ଇନଷ୍ଟାଗ୍ରାମ ବ୍ୟବହାରକାରୀଙ୍କୁ ବଡ଼ ଝଟ୍‌କା; ମାସକୁ ଦେବାକୁ ହେବ ୨୯୯ ଟଙ୍କା, ତା’ ପରେ ମିଳିବ ଏସବୁ ଚଲାଇବାକୁ ସୁବିଧା…

ନୂଆଦିଲ୍ଲୀ,୭।୬: ମେଟା ଭାରତୀୟ ଇନଷ୍ଟାଗ୍ରାମ ବ୍ୟବହାରକାରୀଙ୍କୁ ଏକ ବଡ଼ ଝଟକା ଦେଇଛି। ମେଟା ନିକଟରେ ହ଼୍ବାଟସଆପ, ଇନଷ୍ଟାଗ୍ରାମ ଏବଂ ଫେସବୁକକୁ ଦେୟଯୁକ୍ତ ସେବା ଯୋଗାଇବା ଯୋଜନା ଘୋଷଣା କରିଛି। ଏବେ, କମ୍ପାନୀ ତାର ଇନଷ୍ଟାଗ୍ରାମ ପ୍ଲସ ଯୋଜନା ଆରମ୍ଭ କରିଛି, ଯାହା ଆଜି, ଜୁନ 7 ତାରିଖରୁ କାର୍ଯ୍ୟକାରୀ ହୋଇଛି।

ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ଏବଂ ନିଜର ଆୟ ବଢ଼ାଇବା ଲକ୍ଷ୍ୟରେ ସୋସିଆଲ ମିଡିଆ କମ୍ପାନୀ ‘ମେଟା’ (Meta) ଭାରତୀୟ ବଜାରରେ ଏକ ବଡ଼ ଘୋଷଣା କରିଛି। ହ଼୍ବାଟ୍ସଆପ ପ୍ଲସ (WhatsApp Plus) ପରେ ଏବେ କମ୍ପାନୀ ଭାରତରେ ନିଜର ସବୁଠାରୁ ଲୋକପ୍ରିୟ ଆପ ଇନଷ୍ଟାଗ୍ରାମ ପାଇଁ ପ୍ରିମିୟମ ସବସ୍କ୍ରିପସନ ସେବା ‘ଇନଷ୍ଟାଗ୍ରାମ ପ୍ଲସ’ (Instagram Plus) ଆଧିକାରିକ ଭାବେ ଲଞ୍ଚ କରିଛି। ଭାରତରେ ଏହି ସେବା ପାଇଁ ୟୁଜର୍ସଙ୍କୁ ମାସିକ ୨୯୯ ଟଙ୍କା (ବାର୍ଷିକ ପ୍ରାୟ ୩,୫୮୮ ଟଙ୍କା) ଦେବାକୁ ପଡ଼ିବ।

ତେବେ ଇନଷ୍ଟାଗ୍ରାମର ସାଧାରଣ (ଫ୍ରି) ସେବା ପୂର୍ୱଭଳି ଜାରି ରହିବ, କିନ୍ତୁ ଯେଉଁମାନେ କିଛି ଅଲଗା, କଷ୍ଟମାଇଜେସନ ଅପ୍ସନ ଏବଂ ପ୍ରିମିୟମ ଟୁଲ୍ସ ଚାହୁଁଛନ୍ତି ସେମାନେ ଏହି ନୂଆ ପ୍ଲାନର ଲାଭ ଉଠାଇ ପାରିବେ।

ଏହି ପେଡ ସବସ୍କ୍ରିପସନରେ ୟୁଜର୍ସଙ୍କୁ ୩ଟି ପ୍ରମୁଖ କ୍ଷେତ୍ର ଯଥା- ଷ୍ଟୋରୀ କଣ୍ଟ୍ରୋଲ, ଆଡଭାନ୍ସଡ ଇନସାଇଟ୍ସ ଏବଂ ପ୍ରୋଫାଇଲ କଷ୍ଟମାଇଜେସନ ଉପରେ ସୱତନ୍ତ୍ର ଫିଚର୍ସ ମିଳିବ।

