Categories: ଜାତୀୟ

ହରିୟାଣାରେ ହାଇ ଆଲର୍ଟ, ୫ ଅଗଷ୍ଟ ପର୍ଯ୍ୟନ୍ତ ନୁହ ସମେତ କିଛି ଜିଲାରେ ଇଣ୍ଟରନେଟ ବନ୍ଦ

ନୁହ,୩।୮: ବଜରଙ୍ଗ ଦଳ, ବିହିପ ଓ ଅନ୍ୟ ହିନ୍ଦୁ ସଙ୍ଗଠନ ପକ୍ଷରୁ ନୁହରେ ଜୁଲାଇ ୩୧ ଅର୍ଥାତ୍‌ ସୋମବାର ବାହାରା କରାଯାଇଥିବା ଜଳାଭିଷେକ ଯାତ୍ରାରେ ହୋଇଥିବା ଆକ୍ରମଣ ପରେ ଏହାଦ୍ୱାରା ଉପୁଜିଥିବା ହିଂସାର ନିଆଁରେ ଦକ୍ଷିଣ ହରିୟାଣା ଏବେବି ଜଳୁଛି। ଦୁଇ ଦିନ ହେବ ପୋଲିସ ଓ କେନ୍ଦ୍ରୀୟ ସୁରକ୍ଷା କର୍ମୀ ମୁତୟନ ହେବା ପରେ ହିଂସା ସାମାନ୍ୟ ଥମିଛି।

ସୂଚନାଯୋଗ୍ୟ, ହରିୟାଣାର ନୁହରେ ସୋମବାର ଦୁଇ ସମ୍ପ୍ରଦାୟ ମଧ୍ୟରେ ହୋଇଥିବା ହିଂସା ଘଟଣା ପରେ ପ୍ରଶାସନ ଆଲର୍ଟରେ ରହିଛି। ଗୁରୁବାର ବି ନୁହରେ କର୍ଫ୍ୟୁ ଜାରି ରହିଛି। ଆକ୍ରମଣକାରୀଙ୍କୁ ଦେଖି ଜିଲା ଡେପୁଟି କମିଶନର ପ୍ରଶାନ୍ତ ପଓ୍ବାର ଧାରା ୧୪୪ ଲାଗୁ କରିଛନ୍ତି। ଅଗଷ୍ଟ ୫ ପର୍ଯ୍ୟନ୍ତ ଏଠାରେ ଇଣ୍ଟରନେଟ ସେବା ବନ୍ଦ କରି ଦିଆଯାଇଛି। ବୁଧବାର ଲଗାଯାଇଥିବା କର୍ଫ୍ୟୁରେ ଦିନ ୩ଟାରୁ ୫ ଟା ପର୍ଯ୍ୟନ୍ତ ସାମାନ୍ୟ ଢିଲା ଦିଆଯାଇଥିଲା। ହେଲେ ଫରିଦାବାଦ, ଗୁରୁଗ୍ରାମ ଓ ରଓ୍ବୋଡିରେ ହିଂସାର ଛୋଟ ମୋଟ ଘଟଣା ଘଟିବାରେ ଲାଗିଛି। ନୁହ ହିଂସାରେ ଏବେ ପର୍ଯ୍ୟନ୍ତ ୪୧ ଏଫଆଇଆର ଦିଆଯାଇଥିବା ବେଳେ ୧୧୬ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ୯୦ ଅନ୍ୟ ସନ୍ଦିଗ୍ଧ ଏବେ ପୋଲିସ ହେପାଜତରେ ଅଛନ୍ତି।

Share