Categories: Home Leftଖେଳ

ହକି ବିଶ୍ୱକପ୍‌: ନେଦରଲାଣ୍ଡ୍ସକୁ ହରାଇ ବ୍ରୋଞ୍ଜ ପଦକ ଜିତିଲା ଆର୍ଜେଣ୍ଟିନା

ବେଲଫିଅସ,୩୦ା୮: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ରେ ଆର୍ଜେଣ୍ଟିନା ବ୍ରୋଞ୍ଜ ପଦକ ହାସଲ କରିଛି। ରବିବାର ଅନୁଷ୍ଠିତ ମ୍ୟାଚ୍‌ରେ ଆର୍ଜେଣ୍ଟିନା ୨-୧ ଗୋଲରେ ହକି ପାଓ୍ବରହାଉସ୍‌ ତଥା ଆୟୋଜକ ନେଦରଲାଣ୍ଡ୍ସକୁ ପରାସ୍ତ କରି ଏହି ସଫଳତା ପାଇଛି।

ଏହି ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ର ପ୍ରଥମାର୍ଦ୍ଧ ଗୋଲ ଶୂନ୍ୟ ରହିଥିଲା। ଦ୍ୱିତୀୟାର୍ଦ୍ଧର ତୃତୀୟ କ୍ୱାର୍ଟରରେ ଆର୍ଜେଣ୍ଟିନା ପାଇଁ ଡୋମେନ ଟୋମାସ ୪୧ତମ ମିନିଟ୍‌ରେ ଗୋଲ ସ୍କୋର କରିଥିଲେ। ଏଥିଯୋଗୁ ତୃତୀୟ କ୍ୱାର୍ଟର ଶେଷ ସୁଦ୍ଧା ଆର୍ଜେଣ୍ଟିନା ୧-୦ ଗୋଲରେ ଆଗରେ ରହିଥିଲା।

ଅନ୍ତିମ ତଥା ଚତୁର୍ଥ କ୍ୱାର୍ଟରରେ ୪୯ତମ ମିନିଟ୍‌ରେ ନେଦରଲାଣ୍ଡ୍ସକୁ ଏକ ପେନାଲ୍ଟି କର୍ନର(ପିସି) ମିଳିଥିଲା। ଏହାକୁ ମିଡେନଡର୍ପ ଫ୍ଲୋରିସ ଗୋଲରେ ପରିଣତ କରିବା ସହ ମ୍ୟାଚ୍‌କୁ ବରାବର ସ୍ଥିତିକୁ ଆଣିଥିଲେ। ହେଲେ ଏହାର ୧୦ ମିନିଟ୍‌ ପରେ ଆର୍ଜେଣ୍ଟିନାକୁ ମିଳିଥିବା ପିସିକୁ ରେ ମାଟିଆସ ସ୍କୋର କରି ଦଳକୁ ୨-୧ ଗୋଲର ଅଗ୍ରଣୀ ଆଣି ଦେଇଥିଲେ। ମ୍ୟାଚ୍‌ର ଅନ୍ତିମ ୫ ସେକେଣ୍ଡରେ ମ୍ୟାଚ୍‌କୁ ବରାବର କରିବା ପାଇଁ ପିସି ଜରିଆରେ ନେଦରଲାଣ୍ଡ୍ସକୁ ଲଗାତର ୩ଟି ସୁଯୋଗ ମିଳିଥିଲା। ମାତ୍ର କୌଣସି ଖେଳାଳି ଆର୍ଜେଣ୍ଟିନାର ଡିଫେନ୍ସ ଲାଇନ ଭେଦ କରିପାରି ନ ଥିଲେ।

Share