ଜର୍ଜଟାଉନ ସମ୍ମିଳନୀର ବାର୍ତ୍ତା

ଆଫ୍ରିକୀୟ ରାଷ୍ଟ୍ର ଗୁୟାନାର ଜର୍ଜଟାଉନରେ ସମ୍ପ୍ରତି ଜୁଲାଇରେ ଦୁଇଦିନ ଧରି ଅନୁଷ୍ଠିତ ‘ବିଶ୍ୱ ଜୈବବିବିଧତା ମିଳିତମଞ୍ଚ ସମ୍ମିଳନୀ’ର ପ୍ରାରମ୍ଭରେ ‘ବିଶ୍ୱ ଜୈବବିବିଧତା ମଞ୍ଚ’ (ଜିବିଏ) ସ୍ଥାପନର ଶୁଭାରମ୍ଭ ଘଟିଛି। ଏହି ଅବସରରେ ଆମ ଗ୍ରହର ଜୈବବିବିଧତାର ସୁରକ୍ଷା, ପୁନରୁଦ୍ଧାର ଏବଂ ସହନୀୟ ବ୍ୟବହାର ନିମନ୍ତେ ବିଶ୍ୱସ୍ତରୀୟ ଅଭିଯାନକୁ ସୁଦୃଢ଼ କରିବା ଲକ୍ଷ୍ୟରେ ନେତୃବର୍ଗ ଏବଂ ପ୍ରତିନିଧିମାନେ ସେମାନଙ୍କର ସାମୂହିକ ପ୍ରତିବଦ୍ଧତା ପ୍ରକାଶ କରିଛନ୍ତି। ଏହା ସ୍ବୀକାର୍ଯ୍ୟ ଯେ ମାନବ କଲ୍ୟାଣ, ଜଳବାୟୁ ସ୍ଥିରତା ଓ ଅନୁକୂଳନ, ଖାଦ୍ୟ ଓ ଜଳ ସୁରକ୍ଷା, ଜନସ୍ବାସ୍ଥ୍ୟ ଏବଂ ପରିସଂସ୍ଥାର ଦୀର୍ଘକାଳୀନ ସ୍ଥାୟିତ୍ୱ ନିମନ୍ତେ ଜୈବବିବିଧତା ଏକ ମୌଳିକ ଭୂମିକା ନିର୍ବାହ କରେ। ପରନ୍ତୁ, ଅସହନୀୟ ମାନବୀୟ କାର୍ଯ୍ୟକଳାପ ଏବଂ ଜଳବାୟୁ ପରିବର୍ତ୍ତନ ପରିପ୍ରେକ୍ଷୀରେ ଜୈବବିବିଧତାର ତ୍ୱରିତ୍‌ ଅବକ୍ଷୟକୁ ରୋକିବା ନିମନ୍ତେ ବିଶ୍ୱସ୍ତରରେ ଏକ ଜରୁରୀ, ବିଜ୍ଞାନ ଆଧାରିତ, ସମନ୍ବିତ, ପରିବର୍ତ୍ତନକାରୀ, ମହତ୍ତ୍ୱାକାଂକ୍ଷୀ ଏବଂ ଉତ୍ତରଦାୟିତ୍ୱସମ୍ପନ୍ନ କାର୍ଯ୍ୟପନ୍ଥା ଗ୍ରହଣ ଏକାନ୍ତ ଅପରିହାର୍ଯ୍ୟ। ଏହି ଲକ୍ଷ୍ୟରେ ସମ୍ମିଳନୀରେ ଯୋଗଦାନକାରୀ ରାଷ୍ଟ୍ରମୁଖ୍ୟ, ଆଦିବାସୀ ନେତୃବର୍ଗ, ବେସରକାରୀ ଅନୁଷ୍ଠାନ, ବୈଜ୍ଞାନିକ, ଶିକ୍ଷାନୁଷ୍ଠାନ ଏବଂ ଘରୋଇ କ୍ଷେତ୍ରର ପ୍ରତିନିଧିମାନେ ଜର୍ଜଟାଉନ ଘୋଷଣାପତ୍ରକୁ ବ୍ୟାପକ ରୂପେ ସମର୍ଥନ ଜଣାଇ ଅନୁମୋଦିତ କରିଛନ୍ତି। ଜୈବବିବିଧତାକୁ ଏକ ବିଶ୍ୱବ୍ୟାପୀ ସାର୍ବଜନୀନ ହିତ ଭାବରେ ସ୍ବୀକାର