଲେମ ଏୟାର ବେସ ଏବଂ ବହାରିନର ଇସା ଏୟାର ବେସକୁ ଟାର୍ଗେଟ କରାଯାଇଥିଲା। ଏହା ପରେ ସମଗ୍ର ଅଞ୍ଚଳରେ ସୁରକ୍ଷା ଆଲର୍ଟ ଜାରି କରାଯାଇଛି। କୁଏତ ସେନା ପକ୍ଷରୁ କୁହାଯାଇଛି ଯେ, ତାଙ୍କର ବାୟୁ ପ୍ରତିରକ୍ଷା ପ୍ରଣାଳୀ (ଏୟାର ଡିଫେନ୍ସ ସିଷ୍ଟମ) ଅନେକ ମିସାଇଲ ଏବଂ ଡ୍ରୋନକୁ ବାଟରେ ହିଁ ଖସାଇ ଦେଇଛି। ଅନ୍ୟପଟେ ବହାରିନର ଗୃହ ମନ୍ତ୍ରାଳୟ ସୂଚନା ଦେଇଛି ଯେ, ସମ୍ଭାବ୍ୟ ବିପଦକୁ ଦୃଷ୍ଟିରେ ରଖି ସତର୍କତା ସାଇରନ ବଜାଯାଇଥିଲା ଏବଂ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।
ଅନ୍ୟପଟେ ଆମେରିକା ସେନାର ସେଣ୍ଟ୍ରାଲ କମାଣ୍ଡ (CENTCOM) କହିଛି ଯେ, ସେମାନେ ଆତ୍ମରକ୍ଷା ପାଇଁ ଇରାନର କେଶ୍ମ ଦୀପ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଆମେରିକା ସେନା ଅନୁଯାୟୀ, ସେମାନଙ୍କର ସୈନ୍ୟବାହିନୀ ଇରାନର ଅନେକ ମିସାଇଲ ଏବଂ ଡ୍ରୋନ ଆକ୍ରମଣକୁ ବିଫଳ କରିଦେଇଛନ୍ତି। ଏହା ପୂର୍ବରୁ ଇରାନ ଗଣମାଧ୍ୟମ କେଶ୍ମ ଦୀପ ଆଖପାଖରେ ଭୟାବହ ବିସ୍ଫୋରଣ ହୋଇଥିବା ନେଇ ଖବର ପ୍ରକାଶ କରିଥିଲା। ଏହି ସମୟରେ ଆମେରିକା ଏବଂ ଇରାନ ମଧ୍ୟରେ ଜାରି ରହିଥିବା ଉତ୍ତେଜନା ସତ୍ତ୍ୱେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ, ଦୁଇ ଦେଶ ମଧ୍ୟରେ ଆଲୋଚନା ସମ୍ପୂର୍ଣ୍ଣ ବନ୍ଦ ହୋଇନାହିଁ। ଯୁଦ୍ଧ ଶେଷ କରିବା ପାଇଁ ଚାଲିଥିବା ଆଲୋଚନା ଅଟକି ଯାଇଥିବା ନେଇ ଆସୁଥିବା ଖବରକୁ ସେ ପ୍ରତ୍ୟାଖ୍ୟାନ କରିଛନ୍ତି। ଟ୍ରମ୍ପ କହିଛନ୍ତି ଯେ, ଆମେରିକା ଏବଂ ଇରାନ ମଧ୍ୟରେ କ୍ରମାଗତ ଭାବେ ଯୋଗାଯୋଗ ଜାରି ରହିଛି।