ଷ୍ଟୋରୀ ଟାଇମ ଡ୍ୟୁରେସନ ବୃଦ୍ଧି (Story Extend): ସାଧାରଣତଃ ଇନଷ୍ଟାଗ୍ରାମ ଷ୍ଟୋରୀ ୨୪ ଘଣ୍ଟା ପରେ ଗାୟବ ହୋଇଯାଏ, କିନ୍ତୁ ପ୍ଲସ ୟୁଜର୍ସଙ୍କ ପାଇଁ ଏହା ୪୮ ଘଣ୍ଟା ପର୍ଯ୍ୟନ୍ତ ରହିବ।
ଷ୍ଟୋରୀ ସ୍ପଟ୍ଲାଇଟ (Story Spotlight): ୟୁଜର୍ସ ପ୍ରତି ସପ୍ତାହରେ ନିଜର ଗୋଟିଏ ଷ୍ଟୋରୀକୁ ସ୍ପଟଲାଇଟ କରିପାରିବେ, ଯାହାଦ୍ୱାରା ତାଙ୍କ ବନ୍ଧୁମାନଙ୍କ ଫଡରେଏହା ସବୁଠୁ ଆଗରେ ଦେଖାଯିବ।
ସିକ୍ରେଟ ଷ୍ଟୋରୀ ପ୍ରିଭ୍ୟୁ (Story Preview): ପ୍ଲସ ୟୁଜର୍ସ ଅନ୍ୟମାନଙ୍କ ଷ୍ଟୋରୀକୁ ସିକ୍ରେଟ ଭାବେ ଦେଖିପାରିବେ ଏବଂ ସେମାନଙ୍କ ନାମ ଭିୟୁଅର୍‌ ଲିଷ୍ଟରେ ଆସିବ ନାହିଁ।
ଷ୍ଟୋରୀ ରିୱାଚ କାଉଣ୍ଟ (Story Rewatch Insights): ଆପଣଙ୍କ ଷ୍ଟୋରୀକୁ କେଉଁମାନେ ବାରମ୍ୱାର (ରିୱାଚ) ଦେଖୁଛନ୍ତି, ତାହା ମଧ୍ୟ ସବସ୍କ୍ରାଇବରମାନେ ଜାଣିପାରିବେ।
ମଲ୍ଟିପୁଲ ଷ୍ଟୋରୀ ଅଡିଏନ୍ସ: କ୍ଲୋଜ ଫ୍ରେଣ୍ଡ୍ସ ବ୍ୟତୀତ ନିଜ ପସନ୍ଦ ଅନୁଯାୟୀ ୟୁଜର୍ସ ଅନେକଗୁଡ଼ିଏ କଷ୍ଟମ ଅଡିଏନ୍ସ ଲିଷ୍ଟ ତିଆରି କରିପାରିବେ।
ପ୍ରୋଫାଇଲ ପିନ (Profile Pins): ସାଧାରଣତଃ ପ୍ରୋଫାଇଲରେ ୩ଟି ପୋଷ୍ଟ ପିନ କରାଯାଇପାରେ, କିନ୍ତୁ ପ୍ଲସ ୟୁଜର୍ସ ନିଜର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ୬ଟି ପୋଷ୍ଟକୁ ଉପରେ ପିନ କରି ରଖିପାରିବେ।
ସ୍ପେଶାଲ ଫଣ୍ଟ୍ସ ଓ ଆପ ଆଇକନ: ୟୁଜର୍ସ ନିଜ ବାୟୋ (Bio) ପାଇଁ ଷ୍ଟାଇଲିସ ଫଣ୍ଟ ବ୍ୟବହାର କରିବା ସହ ଫୋନ ସ୍କ୍ରିନରେ ଦେଖାଯାଉଥିବା ଇନଷ୍ଟାଗ୍ରାମ ଆପ ଆଇକନକୁ ମଧ୍ୟ ବଦଳାଇ ପାରିବେ।
ସୁପର ହାଟର୍‌ସ (Super Hearts): ଚାଟ ଏବଂ କଥାବାର୍ତ୍ତା ସମୟରେ ସୱତନ୍ତ୍ର ଆନିମେଟେଡ ହାଟର୍‌ସ (Heart) ବ୍ୟବହାର କରିବାର ସୁଯୋଗ ମିଳିବ।

ବିଜ୍ଞାପନ ଉପରେ ନିଜର ର୍ନିଭରଶୀଳତାକୁ କମ କରିବା ଏବଂ ରାଜସ୍ୱ (Revenue) ବୃଦ୍ଧି ପାଇଁ ମେଟା ନିଜର ରଣନୀତି ବଦଳାଇଛି। ହୱାଟ୍ସଆପ ପ୍ଲସର ମୂଲ୍ୟ ମାସକୁ ୭୯ ଟଙ୍କା ଥିବାବେଳେ ଇନଷ୍ଟାଗ୍ରାମ ପ୍ଲସ ୨୯୯ ଟଙ୍କା ରଖାଯାଇଛି। କମ୍ପାନୀ କହିଛି ଯେ ଆଗାମୀ ଦିନରେ ଏହି ପ୍ଲସ ପ୍ଲାନରେ ଆହୁରି ଅନେକ ନୂଆ ଫିଚର୍ସ ଯୋଡ଼ାଯିବ।

ଏହି ସେବା ବର୍ତ୍ତମାନ ଭାରତର କିଛି ସୀମିତ ୟୁଜର୍ସଙ୍କ ପାଇଁ ରୋଲଆଉଟ କରାଯାଇଛି ଏବଂ ଧୀରେ ଧୀରେ ଏହା ସମସ୍ତଙ୍କ ପାଖକୁ ଆସିବ। ଆପଣ ନିଜ ଫୋନରେ ଏହାକୁ ଯାଞ୍ଚ କରିବା ପାଇଁ:

1. ଇନଷ୍ଟାଗ୍ରାମ ଆପ ଓପନ କରନ୍ତୁ ଏବଂ Profile ପେଜକୁ ଯାଆନ୍ତୁ।
2. ଉପରେ ଡାହାଣ ପଟେ ଥିବା ତିନୋଟି ଗାର (Menu) ଉପରେ ଟ୍ୟାପ କରନ୍ତୁ।
3. Settings and activity ସେକସନକୁ ସ୍କ୍ରୋଲ କରନ୍ତୁ ଏବଂ ସେଠାରେ Instagram Plus ବିକଳ୍ପ ଖୋଜନ୍ତୁ।
4. ଯଦି ଏହି ଅପ୍ସନ ଉପଲବ୍ଧ ଅଛି, ତେବେ ସେଠାରେ ଦେଖାଯାଉଥିବା ନିର୍ଦ୍ଦେଶାବଳୀକୁ ପାଳନ କରି ୨୯୯ ଟଙ୍କା ପେମେଣ୍ଟ କରି ଏହାକୁ ସବସ୍କ୍ରାଇବ କରିପାରିବେ।

Share