ନୂଆଦିଲ୍ଲୀ,୫।୮: ଜନ୍ତର-ମନ୍ତରରେ ହୋଇଥିବା ଆନ୍ଦୋଳନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ଭିଡିଓକୁ ଫେସବୁକରେ ଅସ୍ଥାୟୀ ଭାବେ ରିଷ୍ଟ୍ରିକ୍ଟ କରିଦେଇଥିଲା । ଏହି ଘଟଣାକୁ ନେଇ ଦିନକୁ ଦିନ ମେଟାର ସମସ୍ୟା ବଢ଼ିବାରେ ଲାଗିଛି । ବୁଧବାର (୫ ଅଗଷ୍ଟ) ମେଟାର ଏକ ପ୍ରତିନିଧି ଦଳ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ (MeitY)ର ସଚିବ ଏସ୍. କୃଷ୍ଣନଙ୍କ ସହ ପ୍ରାୟ ୪୫ ମିନିଟ୍ ଧରି ବୈଠକ କରିଥିଲେ। ଏହି ପ୍ରତିନିଧି ଦଳର ନେତୃତ୍ୱ ମେଟାର ଚିଫ୍ ଗ୍ଲୋବାଲ୍ ଅଫେୟାର୍ସ ଅଫିସର ଜୋଏଲ୍ କାପଲାନ୍ କରୁଥିଲେ।
ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଭିଡିଓ ହଟାଯାଇଥିବା କାରଣ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ମେଟା ପକ୍ଷରୁ କୁହାଯାଇଥିଲା ଯେ, ଏହା ଏକ ପ୍ରାଯୁକ୍ତିକ ତ୍ରୁଟି କାରଣରୁ ଘଟିଥିଲା ଏବଂ ଇଚ୍ଛାକୃତ ଭାବେ ଭିଡିଓ ହଟାଯାଇନଥିଲା। ପରେ ଭିଡିଓକୁ ପୁନର୍ବାର ଫେସବୁକରେ ଉପଲବ୍ଧ କରାଯାଇଥିଲା। ଏହା ସହିତ ଫେସବୁକରେ ଶିଶୁ ଯୌନ ଶୋଷଣ ଓ ନିର୍ଯାତନା ସମ୍ବନ୍ଧୀୟ ସାମଗ୍ରୀ (CSAM)କୁ ରୋକିବାରେ ହୋଇଥିବା ତ୍ରୁଟି ଏବଂ ଅନ୍ୟାନ୍ୟ ନିୟାମକୀୟ ପ୍ରସଙ୍ଗ ନେଇ ମଧ୍ୟ ଆଲୋଚନା ହୋଇଥିଲା। ସୂଚନା ଅନୁଯାୟୀ, ମେଟାର ଅଧିକାରୀମାନେ ଶୀଘ୍ର ହିଁ କେନ୍ଦ୍ରୀୟ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହ ମଧ୍ୟ ସାକ୍ଷାତ କରିବେ।
ଏହି ଘଟଣା ପରେ ମେଟା ପକ୍ଷରୁ ପ୍ରାଯୁକ୍ତିକ ତ୍ରୁଟିକୁ ଦାୟୀ କରି କ୍ଷମା ପ୍ରାର୍ଥନା କରାଯାଇଥିଲା। କମ୍ପାନୀ କହିଥିଲା ଯେ, ଭୁଲବଶତଃ ପୋଷ୍ଟଟି ହଟିଯାଇଥିଲା ଏବଂ ପରେ ଏହାକୁ ପୁନଃ ବହାଲ କରାଯାଇଥିଲା। କିନ୍ତୁ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ଏହି ସ୍ପଷ୍ଟୀକରଣକୁ ପର୍ଯ୍ୟାପ୍ତ ବୋଲି ମାନିନଥିଲା।
ଏପରିସ୍ଥିତିରେ ସଂସଦର ଏକ ସ୍ଥାୟୀ ସମିତି ମଧ୍ୟ ଏହି ଘଟଣାକୁ ଗୁରୁତର ଭାବେ ନେଇଛି। ସମିତି ମେଟାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO) ମାର୍କ ଜୁକରବର୍ଗଙ୍କୁ ତିନି ଦିନ ମଧ୍ୟରେ ନିର୍ଶର୍ତ୍ତ କ୍ଷମା ପ୍ରାର୍ଥନା କରିବାକୁ କହିଛି। MeitY ସଚିବଙ୍କୁ ପଠାଯାଇଥିବା ପତ୍ରରେ ସମିତି କହିଛି ଯେ, ପ୍ରଧାନମନ୍ତ୍ରୀଙ୍କ ଭାଷଣ ଥିବା ଭିଡିଓକୁ କିଛି ସମୟ ପାଇଁ ହଟାଇବା ଏକ ଅତ୍ୟନ୍ତ ଗୁରୁତର ବିଷୟ ଏବଂ ଏହି ଘଟଣାରେ ଦାୟିତ୍ୱ ନିର୍ଦ୍ଧାରଣ କରାଯିବା ଆବଶ୍ୟକ।