କରି ଏହାକୁ ଜାତୀୟ ବିକାଶ ଯୋଜନା, ଜଳବାୟୁ ରଣନୀତି ଏବଂ ଆର୍ଥିକ ଢାଞ୍ଚାରେ ଏକୀକୃତ କରିବାକୁ ପ୍ରତିବଦ୍ଧତା ପ୍ରକାଶ କରିଛନ୍ତି। ଆଗାମୀ ନଭେମ୍ବର ୧୦-୨୧ ପର୍ଯ୍ୟନ୍ତ ବ୍ରାଜିଲରେ ହେବାକୁ ଥିବା ଜାତିସଂଘ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ ୨୦୨୫ (କୋପ-୩୦)ର ସଭାପତି ଲାଗୋ ଏଥିରେ ଯୋଗଦାନ କରି ଜଳବାୟୁ ଆଲୋଚନାରେ ଜୈବବିବିଧତାର ଅଭିନ୍ନ ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ କୋପ-୩୦ ସହିତ ଦୃଢ଼ ସମନ୍ବୟ ସ୍ଥାପନ ନିମନ୍ତେ ମଞ୍ଚକୁ ଅନୁରୋଧ କରିଥିଲେ। ଏହି ଶିଖର ସମ୍ମିଳନୀରେ ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ୧୪୦ରୁ ଅଧିକ ରାଷ୍ଟ୍ର ଏବଂ ସଂଗଠନ ଏକତ୍ରିତ ହୋଇଥିଲେ।
ଏହି ମଞ୍ଚ ପାଞ୍ଚଟି ରଣନୈତିକ କୌଶଳ ଉପରେ ଗଠିତ ଏକ ବ୍ୟାପକ ରୋଡମ୍ୟାପ୍‌ ଉନ୍ମୋଚନ କରିଛି। ଏଥିରେ ଅନ୍ତର୍ଭୁକ୍ତ ରହିଛି, ୧) ବିଶ୍ୱବ୍ୟାପୀ ୩୦x୩୦ ଲକ୍ଷ୍ୟ ହାସଲ କରିବା, ଅର୍ଥାତ୍‌ ୨୦୩୦ ସୁଦ୍ଧା ୩୦% ସ୍ଥଳଭାଗ ଏବଂ ସମୁଦ୍ରସ୍ଥ ପ୍ରାକୃତିକ ପରିସଂସ୍ଥାକୁ ସୁରକ୍ଷା ଦେବା,୨) ଜାତୀୟ ଏବଂ କର୍ପୋରେଟ ବିକାଶ ଯୋଜନାରେ ଜୈବବିବିଧତାକୁ ମୁଖ୍ୟଧାରାରେ ଅନ୍ତର୍ଭୁକ୍ତ କରିବା, ୩) ଜୈବବିବିଧତା କ୍ରେଡିଟ, ସବୁଜ ବଣ୍ଡ ଏବଂ ପ୍ରକୃତି ପାଇଁ ଋଣ ପରି ଅଭିନବ ଆର୍ଥିକ ବ୍ୟବସ୍ଥାର ପ୍ରାବଧାନ କରିବା, ୪) ସ୍ବୀକୃତି ପ୍ରଦାନ, ପ୍ରଶାସନିକ ଏବଂ ଆର୍ଥିକ ବ୍ୟବସ୍ଥା ମାଧ୍ୟମରେ ଆଦିବାସୀ ଓ ସ୍ଥାନୀୟ ସମ୍ପ୍ରଦାୟକୁ ସଶକ୍ତ କରିବା ଏବଂ ୫) ‘ମୋଟ ଜୈବବିବିଧତା ଶକ୍ତି ସୂଚ଼କାଙ୍କ’ (ଗ୍ରସ ବାୟୋଡାଇଭର୍ସିଟି ପାୱାର୍‌ ଇଣ୍ଡେକ୍ସ) ସୃଷ୍ଟି ସମେତ ତଦାରଖ, ଉତ୍ତରଦାୟିତ୍ୱ ଏବଂ ତଥ୍ୟ ସାର୍ବଭୌମତ୍ୱ ନିମନ୍ତେ ଦୃଢ଼ ବ୍ୟବସ୍ଥାର ସ୍ଥାପନ କରିବା। ବିଶ୍ୱ ବ୍ୟାଙ୍କ ଏବଂ ଅନ୍ୟ ଆର୍ଥିକ ସହାୟତା ପ୍ରଦାନକାରୀ ସଂସ୍ଥାମାନେ ପରିବେଶଗତ କାର୍ଯ୍ୟଦକ୍ଷତା ଏବଂ ସଚ୍ଚୋଟତା ସହିତ ପାଣ୍ଠି ବିନିଯୋଗକୁ ସଂଯୁକ୍ତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଶିଖର ସମ୍ମିଳନୀରେ ଏକ ପ୍ରମୁଖ ବିଷୟବସ୍ତୁ ଥିଲା ଜୈବବିବିଧତା ସଂରକ୍ଷଣରେ ସମସ୍ତଙ୍କର ଅନ୍ତର୍ଭୁକ୍ତୀକରଣ ଏବଂ ସ୍ଥାନୀୟ ଭାବରେ ପରିଚ଼ାଳିତ ସଂରକ୍ଷଣ ଉପରେ ଗୁରୁତ୍ୱ ପ୍ରଦାନ। ମଞ୍ଚରେ ଆଦିବାସୀ ଏବଂ ସ୍ଥାନୀୟ ସମ୍ପ୍ରଦାୟ ପ୍ରତି ଦୃଢ଼ ପ୍ରତିବଦ୍ଧତା ପ୍ରକାଶ ପାଇବା ସହ ସେମାନଙ୍କର ପ୍ରଶାସନିକ ଭୂମିକା, ଜ୍ଞାନ କୌଶଳ ଏବଂ ଆର୍ଥିକ ଆବଶ୍ୟକତା ପ୍ରାଧାନ୍ୟ ହାସଲ କରିଥିଲା। ଏଥିସହ ‘ତଥ୍ୟ ସାର୍ବଭୌମତ୍ୱ ନୀତି’ ମଧ୍ୟ ଅନୁମୋଦିତ ହୋଇଥିଲା, ଯାହା ନିଶ୍ଚିତ କରେ ଯେ ଜୈବବିବିଧତା ନିରୀକ୍ଷଣ ପ୍ରକ୍ରିୟା ସ୍ଥାନୀୟ ଅଧିବାସୀଙ୍କର ମାଲିକାନା ଏବଂ ସମାନ ହିତସାଧନକୁ ସମର୍ଥନ କରେ। ଉପଯୁକ୍ତ ଯୋଜନାର କାର୍ଯ୍ୟକାରିତା ମାଧ୍ୟମରେ ମାପଯୋଗ୍ୟ ସଫଳତା ହାସଲ ହିଁ ଭବିଷ୍ୟତର ଲକ୍ଷ୍ୟ ବୋଲି ସ୍ଥିରୀକୃତ ହୋଇଥିଲା।
ଏହା ଗୁରୁତ୍ୱପୂର୍ଣ୍ଣ ଯେ ଏହି ମଞ୍ଚ ସ୍ଥାପନ ପୂର୍ବରୁ ପ୍ରାଣୀ, ଉଦ୍ଭିଦ ଏବଂ ଅଣୁଜୀବଙ୍କର ସମଷ୍ଟିକୁ ଅନ୍ତର୍ଭୁକ୍ତ କରୁଥିବା ଜୈବବିବିଧତାର ସୁରକ୍ଷା ନିମନ୍ତେ ଅନେକ ବିଶ୍ୱସ୍ତରୀୟ ପ୍ରୟାସ ଜାରିରହିଛି। ଏଥିରେ ପ୍ରମୁଖ ରୂପେ ‘ଜୈବିକ ବିବିଧତା ସମ୍ମିଳନୀ’ (ସିବିଡି) ଅନ୍ତର୍ଭୁକ୍ତ, ଯାହା ୧୯୯୨ରେ ବ୍ରାଜିଲର ରିଓ ଡି ଜେନିରୋରେ ଜାତିସଂଘ ଆନୁକୂଲ୍ୟରେ ଅନୁଷ୍ଠିତ ପ୍ରଖ୍ୟାତ ‘ଧରିତ୍ରୀ ଶିଖର ସମ୍ମିଳନୀ’ ଅବସରରେ ସ୍ବାକ୍ଷର ନିମନ୍ତେ ଉନ୍ମୁକ୍ତ ହୋଇଥିଲା। ୧୯୬ ଜଣ ସଦସ୍ୟ ରାଷ୍ଟ୍ର ଥିବା ସିବିଡିର ତିନୋଟି ପ୍ରାଥମିକ ଲକ୍ଷ୍ୟ ହେଉଛି: ଜୈବିକ ବିବିଧତାର ସଂରକ୍ଷଣ, ଏହାର ଉପାଦାନଗୁଡ଼ିକର ସହନୀୟ ବ୍ୟବହାର ଏବଂ ଜିନୀୟ ସମ୍ବଳରୁ ଉପଲବ୍ଧ ଲାଭର ନିରପେକ୍ଷ ଓ ସମ ବଣ୍ଟନ। ଏହି ଲକ୍ଷ୍ୟଗୁଡ଼ିକ ଜୈବବିବିଧତାର କ୍ରମାଗତ ଅବକ୍ଷୟକୁ ରୋକିବା ଏବଂ ସମସ୍ତଙ୍କ ନିମନ୍ତେ ଏକ ନିରନ୍ତର ଭବିଷ୍ୟତକୁ ପ୍ରୋତ୍ସାହିତ କରିବା ଦିଗରେ କାର୍ଯ୍ୟରତ। ଡିସେମ୍ବର ୨୦୨୨ରେ କାନାଡାର ମଣ୍ଟ୍ରିଲରେ ସିବିଡିର ୧୫ତମ ସଦସ୍ୟ ରାଷ୍ଟ୍ରଙ୍କ ସମ୍ମିଳନୀ (କୋପ-୧୫)ରେ ‘କୁନ୍ମିଂ-ମଣ୍ଟ୍ରିଲ ବୈଶ୍ୱିକ ଜୈବବିବିଧତା ଢାଞ୍ଚା’ ଗୃହୀତ ହୋଇଥିଲା; ଯେଉଁଥିରେ ବିଶ୍ୱର ଅତି କମ୍‌ରେ ୩୦ ପ୍ରତିଶତ ସ୍ଥଳଭାଗ, ଆଭ୍ୟନ୍ତରୀଣ ଜଳସ୍ଥଳୀ, ଉପକୂଳ ଅଞ୍ଚଳ ଏବଂ ମହାସାଗରକୁ ସଂରକ୍ଷଣ ଏବଂ ପରିଚାଳନା କରିବା ନିମନ୍ତେ ସ୍ଥିରୀକୃତ ହୋଇଥିଲା। ଏଥିରେ ଜୈବବିବିଧତା ଏବଂ ପରିସଂସ୍ଥାର କାର୍ଯ୍ୟ ସମ୍ପାଦନ ତଥା ସେବା ପ୍ରଦାନ ପ୍ରକ୍ରିୟାରେ ନିର୍ଦ୍ଦିଷ୍ଟ ମହତ୍ତ୍ୱ ରଖୁଥିବା କ୍ଷେତ୍ରଗୁଡ଼ିକର ସଂରକ୍ଷଣ ଉପରେ ଗୁରୁତ୍ୱାରୋପ କରାଯାଇଥିଲା। କୋପ-୧୬ରେ ‘ଜୈବବିବିଧତା ଉଧାର ମଞ୍ଚ’ର ପ୍ରତିଷ୍ଠା ହୋଇଥିଲା; ଯାହାର ଉଦ୍ଦେଶ୍ୟ ହେଉଛି ଜୈବବିବିଧତା ସମୃଦ୍ଧ ଅଞ୍ଚଳର ସଂରକ୍ଷଣ, ପୁନରୁଦ୍ଧାର ଏବଂ ସହନୀୟ ବ୍ୟବହାର ନିମନ୍ତେ ପାଣ୍ଠି ଯୋଗାଣର ବ୍ୟବସ୍ଥା କରିବା।
