ଶୀତରେ ଥରୁଛି ଜି ଉଦୟଗିରି: ୮ ଡିଗ୍ରୀକୁ ଖସିଲା ପାରଦ

ଜି ଉଦୟଗିରି,୨୮।୧୧(ଡି.ଏନ୍‌.ଏ.): କିଛି ଦିନର ବ୍ୟବଧାନ ପରେ କନ୍ଧମାଳନ୍‌ ଜିଲା ଜି ଉଦୟଗିରି ସହରକୁ ପୁଣି ଶୀତ ଫେରିଛି । ୩ଦିନ ହେଲା କ୍ରମାଗତ ତାପମାତ୍ରା ହ୍ରାସ ପାଉଥିବାରୁ ଜନଜୀବନକୁ ପ୍ରବାହିତ କରିଛି। ୩ ଦିନ ମଧ୍ୟରେ ତାପମାତ୍ରା ୩ ଡିଗ୍ରୀ ତଳକୁ ଖସିଛି। ସୋମବାର ସର୍ବନିମ୍ନ ତାପମାତ୍ରା ୮.୦ ଡିଗ୍ରୀ ସେଲସିୟସ ରହିଛି। ରବିବାର ୯.୦ ଡିଗ୍ରୀ ଥିବାବେଳେ ଶନିବାର ୧୦ ଡିଗ୍ରୀ ରହିଥିଲା ବୋଲି କୃଷି ପାଣିପାଗ କେନ୍ଦ୍ର ଅଧିକାରୀ ସତ୍ୟନାରାୟଣ ମହାନ୍ତି ସୂଚନା ଦେଇଛନ୍ତି।

ଶୀତ ସାଙ୍ଗକୁ ଘନ କୁହୁଡ଼ି ଯାନବାହନ ଚଳାଚଳରେ ବାଧା ଉପଜୁଛି। ଲୋକେ ନିଆଁ ପୁଇଁ ଶୀତର ମଜା ନେଉଛନ୍ତି । ଏପରିକି ଶୀତକୁ ଉପଭୋଗ କରିବା ପାଇଁ ବାହାର ଜିଲାରୁ ପର୍ଯ୍ୟଟକମାନେ ଜିଲାର ବିଭିନ୍ନ ପର୍ଯ୍ୟଟନପ ସ୍ଥଳକୁ ଆସୁଛନ୍ତି । କଳିଙ୍ଗା ବନ ଉଦ୍ୟାନ, କଳିଙ୍ଗା ଘାଟି, କଫି ବଗିଚାରେ ଏବେ ଲୋକଙ୍କ ଭିଡ଼ ଜମୁଛି। ବର୍ତ୍ତମାନ ସୁଧା ର୍ସିକୀ ଇକୋ ପାର୍କ ସର୍ବସାଧାରଣଙ୍କ ପାଇଁ ଖୋଲି ନ ଥିବା ଯୋଗୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ତୁରନ୍ତ ପାର୍କ ଖୋଲାଗଲେ ଜିଲାରେ ଆହୁରି ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି ବରିଷ୍ଠ ନାଗରିକ ବିନୋଦ ବିହାରୀ ଦାଶ କହିଛନ୍ତି।