ରାସ୍ତା ମାଡ଼ି ବସୁଛନ୍ତି ବ୍ୟବସାୟୀ

ଯାଜପୁରରୋଡ୍‌,୮ା୯(ପବିତ୍ର ରଞ୍ଜନ ମହାନ୍ତି): କଳିଙ୍ଗନଗର ଶିଳ୍ପାଞ୍ଚଳର ମୁଖଶାଳାଭାବେ ପରିଚିତ ବ୍ୟାସନଗର ସହରର ଲୋକସଂଖ୍ୟା ଦିନକୁ ଦିନକୁ ଆଶାତୀତ ଭାବେ ବୃଦ୍ଧି ପାଉଛି। ସେହି ଅନୁଯାୟୀ ସହର ମଧ୍ୟରେ ଯାନବାହନ ଚଳାଚଳ ବୃଦ୍ଧି ପାଇବା ସହ ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହେଉଛି। ବ୍ୟବସାୟିକ ଅନୁଷ୍ଠାନଗୁଡ଼ିକର ପାର୍କିଂ ବ୍ୟବସ୍ଥା ନ ଥିବାରୁ ରାସ୍ତା ଉପରେ ଗାଡ଼ିରଖି ଲୋକେ ସାମଗ୍ରୀ କ୍ରୟ କରୁଛନ୍ତି। ଯଦ୍ଦ୍ବାରା ପଥଚାରୀଙ୍କ ପାଇଁ ସମସ୍ୟା ସୃଷ୍ଟି ହେବାସହ ବହୁ ସମୟରେ ଦୁର୍ଘଟଣାମାନ ଘଟୁଛି। ଅନ୍ୟପଟେ ପୌର ପରିଷଦର ରାସ୍ତା କଡ଼ ବ୍ୟବସାୟୀଙ୍କ ପାଇଁ ଭେଣ୍ଡିଂ ଜୋନ୍‌ ବ୍ୟବସ୍ଥା ନ ଥିବାରୁ ସେମାନେ ରାସ୍ତା କଡ଼ରେ, ଡ୍ରେନ ଉପରେ ଓ ଠେଲା ଗାଡ଼ିରେ ବ୍ୟବସାୟ କରୁଛନ୍ତି। ଫଳରେ ମନଇଚ୍ଛା ରାସ୍ତାକୁ ମାଡ଼ି ପସରା ମେଲି ବସୁଛନ୍ତି। ହେଲେ ସେମାନଙ୍କ ଉପରେ ପୌର କର୍ତ୍ତୃପକ୍ଷଙ୍କ କୌଣସି ଲଗାମ ନାହିଁ। ଏହାର ଉଦାହରଣ ଦେଖିବାକୁ ମିଳିଛି ସହରର ମୁଖ୍ୟ ଚଳଚଞ୍ଚଳ ଡାକବଙ୍ଗଳା ଛକଠାରୁ ତାରିଣୀ ମାର୍କେଟ ରାସ୍ତାରେ। ଏହି ଛକ ନିକଟରେ କଳିଙ୍ଗନଗର ଅତିରିକ୍ତ ଜିଲାପାଳଙ୍କ କାର୍ଯ୍ୟାଳୟ ଅବସ୍ଥିତ। ଉକ୍ତ କାର୍ଯ୍ୟାଳୟ ପାଚେରି କଡ଼ରେ ଫଳ ଓ ପରିବା ବ୍ୟବସାୟୀ ସକାଳୁ ରାତି ପର୍ଯ୍ୟନ୍ତ ନିଜର ପସରା ମେଲି ବସିବା ଦ୍ୱାରା ଟ୍ରାଫିକ ସମସ୍ୟା ଦ୍ୱିଗୁଣିତ ହେଉଛି। ଫଳରେ ଉକ୍ତ ରାସ୍ତାଟି ସଂକୁଚିତ ହୋଇ ପଡୁଛି। ଏହାସହିତ ନିକଟରେ ଥିବା ଗ୍ରୀନ ମାର୍କେଟକୁ ସାମଗ୍ରୀ ନେଇ ଆସୁଥିବା ଭାରିଯାନଗୁଡ଼ିକ ଘଣ୍ଟାଘଣ୍ଟା ଧରି ରାସ୍ତାଉପରେ ରଖିବା ଦ୍ୱାରା ସାଧାରଣ ଲୋକେ ଯାତାୟାତରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଉକ୍ତ ରାସ୍ତାରେ ଯାଜପୁରରୋଡ୍‌ ରେଲ୍‌ଓ୍ବେ ମାଲଗୋଦାମରୁ ବହୁ ସମୟରେ ସାମଗ୍ରୀ ନେଇ ଯାଉଥିବା ଭାରିଯାନ ପାଇଁ ସମସ୍ୟା ଅଧିକ ଜଟିଳ ହେବାସହ ବହୁ ସମୟରେ ଦୁର୍ଘଟଣା ଘଟି ଜୀବନ ହାନି ଘଟୁଥିବା ନଜିର ରହିଛି। ବିଶେଷକରି ରାସ୍ତାଟି ଯାଜପୁରରୋଡ୍‌ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ସଂଯୋଗ କରୁଥିବାରୁ ଆମ୍ବୁଲାନ୍ସ ଓ ଅନ୍ୟ ଜରୁରୀ ଗାଡ଼ିଗୁଡିକ ଯିବାଆସିବାରେ ଅସୁବିଧା ହେଉଛି। ଗର୍ଭବତୀ ଓ ଅନ୍ୟ ଜରୁରୀ ଚିକିତ୍ସା ପାଇଁ ଆସୁଥିବା ରୋଗୀ ବିଳମ୍ବରେ ପହଞ୍ଚତ୍ବାରୁ ମୃତ୍ୟୁ ମୁଖରେ ପଡୁଛନ୍ତି।
ରାସ୍ତାକଡ଼ ବ୍ୟବସାୟୀଙ୍କଠାରୁ କେତେଜଣ ଅସାଧୁ ପୌର କର୍ମଚାରୀ ନାମକୁ ମାତ୍ର ରସିଦ କାଟି ଅର୍ଥ ଆଦାୟ କରୁଥିବା ବେଳେ ନିଜ ପକେଟ ଗରମ କରୁଥିବା ଅଭିଯୋଗ ହେଉଛି। ଡାକବଙ୍ଗଳା ଛକରୁ ତାରିଣୀ ମାର୍କେଟ ପର୍ଯ୍ୟନ୍ତ ରାସ୍ତାର ଗୋଟିଏ ପାର୍ଶ୍ୱ ରେଲଓ୍ବେର ହୋଇଥିବାରୁ ଉକ୍ତ ରାସ୍ତାକଡ଼ ଉଠା ଦୋକାନୀଙ୍କଠାରୁ ରେଳ ସୁରକ୍ଷା ବଳର କେତେଜଣ କର୍ମଚାରୀ ମାସିକିଆ ବଟି ନେଉଥିବା ଶୁଣିବାକୁ ମିଳୁଛି। ସହରରେ ବିଧିବଦ୍ଧ ଭାବେ କୌଣସି ଟ୍ରାଫିକ ବ୍ୟବସ୍ଥା ନ ଥିବାରୁ ସହରବାସୀ ଦୈନଦିନ ଜୀବନରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଛୋଟ ବଡ଼ ଦୁର୍ଘଟଣାମାନ ଘଟି ଧନ ଜୀବନ ହାନି ହେଉଛି। ଏଥିପ୍ରତି ପୌର କର୍ତ୍ତୃପକ୍ଷ ଓ ସ୍ଥାନୀୟ ପ୍ରଶାସନ ଦୃଷ୍ଟି ଦେଇ ଉକ୍ତ ବ୍ୟବସାୟୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବା ସହ ରାସ୍ତାକୁ ଟ୍ରାଫିକ ମୁକ୍ତ କରିବାକୁ ସହରର ବୁଦ୍ଧିଜୀବୀ ଦାବି କରିଛନ୍ତି। ମାତ୍ର ସମସ୍ୟାର ସମାଧାନ ନ ହେଲେ ଆଗାମୀ ଦିନରେ ସହରବାସୀ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ପ୍ରତିକ୍ରିୟା ପାଇଁ ବ୍ୟାସନଗର ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ତରୁଣ କୁମାର ମହାପାତ୍ରଙ୍କୁ ଫୋନ ଯୋଗେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ୍‌ କଲ୍‌ ଗ୍ରହଣ କରି ନ ଥିଲେ।