ଏହା ଆମର ହୃଦ୍‌ବୋଧ ହେବା ବାଞ୍ଛନୀୟ ଯେ ଜୈବବିବିଧତାର ଅବକ୍ଷୟ ଉଭୟ ପରିବେଶ ଏବଂ ମାନବ କଲ୍ୟାଣ ବିରୋଧରେ ସୁଦୂରପ୍ରସାରୀ ନକାରାତ୍ମକ ପ୍ରଭାବ ବିସ୍ତାର କରେ। ପରିସଂସ୍ଥା ବିପର୍ଯ୍ୟସ୍ତ ହୁଏ, ସେମାନଙ୍କ ସ୍ଥିରତାରେ ଅସନ୍ତୁଳନ ଘଟେ ଏବଂ ଉଦ୍ଭିଦ-ପ୍ରାଣୀ ଉତ୍ସରୁ ଲବ୍ଧ ବିବିଧ ପଦାର୍ଥ ତଥା ସ୍ବଚ୍ଛ ବାୟୁ ଓ ଜଳ ଭଳି ଅତ୍ୟାବଶ୍ୟକୀୟ ସେବା ଯୋଗାଣ ବାଧାପ୍ରାପ୍ତ ହୁଏ। ଏସବୁର ପରିଣାମରେ ଖାଦ୍ୟ ସୁରକ୍ଷା ବ୍ୟାହତ ହୁଏ, ରୋଗ ସୃଷ୍ଟିରେ ବୃଦ୍ଧି ଘଟେ ଏବଂ ଆର୍ଥିକ କ୍ଷୟକ୍ଷତି ତ୍ୱରାନ୍ବିତ ହୁଏ। ପୁନଶ୍ଚ, ବିଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ ପରିପ୍ରେକ୍ଷୀରେ ବହୁ ଜୀବଜାତି କ୍ରମଶଃ ବିଲୁପ୍ତିର ଦ୍ୱାରଦେଶରେ ଉପନୀତ ହେଉଛନ୍ତି ଏବଂ ସେମାନଙ୍କର ଭୌଗୋଳିକ ବଣ୍ଟନ ପ୍ରଭାବିତ ହେଉଛି। ଏପରି ଦୃଶ୍ୟପଟ୍ଟରେ ଜୈବବିବିଧତାର ସୁରକ୍ଷା ଓ ସଂରକ୍ଷଣ ନିମନ୍ତେ ଉପଯୁକ୍ତ ରାଷ୍ଟ୍ରୀୟ ତଥା ବିଶ୍ୱସ୍ତରୀୟ ପଦକ୍ଷେପ ଗ୍ରହଣ ଯଥେଷ୍ଟ ଗୁରୁତ୍ୱ ବହନ କରେ। ଜୀବଜାତିଙ୍କ ବାସସ୍ଥଳୀର ସୁରକ୍ଷା ନିମନ୍ତେ ଅଧିକ ଜାତୀୟ ଉଦ୍ୟାନ, ସଂରକ୍ଷିତ ବନ୍ୟପ୍ରାଣୀ ଅଞ୍ଚଳ ଏବଂ ସାମୁଦ୍ରିକ ଅଭୟାରଣ୍ୟର ପ୍ରତିଷ୍ଠା ତଥା ଅବକ୍ଷୟିତ ପରିସଂସ୍ଥା ସବୁର ପୁନରୁଦ୍ଧାର ଏକାନ୍ତ ଅପରିହାର୍ଯ୍ୟ। ବନୀକରଣ ଏବଂ ବୃକ୍ଷରୋପଣକୁ ପ୍ରୋତ୍ସାହନ, ବିଲୁପ୍ତପ୍ରାୟ ଜୀବଜାତିଙ୍କ ଶିକାରର ଦୃଢ଼ ନିରୋଧ, ପରିବେଶ ଅନୁକୂଳ ବ୍ୟବହାରକୁ ଉତ୍ସାହିତ ଏବଂ ପ୍ରାକୃତିକ ସମ୍ପଦର ଅତ୍ୟଧିକ ଶୋଷଣକୁ ନିରୁତ୍ସାହିତ କରାଯିବା ବିଧେୟ।
