ବୋଲଜାନୋ (ଇଟାଲୀ),୪ା୬:ପ୍ରାୟ ୫,୩୦୦ ବର୍ଷ ପୂର୍ବେ ଇଟାଲୀର ଆଲ୍ପସ ପର୍ବତମାଳାରେ ଜଣେ ଶିକାରୀଙ୍କୁ ତୀର ମାରି ହତ୍ୟା କରାଯାଇଥିଲା। ବର୍ଷ ବର୍ଷ ଧରି ବରଫ ତଳେ ପୋତିହୋଇ ରହିବା ପରେ ଯେତେବେଳେ ତାଙ୍କ ମମି ମିଳିଲା, ତାଙ୍କୁ ନଁା ଦିଆଗଲା ‘ଓଜି ଦି ଆଇସ୍ମ୍ୟାନ’। ସମଗ୍ର ବିଶ୍ୱରେ ଏହି ମମିକୁ ନେଇ ଅନେକ ଗବେଷଣା ଚାଲିଛି। କିନ୍ତୁ ବର୍ତ୍ତମାନ ଏଭଳି ଚମକାଇଲା ଭଳି ବୈଜ୍ଞାନିକ ସତ୍ୟ ସାମ୍ନାକୁ ଆସିଛି, ଯାହା ମାନବ ସଂରକ୍ଷଣର ସମସ୍ତ ସୀମାକୁ ପାର୍ କରିଦେଇଛି। ଗବେଷକମାନେ ଆବିଷ୍କାର କରିଛନ୍ତି ଯେ ଓଜିଙ୍କ ପେଟର ବ୍ୟାକ୍ଟେରିଆ ଏବଂ ଥଣ୍ଡା ପରିବେଶରେ ବଢୁଥିବା ଇଷ୍ଟ ପ୍ରଜାତି ଏବେ ବି ଜୀବନ୍ତ ଓ ସକ୍ରିୟ ଅଛନ୍ତି।
ମମିକୁ ସୁରକ୍ଷିତ ରଖିବା ପାଇଁ ସର୍ବଦା ମାଇନ୍ସ ୬ ଡିଗ୍ରୀ ସେଲସିୟସ ତାପମାତ୍ରା ବିଶିଷ୍ଟ ଏକ ଗଭୀର ଫ୍ରିଜ୍ ଚାମ୍ବର ଭିତରେ ରଖାଯାଇଛି, ଯଦ୍ଦ୍ବାରା ସମୟର ପ୍ରଭାବ ସେଠାରେ ଅଟକିଯିବ। କିନ୍ତୁ ବିଶିଷ୍ଟ ବିଜ୍ଞାନ ପତ୍ରିକା ‘ମାଇକ୍ରୋବାୟୋମ’ରେ ପ୍ରକାଶିତ ଏକ ନୂତନ ଅଧ୍ୟୟନ ଅନୁଯାୟୀ, ଓଜିଙ୍କ ଶରୀର ଭିତରେ ଥିବା ପ୍ରାଚୀନ ଅଣୁଜୀବଗୁଡ଼ିକ କେବଳ ସକ୍ରିୟ ନାହାନ୍ତି, ବରଂ ସେମାନେ ପରିବେଶ ସହ ନିଜକୁ ଖାପଖୁଆଇ ବଦଳୁଛନ୍ତି ଏବଂ ବିକଶିତ ହେଉଛନ୍ତି। ଗତ ୯ ବର୍ଷ ମଧ୍ୟରେ ଅତ୍ୟଧିକ ଥଣ୍ଡା ସତ୍ତ୍ୱେ ଏହି ଇଷ୍ଟ ପ୍ରଜାତିଗୁଡ଼ିକ ମଧ୍ୟରେ ପରିବର୍ତ୍ତନ ଦେଖାଦେଇଛି।
ଇଟାଲୀର‘ୟୁରେକ ରିସର୍ଚ୍ଚ ଇନ୍ଷ୍ଟିଚ୍ୟୁଟ୍’ର ମୁଖ୍ୟ ଗବେଷକ ମହମ୍ମଦ ସରହାନ ମମିର ଚର୍ମ, ଆଭ୍ୟନ୍ତରୀଣ ଟିସୁ ଏବଂ ତରଳିଥିବା ବରଫ ପାଣିର ପରୀକ୍ଷା କରି ଏହି ପ୍ରାଗୈତିହାସିକ ବାୟୋମଣ୍ଡଳର ରହସ୍ୟ ଖୋଲିଛନ୍ତି। ତଦନୁଯାୟୀ, ଓଜିଙ୍କ ପେଟରେ ଥିବା ସକ୍ରିୟ ବ୍ୟାକ୍ଟେରିଆରୁ ସ୍ପଷ୍ଟ ଜଣାପଡ଼ିଛି ଯେ ମୃତ୍ୟୁ ପୂର୍ବରୁ ସେ ହାଇ-ଫ୍ୟାଟ୍ ବନ୍ୟ ମାଂସ, ପ୍ରାଚୀନ ଶସ୍ୟ ଏବଂ ଏକ ପ୍ରକାର ବିଷାକ୍ତ ଫର୍ନ ଜାତୀୟ ଉଦ୍ଭିଦ ଖାଇଥିଲେ। ଗବେଷକ ଦଳ ଓଜିଙ୍କ ଶରୀରରୁ ‘ରୋମବୋସିଆ ହୋମିନିସ’ ଏବଂ ‘କ୍ଲୋଷ୍ଟ୍ରିଡିୟମ ମୋନିଲିଫର୍ମ’ ଭଳି ବିରଳ ବ୍ୟାକ୍ଟେରିଆ ଚିହ୍ନଟ କରିଛନ୍ତି। ଏଗୁଡ଼ିକ ଆଧୁନିକ ସହରୀ ମଣିଷଙ୍କ ଶରୀରରୁ ସମ୍ପୂର୍ଣ୍ଣ ରୂପେ ଗାଏବ ହୋଇଯାଇଥିବା ବେଳେ ଆଫ୍ରିକା ଏବଂ ଦକ୍ଷିଣ ଆମେରିକାର କେତେକ ବିଚ୍ଛିନ୍ନ ଆଦିବାସୀ ସମ୍ପ୍ରଦାୟଙ୍କ ମଧ୍ୟରେ ଏବେ ବି ଦେଖିବାକୁ ମିଳେ।
ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ଗତ ୯ ବର୍ଷ ମଧ୍ୟରେ ଏହି ଶରୀରରେ କିଛି ନିର୍ଦ୍ଦିିଷ୍ଟ ଇଷ୍ଟର ସଂଖ୍ୟା ବୃଦ୍ଧି ପାଇଛି। ମ୍ୟୁଜିୟମ କ୍ୟୁରେଟରମାନେ ମମିକୁ ସୁରକ୍ଷିତ ରଖିବା ପାଇଁ ଯେଉଁ ଫେନୋଲ ଡିସ୍ଇନ୍ଫେକ୍ଟାଣ୍ଟ ବା ଜୀବାଣୁନାଶକ ବ୍ୟବହାର କରୁଥିଲେ, ଏହି ସୁପର-ମାଇକ୍ରୋବସ୍ଗୁଡ଼ିକ ତାହାକୁ ହିଁ ଖାଇ ବଞ୍ଚିବା ଶିଖିଯାଇଛନ୍ତି। ଅଣୁଜୀବଗୁଡ଼ିକର ଏଭଳି ଅଦ୍ଭୁତ ଜୀବନଶକ୍ତି ପ୍ରମାଣିତ କରୁଛି ଯେ ମୃତ୍ୟୁ ମଧ୍ୟ ଓଜିଙ୍କ ମାଇକ୍ରୋବାୟୋମକୁ ଅଟକାଇ ପାରିନାହିଁ। କିନ୍ତୁ ଏହା ସମଗ୍ର ବିଶ୍ୱର ସଂଗ୍ରହାଳୟଗୁଡ଼ିକ ପାଇଁ ଏକ ବଡ଼ ଚିନ୍ତା ଓ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଯଦି ଏହି ପ୍ରାଗୈତିହାସିକ ଜୀବଗୁଡ଼ିକ ଏଭଳି ଥଣ୍ଡା ପରିବେଶରେ ବଢ଼ିପାରିବେ ଏବଂ ଆଧୁନିକ କେମିକାଲକୁ ହଜମ କରିପାରିବେ, ତେବେ ଆମେ ଏହି ପ୍ରାଚୀନ ଐତିହାସିକ ସମ୍ପଦକୁ ଭିତରୁ ନଷ୍ଟହେବାରୁ କେମିତି ରକ୍ଷା କରିବା?
ଏହି ତାମ୍ରଯୁଗର ଶିକାରୀଙ୍କୁ କିଏ ହତ୍ୟା କରିଥିଲା, ତାହା ଆଜି ବି ଏକ ରହସ୍ୟ ହୋଇ ରହିଛି। ମାତ୍ର ତାଙ୍କ ଶରୀରରେ ଥିବା ଏହି ଜୀବନ୍ତ ଅଣୁଜୀବ ମାନବ ସ୍ବାସ୍ଥ୍ୟ ଏବଂ ଆଧୁନିକ ରୋଗର ବିବର୍ତ୍ତନକୁ ବୁଝିବା ପାଇଁ ବୈଜ୍ଞାନିକମାନଙ୍କୁ ଏକ ମୂଲ୍ୟବାନ ସୁଯୋଗ ଦେଇଛି।
Dharitri – Odisha’s No.1 Odia Daily

