ଆର୍ଲିଟନ,୨୩ା୬: ଲିଓନେଲ ମେସିଙ୍କ ରେକର୍ଡ ଡବଲ ଗୋଲ ବଳରେ ଖେଳାଯାଇଥିବା ଗ୍ରୁପ ମ୍ୟାଚ୍ରେ ଆର୍ଜେଣ୍ଟିନା ୨-୦ ଗୋଲରେ ଅଷ୍ଟ୍ରିଆକୁ ପରାସ୍ତ କରିଛି। ଏହି ବିଜୟ ସହ ଡିଫେଣ୍ଡିଂ ଚାମ୍ପିୟନ ଆର୍ଜେଣ୍ଟିନା ନକ୍ଆଉଟ୍ ରାଉଣ୍ଡରେ ପ୍ରବେଶ କରିଛି।
ଏହି ମ୍ୟାଚ୍ରେ ମେସି ଫିଫା ବିଶ୍ୱକପ୍ରେ ସର୍ବାଧିକ ସଂଖ୍ୟକ ଗୋଲ କରିବାର ରେକର୍ଡର ଅଧିକାରୀ ହୋଇଛନ୍ତି। ଏହି ମହାନ ଖେଳାଳି ବିଶ୍ୱକପ୍ରେ ଲଗାତର ଷଷ୍ଠ ମ୍ୟାଚ୍ରେ ଗୋଲ କରିଛନ୍ତି।
ଅଷ୍ଟମ ମିନିଟ୍ରେ ପେନାଲ୍ଟି ଜରିଆରେ ତାଙ୍କୁ ରେକର୍ଡ ଭଙ୍ଗ କରିବାକୁ ଏକ ସୁଯୋଗ ମିଳିଥିଲା। ହେଲେ ମେସିଙ୍କ ଶଟ୍ ଗୋଲପୋଷ୍ଟ ବାହାରକୁ ଚାଲିଯାଇଥିଲା। ଏହାର ଠିକ ଅଧ ଘଣ୍ଟା ପରେ ଅର୍ଥାତ ୩୮ତମ ମିନିଟ୍ରେ ନେଟ୍ଠାରୁ ୧୫ ମିଟର ଦୂରରେ ଫାକୁଣ୍ଡୋ ମେଡିନାଙ୍କଠାରୁ ମିଳିଥିବା ପାସକୁ ସେ ଗୋଲରେ ପରିଣତ କରିଥିଲେ।
ଏହି ଗୋଲ ଯୋଗୁ ପ୍ରଥମାର୍ଦ୍ଧରେ ଆର୍ଜେଣ୍ଟିନା ୧-୦ ଗୋଲରେ ଆଗରେ ରହିଥିଲା। ଦ୍ୱିତୀୟାର୍ଦ୍ଧର ଇଞ୍ଜୁରି ଟାଇମରେ ମେସି (୯୦+୫) ବକ୍ସର ୫ ମିଟର ବାହାରୁ ଏକ ଶକ୍ତିଶାଳୀ କିକ୍ କରି ଦ୍ୱିତୀୟ ଗୋଲ କରିଥିଲେ। ମ୍ୟାଚ୍ରେ ଡବଲ ଗୋଲ ଯୋଗୁ ବିଶ୍ୱକପ୍ରେ ତାଙ୍କ ଗୋଲ ସଂଖ୍ୟା ୧୮ରେ ପହଞ୍ଚିଛି। ପୂର୍ବରୁ ସେ ୧୬ ଗୋଲ ସହ ଜର୍ମାନୀର ମହାନ ଷ୍ଟ୍ରାଇକର ମିରୋସ୍ଲାଭ କ୍ଲୋଜଙ୍କ ସହ ସମକକ୍ଷ ଥିଲେ।