ପୁନଶ୍ଚ, ଜୈବବିବିଧତା ଆଇନ ସବୁର କାର୍ଯ୍ୟାନ୍ବୟନ, ଅନ୍ତର୍ଜାତୀୟ ଚୁକ୍ତିନାମାକୁ ସମର୍ଥନ ଏବଂ ଜାତୀୟ ବିକାଶ ରଣନୀତିରେ ଜୈବବିବିଧତା ଲକ୍ଷ୍ୟକୁ ସାମିଲ କରାଯିବା ବାଞ୍ଛନୀୟ। ପରିସଂସ୍ଥାର ପ୍ରଦୂଷଣକୁ ରୋକିବା, ସ୍ବଚ୍ଛ ଶକ୍ତି ଓ ଅଙ୍ଗାରକ ହ୍ରାସନ ପ୍ରଯୁକ୍ତିବିଦ୍ୟାର ପ୍ରୋତ୍ସାହନ ଏବଂ ସ୍ଥାନୀୟ ଜୀବଜାତିଙ୍କର କ୍ଷତିସାଧନକାରୀ ବାହ୍ୟ ପ୍ରଜାତିଙ୍କର ନିୟନ୍ତ୍ରଣ ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ଅନ୍ୟପକ୍ଷରେ, ସ୍ଥାନୀୟ ସମ୍ପ୍ରଦାୟକୁ ଜୈବବିବିଧତାର ଗୁରୁତ୍ୱ ପ୍ରସଙ୍ଗରେ ଶିକ୍ଷା ପ୍ରଦାନ; ସେମାନଙ୍କୁ ସଂରକ୍ଷଣ ପ୍ରକ୍ରିୟାରେ ସାମିଲ; ପାରମ୍ପରିକ, ସମ୍ପ୍ରଦାୟଭିତ୍ତିକ ସଂରକ୍ଷଣ, ଏବଂ ନିରନ୍ତର ଜୀବିକାର୍ଜନକୁ ସମର୍ଥନ ମହତ୍ତ୍ୱପୂର୍ଣ୍ଣ ଅଟେ। ଅଧିକ ବୈଜ୍ଞାନିକ ଅନୁସନ୍ଧାନ, ଜିଆଇଏସ, ଡ୍ରୋନ ଏବଂ ରିମୋଟ ସେନ୍ସିଂ ଭଳି ପ୍ରଯୁକ୍ତିବିଦ୍ୟାର ବ୍ୟବହାର, ଜଳବାୟୁ ପରିବର୍ତ୍ତନର ପ୍ରଭାବ ଉପରେ ଅଧ୍ୟୟନ ଏବଂ ଅନୁକୂଳିତ ପରିଚାଳନା ନିମନ୍ତେ ଯୋଜନା ପ୍ରଣୟନ ହେଉଛି ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଦିଗ। ସର୍ବୋପରି, ବିଦ୍ୟାଳୟ ପାଠ୍ୟକ୍ରମରେ ଜୈବବିବିଧତାକୁ ସାମିଲ, ସଂରକ୍ଷଣ ଅଭିଯାନରେ ଜନସାଧାରଣଙ୍କର ଅଂଶଗ୍ରହଣ ଏବଂ ଗଣମାଧ୍ୟମ କାର୍ଯ୍ୟକ୍ରମରେ ଜୈବବିବିଧତା ସୁରକ୍ଷାର ପ୍ରଚ଼ାର ହେଉଛି ସମୟୋପଯୋଗୀ ପଦକ୍ଷେପ। ଅନ୍ୟଥା, ଜୈବବିବିଧତା ପ୍ରାଚୁର୍ଯ୍ୟର ଅବକ୍ଷୟରେ ସମ୍ବଳରହିତ ଏକ ମରୁଭୂମିରେ ଜୀବନଯାପନ କରିବା ଭବିଷ୍ୟତ ପିଢ଼ି ନିମନ୍ତେ ଏକ ଆହ୍ବାନକାରୀ ପରିସ୍ଥିତି ସୃଷ୍ଟି କରିବ।
କାର୍ଯ୍ୟକାରୀ ସଭାପତି, ଓଡ଼ିଶା ପରିବେଶ ସମିତି, ଭୁବନେଶ୍ୱର
ମୋ: ୯୪୩୭୦୭୬୧୦୦


