Categories: ଖେଳ

ମେସି, ବୋନମାଟି ଫିଫା ପ୍ଲେୟର ଅଫ୍‌ ଦ ଇୟର

ଲଣ୍ଡନ,୧୭ା୧(ପି.ଟି.): ଆଉ ଏକ ସମ୍ମାନଜନକ ପୁରସ୍କାର ବିଜୟୀ ହୋଇଛନ୍ତି ଲିଓନେଲ୍‌ ମେସି ଓ ଆଇଟାନା ବୋନମାଟି। ସୋମବାର ଫିଫା ପକ୍ଷରୁ ଶ୍ରେଷ୍ଠ ଖେଳାଳି ପୁରସ୍କାର ହାସଲ କରିଛନ୍ତି ଉଭୟ ଖେଳାଳି। ପୂର୍ବରୁ ମେସି ରେକର୍ଡ ଅଷ୍ଟମ ଥର ପାଇଁ ବାଲନ୍‌ ଡି ଅର୍‌ ହାସଲ କରିଥିବା ବେଳେ ବୋନମାଟିଙ୍କୁ ମିଳିଥିଲା ବାଲନ୍‌ ଡି ଅର୍‌ ଫେମିନିନ ପୁରସ୍କାର। ମେସିଙ୍କୁ ଶ୍ରେଷ୍ଠ ପୁରୁଷ ଖେଳାଳି ପୁରସ୍କାର ମିଳିଥିବା ବେଳେ ଏର୍ଲିଙ୍ଗ ହାଲାଣ୍ଡ ଦ୍ୱିତୀୟ ସ୍ଥାନରେ ରହିଥିଲେ। ଉଭୟ ସମାନ ସଂଖ୍ୟକ ୪୮ ପଏଣ୍ଟ ପାଇଥିବା ବେଳେ ଟାଇବ୍ରେକରରେ ମେସି ବାଜି ମାରି ନେଇଥିଲେ। ଉଭୟ ମେସି ଓ ହାଲାଣ୍ଡ ପୁରସ୍କାର ପ୍ରଦାନ ଉତ୍ସବରେ ଅନୁପସ୍ଥିତ ରହିଥିଲେ। ମହିଳା ଖେଳାଳିଙ୍କ ମଧ୍ୟରେ ସ୍ପେନ୍‌ର ବିଶ୍ୱ କପ୍‌ ବିଜେତା ଖେଳାଳି ଆଇଟାନା ବୋନମାଟିଙ୍କୁ ଶ୍ରେଷ୍ଠ ଖେଳାଳି ଘୋଷଣା କରାଯାଇଥିଲା। ସ୍ପେନ୍‌ ଦଳର ଅନ୍ୟତମ ସଦସ୍ୟ ଜେନି ହର୍ମୋସୋ ଓ କଲମ୍ବିଆର ଲିଣ୍ଡା କାଇସେଡୋଙ୍କୁ ପଛରେ ପକାଇଥିଲେ।

ପୁରସ୍କାର ତାଲିକା
ଫିଫା ଶ୍ରେଷ୍ଠ ପୁରୁଷ ଖେଳାଳି: ଲିଓନେଲ୍‌ ମେସି (ଆର୍ଜେଣ୍ଟିନା/ଇଣ୍ଟର ମାୟାମି)। ଫିଫା ଶ୍ରେଷ୍ଠ ମହିଳା ଖେଳାଳି: ଆଇଟାନା ବୋନମାଟି (ସ୍ପେନ୍‌/ଏଫ୍‌ସି ବାସିଲୋନା)। ଫିଫା ଶ୍ରେଷ୍ଠ ପୁରୁଷ ଗୋଲକିପର୍‌: ଏଡେରସନ୍‌(ବ୍ରାଜିଲ୍‌/ମାଞ୍ଚେଷ୍ଟର ସିଟି)। ଫିଫା ଶ୍ରେଷ୍ଠ ମହିଳା ଗୋଲକିପର: ମେରୀ ଅର୍ପସ (ଇଂଲଣ୍ଡ/ମାଞ୍ଚେଷ୍ଟର ୟୁନାଇଟେଡ୍‌)। ଫିଫା ଶ୍ରେଷ୍ଠ ପୁରୁଷ କୋଚ୍‌: ପେପ୍‌ ଗର୍ଡିଓଲା (ସ୍ପେନ୍‌/ମାଞ୍ଚେଷ୍ଟର ସିଟି)। ଫିଫା ଶ୍ରେଷ୍ଠ ମହିଳା କୋଚ୍‌: ସରିନା ଓ୍ବିଗମ୍ୟାନ(ନେଦରଲାଣ୍ଡ୍ସ/ଇଂଲଣ୍ଡ ଜାତୀୟ ଦଳ)। ଫିଫା ପୁସ୍‌କାସ୍‌ ଆଓ୍ବାର୍ଡ: ଗୁଇଲହେରମେ ମାଡ୍ରୁଗା (ବ୍ରାଜିଲ/ ବୋଟାଫୋଗୋ)। ଫିଫା ସ୍ବତନ୍ତ୍ର ପୁରସ୍କାର: ମାର୍ଟା। ଫିଫା ଫେୟାର ପ୍ଲେ ପୁରସ୍କାର: ବ୍ରାଜିଲ ପୁରୁଷ ଦଳ। ଫିଫା ଫ୍ୟାନ୍‌ ପୁରସ୍କାର: ହ୍ୟୁଗୋ ଡାନିଏଲ ଟୋଟୋ ଇନିଗୁଏଜ୍‌।

Share