ମାନସିକ ଭାରସାମ୍ୟ ହରାଇଲେଣି ପ୍ରଦୀପ: ବିକ୍ରମ ପଣ୍ଡା

ଭୁବନେଶ୍ୱର,୨।୨(ଅନିଲ ଦାସ): ନିଜ ନିର୍ବାଚନମଣ୍ଡଳୀ ଲୋକଙ୍କୁ ଚାକିରି ଦେବା ନାଁରେ ଲୁଟିଥିବା ପ୍ରଦୀପ ପାଣିଗ୍ରାହୀ ଏବେ ମାନସିକ ଭାରସାମ୍ୟ ହରାଇ ବସିଲେଣି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ କୋର୍ଟ ଚାର୍ଜଫ୍ରେମ୍‌ କରିବା ପରେ ତାଙ୍କର ପ୍ରବଳ ମୁଣ୍ଡଦୋଷ ବାହାରିଛି । ସେ ପାଗଳର ପ୍ରଳାପ କରୁଛନ୍ତି ବୋଲି ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା କହିଛନ୍ତି ।
ଗଣମାଧ୍ୟମକୁ ସେ କହିଛନ୍ତି ଯେ ପ୍ରଦୀପ ପାଣିଗ୍ରାହୀ ଭଲ ଭାବେ ଜାଣିଛନ୍ତି ତାଙ୍କ ବିରୋଧରେ ପ୍ରାଥମିକ ତଥ୍ୟ ପ୍ରମାଣ ଅଛି। ଏହି ମାମଲାରେ ତାଙ୍କ ବିରୋଧରେ କଠୋର ଦଣ୍ଡବିଧାନ ହେବ। ତେଣୁ ଲଜ୍ଜାହୀନଙ୍କ ଭଳି ଇଆଡୁସିଆଡୁ ଗପୁଛନ୍ତି। ତାଙ୍କ କଥାକୁ ନା ଗୋପାଳପୁରବାସୀ ନା ସାଧାରଣ ଜନତା କେହି ମଧ୍ୟ ଗୁରୁତ୍ୱ ଦେଉନାହାନ୍ତି।
ଏହି ପ୍ରତ୍ୟାଖ୍ୟାତ ବ୍ୟକ୍ତିଙ୍କୁ କୋଳେଇ ନେବାକୁ ନିର୍ଦ୍ଦିଷ୍ଟ ରାଜନୈତିକ ଦଳ ନିଷ୍ପତ୍ତି ନେଇସାରିଲାଣି ବୋଲି ଉକ୍ତ ବ୍ୟକ୍ତି ଜଣଙ୍କ ଚାରିଆଡ଼େ କହି ବୁଲୁଛନ୍ତି। ଯଦି ଏଥିରେ ସତ୍ୟତା ଥାଏ ତେବେ କିଛି ଆଶ୍ଚର୍ଯ୍ୟ ହେବାର ନାହିଁ। କାରଣ ସେହି ଦଳଟି ଏଭଳି ଜନବିରୋଧୀ ନେତାଙ୍କୁ ସବୁବେଳେ ଆପଣାଇ ଚାଲେ ଏବଂ ଓଡ଼ିଶାବାସୀ ଏମାନଙ୍କୁ ପ୍ରତ୍ୟାଖ୍ୟାନ କରିଚାଲନ୍ତି ବୋଲି ବିକ୍ରମ କହିଛନ୍ତି ।
ସୂଚନା ଯୋଗ୍ୟ ଯେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ବିଭିନ୍ନ ପ୍ରସଙ୍ଗରେ ବିଜେଡିକୁ ସମାଲୋଚନା କରିବା ପରେ ଦଳ ପକ୍ଷରୁ ଏଭଳି ପ୍ରତିକ୍ରିୟା ପ୍ରକାଶ କରାଯାଇଛି।