ମେସ୍କୋ ଷ୍ଟିଲ୍‌ ଦେବାଳିଆ ଘୋଷଣା

କଳିଙ୍ଗନଗର,୩୧ା୫(ଡି.ଏନ.ଏ.): ବିଜୁ ପଟ୍ଟନାୟକଙ୍କ କରକମଳରେ ଆରମ୍ଭ ହୋଇଥିବା କଳିଙ୍ଗନଗର ଶିଳ୍ପାଞ୍ଚଳର ପ୍ରଥମ କାରଖାନା ମେସ୍କୋ ଷ୍ଟିଲ ୩ ବର୍ଷ ତଳୁ ବନ୍ଦ ରହିଥିବାବେଳେ ସୋମବାର କମ୍ପାନୀକୁ ଦେବାଳିଆ ଘୋଷଣା କରାଯାଇଛି। ଦେବାଳିଆ ପ୍ରସଙ୍ଗରେ କମ୍ପାନୀ ପରିଚାଳନା କର୍ତ୍ତୃପକ୍ଷ ସର୍ବାଧାରଣ ବିଜ୍ଞପ୍ତି ଜାରି କରିଛନ୍ତି। ଗତ ୨୪ତାରିଖରୁ କମ୍ପାନୀ ଦେବାଳିଆ ପର୍ଯ୍ୟାୟରେ ସାମିଲ ହୋଇଥିବାବେଳେ ଜୁନ ୭ ସୁଦ୍ଧା ଋଣଦାତାମାନେ ସେମାନଙ୍କ ଋଣ ସଂକ୍ରାନ୍ତ ଦାବିପତ୍ର ଦେବେ, ଯାହାକି ୧୮୦ଦିନ ମଧ୍ୟରେ ସମାଧାନ କରିବା ପାଇଁ ସମୟ ସୀମା ଧାର୍ଯ୍ୟ ହୋଇଛି। ଏହି ପ୍ରକ୍ରିୟାକୁ ଆସିବା ପରେ କାରଖାନା ସବୁଦିନ ପାଇଁ ବନ୍ଦ ହୋଇଯିବା ଅନୁମାନ କରାଯାଉଛି। ଏପରି ଅବସ୍ଥାରେ କାରଖାନା ପାଇଁ ଭିଟାମାଟି ହରାଇ କେବଳ ନିଯୁକ୍ତି ପାଇଥିବା ବିସ୍ଥାପିତ ପରିବାର ଲୋକେ ସେମାନଙ୍କ ଭବିଷ୍ୟତ ନେଇ ଆଶଙ୍କାରେ ଅଛନ୍ତି।
୧୯୯୫ରେ ଅବସ୍ଥାପିତ ମେସ୍କୋ(ଏମ୍‌ଏସ୍‌ଆଇ୍‌ଏଲ୍‌) କୌଣସି ଦିନ ଷ୍ଟିଲ ଉତ୍ପାଦନ କରିପାରି ନ ଥିଲା। ନିଜର ଲୌହ ଖଣି, ରେଳ ସଂଯୋଗ ଓ ଉନ୍ନତ ଭିତ୍ତିଭୂମି ରହିଥିବା ସତ୍ତ୍ୱେ କାରଖାନାରେ କେବଳ ପିଗ ଆଇରନ ଉତ୍ପାଦନ ହେଉଥିଲା। ଦୀର୍ଘ ଦିନ ତଳୁ ରହି ରହି ଚାଲୁଥିବା ଏହି କାରଖାନା ୩ବର୍ଷ ତଳେ ହଠାତ ବନ୍ଦ ହୋଇଯାଇଥିଲା। ଏହାପରେ କାରଖାନା ଚଳାଇବାକୁ ରାଜ୍ୟ ସରକାରଙ୍କଠାରୁ ଆବଶ୍ୟକୀୟ ‘କନସେଣ୍ଟ ଟୁ ଅପରେଟ’ ମିଳି ନ ଥିଲା। କାରଖାନାର ୩ଶହ ପାଖାପାଖି କର୍ମଚାରୀଙ୍କୁ ସେମାନଙ୍କ ଦରମା ପ୍ରଦାନ କରାଯାଇ ନ ଥିବାବେଳେ କମ୍ପାନୀ କର୍ତ୍ତୃପକ୍ଷ ୨ ବର୍ଷ ତଳୁ ନିଜ ରେଳ ସାଇଡିଂକୁ ଭଡ଼ାରେ ଲଗାଇ ଭଲ ଆୟ କରି ଆସୁଥିଲେ। କାରଖାନାର ମାଲିକ କିଛି କର୍ମଚାରୀଙ୍କୁ ହାତ କରି କୋଟି କୋଟି ଟଙ୍କାର ସ୍କ୍ରାପ ଏବଂ ସ୍ଲାବ ବିକ୍ରି କରିବାକୁ ସକ୍ଷମ ହୋଇଥିଲେ। କାରଖାନାର ରେଳ ପ୍ଲଟକୁ ସିମେଣ୍ଟ କାରଖାନାର କଞ୍ଚାମାଲ ଓ କୋଇଲା ଖଲାସ ପାଇଁ ଭଡାରେ ଲଗାଇ ଟଙ୍କା ମଧ୍ୟ ପାଉଥିଲେ। କର୍ମଚାରୀଙ୍କ ବେସିକ ଦରମା ଏବଂ ଇନସିଏଟିଭ ପ୍ରଦାନ କରିବାକୁ ପ୍ରଶାସନ ମଧ୍ୟସ୍ଥତାରେ ଏକାଧିକ ଥର ବୈଠକ ବସିଥିବାବେଳେ କୌଣସି ନିଷ୍କର୍ସ ବାହାରି ପାରି ନ ଥିଲା। ଏବେ କମ୍ପାନୀ ଋଣ ସୁଝିବାକୁ ଅକ୍ଷମ ବୋଲି ଘୋଷଣା କରିବା ପରେ କମ୍ପାନୀ ଋଣଦାତାଙ୍କ ଟଙ୍କା ପାଇଁ ନିଲାମ ହେବା ଏକ ପ୍ରକାର ନିଶ୍ଚିତ ହୋଇଯାଇଛି।