Enter your email to get our daily news in your inbox.

All Right Reserved By Dharitri.Com

ଲୋକ ସଭାରେ ରେଳସେବା ସମସ୍ୟା ପ୍ରସଙ୍ଗ ଉଠାଇଲେ ବରଗଡ଼ ଏମ୍‌ପି

ବରଗଡ଼,୧୯।୩(ପ୍ରେମାନନ୍ଦ ଖମାରୀ):ବରଗଡ଼ ଲୋକ ସଭା ନିର୍ବାଚନମଣ୍ଡଳୀର ଜନସାଧାରଣଙ୍କ ବିଭିନ୍ନ ସମସ୍ୟାକୁ ଗୁରୁବାର ବରଗଡ଼ ଏମ୍‌ପି ପ୍ରଦୀପ ପୁରୋହିତ ଲୋକ ସଭାରେ ଉଠାଇଛନ୍ତି। ବିଶେଷକରି ରେଳସେବାର ବିକାଶ ଓ…

ବାସନ୍ତୀକ ନବରାତ୍ର ପୂଜା: ଶୈଳପୁତ୍ରୀ ବେଶରେ ଦର୍ଶନ ଦେଲେ ମା’ ସମଲେଶ୍ବରୀ

ବରଗଡ଼,୧୯।୩(ପ୍ରେମାନନ୍ଦ ଖମାରୀ): ଆଜି ଚୈତ୍ର ଅମାବାସ୍ୟା ଯୁକ୍ତ ପ୍ରତିପଦା। ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ବାସନ୍ତୀକ ନବରାତ୍ର ପୂଜା ଆରମ୍ଭ ହୋଇଛି। ପ୍ରଥମ ଦିବସରେ ଦେବୀଙ୍କ…

ମହାପ୍ରଭୁଙ୍କ ଜମିର ଧାନବିକ୍ରି ପଞ୍ଜୀକରଣକୁ ନା: ଏବେଠାରୁ ଘାରିଲାଣି ଧାନବିକ୍ରି ଚିନ୍ତା

ବରଗଡ଼,୧୯।୩(ପ୍ରେମାନନ୍ଦ ଖମାରୀ): ରବିଧାନ ସଂଗ୍ରହ ପ୍ରକ୍ରିୟା ପାଇଁ ଚାଷୀଙ୍କ ଧାନବିକ୍ରି ପଞ୍ଜୀକରଣ ଚାଲିଛି। ଶୁକ୍ରବାର ଏଥିପାଇଁ ଆବେଦନ ଅବଧି ସରିଯିବ। ଅନ୍ୟପଟେ ବରଗଡ଼ ଜିଲାର ଅନେକ ଚାଷୀ…

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ଭାରତରେ ଡାଉନ ହେଲା ସୋସିଆଲ ମିଡିଆ ପ୍ଲାଟଫର୍ମ X, ହଜାର ହଜାର ୟୁଜର୍ସ…

ବୁଧବାର ସନ୍ଧ୍ୟାରେ ଭାରତରେ ସୋସିଆଲ ମିଡିଆ ପ୍ଲାଟଫର୍ମ X ହଠାତ୍ ଠପ୍ ହୋଇଯାଇଥିଲା । ଯାହା ଫଳରେ ଅନେକ ଉପଭୋକ୍ତା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଡାଉନଡିଟେକ୍ଟର…

କୋରାପୁଟରେ ଛେଚିଲା କୁଆପଥର ବର୍ଷା, ଅନ୍ଧାରରେ ସହର

କୋରାପୁଟ,୧୮।୩(ଅମିତାଭ ବେହେରା ): ବୁଧବାର ସନ୍ଧ୍ୟାରୁ କୋରାପୁଟ ଜିଲାର ବିଭିନ୍ନ ଅଞ୍ଚଳରେ ହଠାତ୍ କୁଆପଥର ସହ ପ୍ରବଳ ବର୍ଷା ହୋଇଥିଲା । ଫଳରେ କିଛି ସମୟ ପର୍ଯ୍ୟନ୍ତ…

ଅପହରଣ କରି ନେଇ ଯାଇଥିଲେ ତାମିଲନାଡୁ, ୭ ଦିନ ଯାଏ ନାବାଳିକାଙ୍କୁ…ଅଭିଯୁକ୍ତଙ୍କୁ ବାନ୍ଧି…

ପାଇକମାଳ,୧୮।୩ (ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଅପହରଣ କରିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri