ଅତୀତର ସ୍ମୃତି-ଭବିଷ୍ୟତର ନକ୍ସା

ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା। ଖାଲି ସନାତନୀ ଧର୍ମ ବିଶ୍ୱାସର ଏକ ପ୍ରମୁଖ ଦିବସଟିଏ ନୁହେଁ। ମହାନ୍‌ ଓଡ଼ିଆ ସଭ୍ୟତା, ସଂସ୍କୃତି ତଥା ଆର୍ଥିକ ପ୍ରଗତିର ମୂକସାକ୍ଷୀ ଭଳି ଦିନଟିଏ। ଆଜି ଦିନ ଅତୀତର ସ୍ମୃତିକୁ ତାଜା କରୁଛି। ବଡ଼ି ଭୋରରୁ ଆପଣମାନେ ସାମିଲ ହୋଇଥିବେ ଡଙ୍ଗାଭସା ଓ ବୋଇତ ବନ୍ଦାଣ ପରି କାର୍ଯ୍ୟକ୍ରମରେ। ଆମର ସାଧବ ପୁଅ ସାତ ଦରିଆ ତେର ନଈ ଡେଇଁ ବିଦେଶରେ ବେପାର ବଣିଜ କରି ଓଡ଼ିଶାକୁ ଧନଧାନ୍ୟରେ ପରିପୂର୍ଣ୍ଣ କରିଥିବା ସ୍ମୃତିର ଦିନ ଆଜି। ଏହି ପବିତ୍ର ଦିନରେ ସାଢ଼େ ଚାରି କୋଟି ଓଡ଼ିଆଙ୍କୁ ଅତୀତର ନିଅଁ ଉପରେ ଠିଆହୋଇ ଅଭିନନ୍ଦନ ଜଣାଉଛି। ପୁଣି ଓଡ଼ିଶାର ହୃତ ଗୌରବ ଫେରାଇ ଆଣିବା ପାଇଁ ଓଡ଼ିଆ ଜାତିର ସଂକଳ୍ପକୁ ଦୋହରାଉଛି।
ମୋର ସ୍ପଷ୍ଟ ମନେଅଛି, ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ପ୍ରଥମ ପାଳି ଶାସନରେ ଓଡ଼ିଶା ଗସ୍ତରେ ଆସି ବାଲେଶ୍ୱରରେ ଜନସଭା କରୁଥାନ୍ତି। ଓଡ଼ିଶାର ଯଶକୀର୍ତ୍ତି ଚାରଣ କରି ସେ ମହାକବି କାଳିଦାସଙ୍କ ମହାକାବ୍ୟ କୁମାର ସମ୍ଭବମ୍‌ର ଅବତାରଣା କରିଥିଲେ। ତାଙ୍କ ମହାକାବ୍ୟରେ ମହାକବି କାଳିଦାସ କଳିଙ୍ଗର ସମ୍ରାଟଙ୍କୁ ମହୋଦଧିପତି, ଅର୍ଥାତ୍‌ ସମୁଦ୍ରର ରାଜା ଭାବରେ ବର୍ଣ୍ଣନା କରିଥିବା ଜନ ସମୁଦ୍ର ସାମ୍‌ନାରେ ଅବତାରଣା କରିଥିଲେ। ବିଜେପିର ଜଣେ ସାଧାରଣ କାର୍ଯ୍ୟକର୍ତ୍ତା ଭାବରେ ଏହି ବିଶାଳ ଜନସଭାରେ ସାମିଲ ହେବାର ସୌଭାଗ୍ୟ ମୋର ଥିଲା। କଳିଙ୍ଗର ରାଜା-ମହାକବି କାଳିଦାସ-ମହୋଦଧିପତି ଶବ୍ଦରେ ସମବେତ ବିଶାଳ ଜନସମୁଦ୍ରରେ ସତେ ଯେମିତି ବଡ଼ ଜୁଆର ଆସିବାର ସ୍ମୃତି ଆଜି ବି ମୋ ମନରେ ତାଜା ଅଛି। ଓଡ଼ିଶାର ଗୌରବମୟ ପରମ୍ପରା ଓ ଆର୍ଥିକ ପ୍ରଗତିର କାହାଣୀ ଆହୁରି ଅଧିକରୁ ଅଧିକ ଜାଣିବା ପାଇଁ ମୋ ମନରେ ଉତ୍ସୁକତା ଜାଗିଥିଲା। ଲୋକଙ୍କ ହୃଦୟର କଥା କହିଲେ କେମିତି ଲୋକଙ୍କ ମନକୁ ବିଜୁଳି ବେଗରେ ଛୁଇଁପାରେ ସେଦିନ ମୁଁ ମର୍ମେ ମର୍ମେ ଅନୁଭବ କରିଥିଲି।
ଆଜି ଦିନରେ ମୁଁ ଓଡ଼ିଶାର ବନ୍ଦର ନଗରୀ ପାରାଦୀପଠାରେ ଐତିହାସିକ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ତଥା କଟକର ଐତିହାସିକ ବାଲିଯାତ୍ରା କାର୍ଯ୍ୟକ୍ରମଗୁଡ଼ିକରେ ଯୋଗଦେବାର ଅଛି। ଏହି ଐତିହାସିକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଜଣେ ସାଧାରଣ ଓଡ଼ିଆ ଭାବରେ ମୁଁ ବେଶ୍‌ ଗର୍ବିତ। ମୁଖ୍ୟମନ୍ତ୍ରୀ ଭାବରେ ଆପଣମାନେ ଓଡ଼ିଶାର ବିକାଶର ମଙ୍ଗ ଧରାଇଛନ୍ତି। ସାରା ବିଶ୍ୱରେ ଅର୍ଥନୈତିକ ସ୍ଥିତିରେ ଏବେ ଏକ ପ୍ରକାର ଅନିଶ୍ଚିତତା ଦେଖା ଦେଇଛି।
ଶକ୍ତିଶାଳୀ ଦେଶଗୁଡ଼ିକ ମଧ୍ୟରେ ବିବାଦ ଓ ଯୁଦ୍ଧସ୍ଥିତି ବିଶ୍ୱର ଅର୍ଥନୀତିକୁ ଅନେକ ଆହ୍ବାନର ସାମ୍ନା କରିବାକୁ ପଡୁଛି। ଏ ସବୁ ଭିତରେ ଦେଶର ଜନପ୍ରିୟ ନେତା ତଥା ଗରିବ କଲ୍ୟାଣର ସୂତ୍ରଧର ନରେନ୍ଦ୍ର ମୋଦୀ ଦେଶକୁ ଆଜି ଦିନରେ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୀତି କରାଇବାରେ ସଫଳ ହୋଇଛନ୍ତି। ଆଉ ବର୍ଷ କେଇଟା ଭିତରେ ଭାରତ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି ହେବ, ଏହା ବିଶ୍ୱର ବିଭିନ୍ନ ଆର୍ଥିକ ମାମଲାର ବିଶେଷଜ୍ଞମାନଙ୍କ ସହମତି।
ସମୁଦ୍ର ପଥରେ ବିଦେଶ ଯାତ୍ରା କରି ବେପାର ବଣିଜ କରିବା ଓଡ଼ିଆଙ୍କ ଡିଏନ୍‌ଏରେ ରହିଛି। ସାରା ଦେଶ ମୋଦିଜୀଙ୍କ ନେତୃତ୍ୱରେ ଯେତେବେଳେ ଦ୍ରୁତ ଆର୍ଥିକ ପ୍ରଗତି କରୁଛି ଆମେ ଓଡ଼ିଆମାନଙ୍କୁ ଆମର ଅତୀତର ପୃଷ୍ଠଭୂମି ଉପରେ ଆର୍ଥିକ ପ୍ରଗତିର ରାସ୍ତା ଖୋଜିବାର ସମୟ ଆସିଛି। ମୁଁ ରାଜ୍ୟ ସରକାରଙ୍କ ମୁଖିଆ ଭାବରେ କାର୍ତ୍ତିକ ପୂର୍ଣ୍ଣିମା ସହ ଓଡ଼ିଆଙ୍କ ଭାବଗତ ସମ୍ପର୍କର କଥା ତ କହିବି। ତା’ ସହ ଆମର ନଦୀ ଓ ସମୁଦ୍ର ଆଧାରରେ ପୁଣି ଓଡ଼ିଶାକୁ କେମିତି ଆର୍ଥିକ ପ୍ରଗତିର ଶୀର୍ଷକୁ ନେଇପାରିବା ତା’ର ପରିକଳ୍ପନା ଓ ବିଜେପିର ନୂଆ ସରକାର ଆସିବା ପରେ ନିଆଯାଇଥିବା ନୂଆ ପଦକ୍ଷେପ ଓ କ୍ରିୟାନ୍ବୟନ ସମ୍ପର୍କରେ ମଧ୍ୟ ମୋର ପ୍ରିୟ ରାଜ୍ୟବାସୀ ବିଶେଷ ଭାବରେ ଯୁବପିଢ଼ିଙ୍କ ସହ ଭାବର ଆଦାନ ପ୍ରଦାନ କରିବି।
ଆମର ପ୍ରିୟ ପ୍ରଧାନମନ୍ତ୍ରୀଙ୍କ ସ୍ପଷ୍ଟ ମତ, ବିକାଶ ଭି ବିରାସତ ଭି। ବିକାଶ ଆସୁ ମାତ୍ର ଆମର ଐତିହ୍ୟ ଓ ପରମ୍ପରାକୁ ମଧ୍ୟ ତା’ ସହ ଆମେ ପ୍ରଫୁଲ୍ଲିତ, ପ୍ରସ୍ଫୁଟିତ କରି ରଖିବାକୁ ପଡ଼ିବ। ମୋଦିଜୀଙ୍କ ମାର୍ଗଦର୍ଶନରେ ଓଡ଼ିଶାର ନକ୍ସା ପ୍ରସ୍ତୁତ। ସେ ବିଷୟରେ କହିବି ମାତ୍ର ସାଧବ ପୁଅଙ୍କ ବିଦେଶ ଯାତ୍ରା ଉପରେ ଆଉ ଦୁଇ ପଦ କହି ମୁଁ ଆମ ସରକାରଙ୍କ ଯୋଜନା ବିଷୟରେ ଉଲ୍ଲେଖ କରିବି। ଇତିହାସକାରମାନେ ତଥ୍ୟ ବାହାର କରିଛନ୍ତି, ଖ୍ରୀଷ୍ଟପୂର୍ବ ୬ଷ୍ଠ ଶତାବ୍ଦୀରେ କଳିଙ୍ଗର ଜଣେ ରାଜକୁମାର ସିଂହଳରେ ସାମ୍ରାଜ୍ୟ ପ୍ରତିଷ୍ଠା କରିଥିଲେ। ଏହା ବୌଦ୍ଧ ପୋଥିରୁ ମିଳିଥିବା ତଥ୍ୟ ବୋଲି ବିଶେଷଜ୍ଞଙ୍କର ମତ। ଲଢ଼େଇ କରି ନୁହେଁ, ଲୋକଙ୍କ ସ୍ନେହ ଓ ଶ୍ରଦ୍ଧାରେ ସେ ସେଠି ଶାସନ କରିଥିଲେ। ସମ୍ରାଟ ଅଶୋକଙ୍କ ପୁଅ ମହେନ୍ଦ୍ର ଏବଂ ଝିଅ ସଙ୍ଘମିତ୍ରା ଓଡ଼ିଶାର ତାମ୍ରଲିପ୍ତ ବନ୍ଦରରୁ ବିଦେଶକୁ ବୌଦ୍ଧ ମତ ପ୍ରଚାର କରିବାକୁ ବାହାରିଥିବା ଇତିହାସକାରଙ୍କ ତଥ୍ୟ।
ଓଡ଼ିଶାର ସାଂସ୍କୃତିକ ଏବଂ ଧାର୍ମିକ ପରମ୍ପରାର ଛାପ ଆଜି ବି ଶ୍ରୀଲଙ୍କା, ଜାଭା, ସୁମାତ୍ରା, ବୋର୍ନିଓ ଆଦି ସ୍ଥାନରେ ବିଦ୍ୟମାନ। ଇଣ୍ଡୋନେସିଆର ଏକ ସ୍ଥାନର ନାମ କୌଳିଙ୍ଗମ। ଇତିହାସ କହେ ଗୋଟିଏ ସମୟରେ ବଙ୍ଗୋପସାଗରର ନାମ କଳିଙ୍ଗ ସାଗର ଥିଲା। କଳିଙ୍ଗା – ସାହାସିକା ଏହା ଥିଲା ଓଡ଼ିଶାର ମୂଳ ଅଧିବାସୀଙ୍କର ଅନ୍ତଃରାଷ୍ଟ୍ରୀୟ ପରିଚୟ।
ଆମ ବିରାସତକୁ ଆଧାର କରି ବିକାଶର ରାସ୍ତାରେ ଆଗେଇବା ପାଇଁ ମୋ ସରକାର ବଦ୍ଧପରିକର। ଆମର ପୁରୁଣା ଦିନଗୁଡ଼ିକରେ ଓଡ଼ିଶା ବନ୍ଦର ଆଧାରିତ ଅର୍ଥନୀତିରେ ସାରା ବିଶ୍ୱରେ ଅଗ୍ରଣୀ ଥିଲା। ମାଣିକପାଟଣା, ତାମ୍ରଲିପ୍ତ, ପାଲୁର ଆଦି ଆମ ଇତିହାସର ସତ୍ୟ।
ଗତ କିଛିଦିନ ତଳେ ମୁଁ ମୁମ୍ବାଇଠାରେ ‘ଇଣ୍ଡିଆ ମେରିଟାଇମ ଉଇକ୍‌’ କାର୍ଯ୍ୟକ୍ରମରେ ଯୋଗଦେଇ ଓଡ଼ିଶାକୁ ବନ୍ଦର ଆଧାରିତ ଅର୍ଥନୀତିରେ ଖାଲି ଆମ ଦେଶରେ ନୁହେଁ ବରଂ ସମଗ୍ର ବିଶ୍ୱରେ ଏକ ଶକ୍ତିଶାଳୀ ଭୂଖଣ୍ଡ ଭାବରେ ଗଢ଼ିତୋଳିବା ପାଇଁ ପ୍ରସଙ୍ଗ ଉଲ୍ଲେଖ କରିଥିଲି। ଆଜିର ଏହି ପବିତ୍ର ଦିନରେ ମୋ ସରକାରଙ୍କର ପ୍ରତିବଦ୍ଧତାକୁ ଆପଣଙ୍କ ସାମ୍ନାରେ ପୁଣି ପ୍ରକାଶ କରୁଛି।
ଆମର ବର୍ତ୍ତମାନ ଓ ଆଗକୁ କ୍ରିୟାନ୍ବିତ ହେବାକୁ ଥିବା ବନ୍ଦର ସମୂହ ଆମର ଅର୍ଥନୀତିରେ ଇଞ୍ଜିନ ଭଳି କାମ କରିବ। ଆଗାମୀ ଅଢ଼େଇ ଦଶନ୍ଧି ଧରି ଆମ ବନ୍ଦର ଆମ ଯୁବପିଢ଼ିଙ୍କ ପାଇଁ ରୋଜଗାର, ସ୍ବରୋଜଗାର ତଥା ବଡ଼ ମାତ୍ରାରେ ଉଦ୍ୟମୀ କରିବାର ରାସ୍ତା ଖୋଲିବ। ପୂର୍ବ ଭାରତର ଉପକୂଳରେ ଓଡ଼ିଶାର ରଣନୈତିକ ଅବସ୍ଥିତିର ଫାଇଦା ନେବାର ବେଳ ଆସିଛି । ଉଚିତ ନୀତି ଓ ସଠିକ ମାର୍ଗରେ ଡବଲ ଇଞ୍ଜିନ ସରକାରର ଯୋଜନାବଦ୍ଧ କାର୍ଯ୍ୟକ୍ରମ ଓଡ଼ିଶାରୁ ବୈଶ୍ୱିକ ଶକ୍ତିମାନଙ୍କ ସହ ଲଢ଼ି ଆମ ରାଜ୍ୟ ଏବଂ ଦେଶ ପାଇଁ ସମୁଦ୍ର ଆଧାରିତ ଅର୍ଥନୀତିରେ ବଡ଼ ସମ୍ଭାବନା ସୃଷ୍ଟି କରିବାକୁ ଯାଉଛି ବୋଲି ମୁଁ ମୋର ପ୍ରିୟ ରାଜ୍ୟବାସୀଙ୍କୁ ଭରସା ଦେବାକୁ ଚାହୁଁଛି।
ପାରାଦୀପ, ଧାମରା ଓ ଗୋପାଳପୁର ଏହି ତିନୋଟି ବନ୍ଦର ଆମର କାର୍ଯ୍ୟକ୍ଷମ। ଏହା ସହ ଅସ୍ତରଙ୍ଗ, ଜଟାଧାରୀ ମୁହାଣ, ସୁବର୍ଣ୍ଣରେଖା ଓ ବାହୁଦାଠାରେ ନୂଆ ବନ୍ଦର ନିର୍ମାଣର କ୍ଷେତ୍ର ପ୍ରସ୍ତୁତି ସରିଛି। ଆମ ରାଜ୍ୟର ବନ୍ଦରଗୁଡ଼ିକର ମାଲ ନିୟନ୍ତ୍ରଣ କ୍ଷମତାକୁ ୫୦୦ ନିୟୁତ ଟନକୁ ବୃଦ୍ଧି କରିବା ପାଇଁ କଠିନ ପରିଶ୍ରମ କରୁଛୁ। ଏହି ବନ୍ଦର ସହ ତିନୋଟି ଶିପ୍‌ ଆଙ୍କର ପଏଣ୍ଟ ମଧ୍ୟ ଓଡ଼ିଶାର ସାମୁଦ୍ରିକ ଅର୍ଥନୀତିର ଶକ୍ତିକୁ ବୃଦ୍ଧି କରିବାରେ ସହାୟକ ହେବ। ଏହା ସହ ଆମର ଧର୍ମର ସହର ପୁରୀଠାରେ କ୍ରୁଜ ଟର୍ମିନାଲ ପ୍ରତିଷ୍ଠା ହେବାକୁ ଯାଉଛି। ଏହା ରାଜ୍ୟର ଅର୍ଥନୀତିକୁ ନୂଆ ଦିଶା ଦେଖାଇବା ସହ ଦେଶବିଦେଶ ସମୂହ ସହିତ ବାଣିଜି୍ୟକ ସମ୍ପର୍କରେ ନୂତନ ଦିଗନ୍ତ ଆଣିଦେବ। ବଡ଼ ବନ୍ଦର ସହ ରାଜ୍ୟର ବଡ଼ ସୁଦୀର୍ଘ ଉପକୂଳରେ ଆଉ ୧୪ଟି କ୍ଷୁଦ୍ର ବନ୍ଦର ନିର୍ମାଣର ଯୋଜନାକୁ ପୂର୍ଣ୍ଣାଙ୍ଗ ରୂପରେଖ ଦିଆଯାଉଛି।
ଓଡ଼ିଶା ସମୁଦ୍ରକୁ ଆଧାର କରି ବନ୍ଦର ଆଧାରିତ ଅର୍ଥନୀତିରେ ଖାଲି ଆଗେଇବ ନାହିଁ। ବରଂ ଆମର ଦୀର୍ଘ ୫୭୫ କିଲୋମିଟର ସୁଦୀର୍ଘ ବେଳାଭୂମି ଆମ ରାଜ୍ୟକୁ ଦେଶର ନୀଳ ଅର୍ଥନୀତିର ପ୍ରାଣକେନ୍ଦ୍ର କରିବାର ସମ୍ଭାବନା ରଖିଛି। ବନ୍ଦର ଆଧାରିତ ଶିଳ୍ପାୟନ ଓ ଏହି ପ୍ରକ୍ରିୟାରେ ନୂଆ ଓଡ଼ିଶାର ନୂଆପିଢ଼ି ପାଇଁ ଅଧିକ ସୁଯୋଗ ସୃଷ୍ଟି କରିବା ଲାଗି ମୋ ସରକାର ତରଫରୁ ମୁଁ ଆପଣଙ୍କୁ ଦୃଢ଼ ପ୍ରତିଶ୍ରୁତି ଦେଉଛି। ସମୁଦ୍ର ଆଧାରିତ ରପ୍ତାନି ତଥା ଉପକୂଳ ପର୍ଯ୍ୟଟନର ନୂଆ ସମ୍ଭାବନା ଆମେ ଖୋଜୁଛୁ।
୨୦୪୭ରେ ଦେଶ ସ୍ବାଧୀନତାର ୧୦୦ ବର୍ଷ ପୂର୍ତ୍ତି ସମୟରେ ଦେଶକୁ ବିକଶିତ ଅର୍ଥନୀତି କରିବା ମୋଦିଜୀଙ୍କ ପଣ। ଆମେ ଆମ ସ୍ବତନ୍ତ୍ର ଭାଷାଭିତ୍ତିକ ପ୍ରଦେଶ ଗଠନ ୧୦୦ ବର୍ଷ ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଗଢ଼ିବାର ସ୍ବପ୍ନ ଦେଖିଛୁ। ମୁଁ ନିଶ୍ଚିତ ଜନଭାଗୀଦାରିରେ ଆମ ରାଜ୍ୟ ଓଡ଼ିଶା ୨୦୪୭ ସୁଦ୍ଧା ଦେଶକୁ ବିକଶିତ ଭାରତ ନିର୍ମାଣରେ ବଡ଼ ଭୂମିକା ଗ୍ରହଣ କରିବ। ଆମର ବିକାଶର ଅବଧାରଣାର ମୂଳମନ୍ତ୍ର ସାଧାରଣ ଗରିବ ଲୋକଙ୍କ ପାଖରେ ବିକାଶକୁ ସଠିକ ମାତ୍ରାରେ ପହଞ୍ଚାଇବା। ଗାନ୍ଧିଜୀଙ୍କ ଗ୍ରାମ ସ୍ବରାଜ ହେଉ ବା ପଣ୍ଡିତ ଦୀନ୍‌ ଦୟାଲ ଉପାଧ୍ୟାୟଙ୍କ ଅନ୍ତ୍ୟୋଦୟ। ଆମର ପ୍ରିୟ ପ୍ରଧାନମନ୍ତ୍ରୀଙ୍କ ଗରିବ କଲ୍ୟାଣ ସବୁ ଜନ ବିକାଶ ଯୋଜନାର ଅନ୍ତଃସ୍ବର।
ଆମେ ଓଡ଼ିଆମାନେ ଶତାବ୍ଦୀ ଶତାବ୍ଦୀ ଧରି ପିଢ଼ି ପରେ ପିଢ଼ି ଡଙ୍ଗା ଭସାଇ ଆମର ବିରାସତ, ସଭ୍ୟତା ଓ ସଂସ୍କୃତିକୁ ବଞ୍ଚାଇ ରଖିଛନ୍ତି। ଏବେ ଡବଲ ଇଞ୍ଜିନ ସରକାର ନୂଆ ଉତ୍ସାହ ନୂଆ ଆଗ୍ରହ ସହ ଓଡ଼ିଶାର ବିରାସତକୁ ବିଶ୍ୱାସରେ ପରିଣତ କରିବାକୁ ବଦ୍ଧ ପରିକର। ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଓ ଆମର ସମୃଦ୍ଧ ନୌବାଣିଜ୍ୟ ପରମ୍ପରାକୁ ମନେପକାଇବା ସହ ବିକଶିତ ଓଡ଼ିଶା ଗଢ଼ିବାରେ ଆପଣଙ୍କର ସହଯୋଗ କାମନା କରୁଛି।

ମୋହନ ଚରଣ ମାଝୀ
ବନ୍ଦେ ଉତ୍କଳ ଜନନୀ !
ମୁଖ୍ୟମନ୍ତ୍ରୀ, ଓଡ଼ିଶା

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଏକେଶ୍ୱରବାଦ ଧର୍ମ

ଗ୍ରାୟତ୍ରୀ ସିଂହ ଗତ କଲ୍ୟାଣ ପାଇଁ ମହିମା ଧର୍ମ ହେଉଛି ଅନନ୍ୟ। ସତ୍‌ ମାର୍ଗରେ ଯିବା ପାଇଁ ମହିମା ସ୍ବାମୀ ବିଶ୍ୱର ସମସ୍ତ ଜନ ସମାଜକୁ ଆହ୍ବାନ୍‌…

ଅଗ୍ରଦୂତ ନବ ପ୍ରଭାତର

ଡ. ପ୍ରଫୁଲ୍ଲ କୁମାର ସାହୁ ଗତିଶୀଳ ଚେତନାର ଭଗୀରଥ ଭଗବତୀ ଚରଣ ପାଣିଗ୍ରାହୀ। ଚାଷୀ ମୂଲିଆ ଓ ଅସହାୟ ମଣିଷର ପ୍ରକୃତ ବନ୍ଧୁ। ବିଂଶ ଶତାବ୍ଦୀର ଚତୁର୍ଥ…

ଆଇନ ଶାସନର ଉଲ୍ଲଂଘନ

ଆକାର ପଟେଲ ଏକ ଗଣତାନ୍ତ୍ରିକ ସମାଜ ଭାବରେ ଏହା ଆଶା କରାଯାଏ ଯେ ଭାରତର କର୍ତ୍ତୃପକ୍ଷ ଆଇନର ଶାସନ ପାଳନ କରିବେ। ଏକ ଧାରଣା ବି ରହିଛି,…

ତିନି ଘଣ୍ଟାର ଗସ୍ତ

ନୂଆଦିଲ୍ଲୀରେ ମଧ୍ୟାହ୍ନ ଭୋଜନ ସମୟରେ ଏକ ବିଜ୍‌ନେସ ସମ୍ପର୍କିତ ଆଲୋଚନା ପାଇଁ ତିନି ଘଣ୍ଟା ଯଥେଷ୍ଟ ସମୟ। ତେବେ ଗତ ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିମନ୍ତ୍ରଣରେ…

ରାମାୟଣରେ ସତୀ ସିଦ୍ଧାନ୍ତ

ରାମାୟଣର ଏକ ଓଡ଼ିଆ ସଂସ୍କରଣରେ ବର୍ଣ୍ଣନା କରାଯାଇଛି ଯେ, ଋଷି ଗୌତମ ତାଙ୍କ କନ୍ୟା ଅଞ୍ଜନି ଓ ଦୁଇ ପୁତ୍ରଙ୍କ ସହ ସମୁଦ୍ରକୂଳରେ ଚାଲୁଥିଲେ। ବାଲି ତାତି…

ନାରୀ ପାଇଁ ଭୋଟ ଅଧିକାର

ରାଣରୁ ଜଣାଯାଏ ମଦ୍ର ଦେଶର ନରପତି ଅଶ୍ୱପତି କନ୍ୟା ସନ୍ତାନଟିଏ ଲାଭକରିବା ଉଦ୍ଦେଶ୍ୟରେ ସହସ୍ରାଧିକ ଯଜ୍ଞ କରିଥିଲେ। ସେହିଭଳି ମିଥିଳାର ରାଜା ଜନକ ଏକଦା ଆକାଶରେ ସୁନ୍ଦରୀ…

ତଦନ୍ତର ରିଆଲିଟି ଶୋ

ପ୍ରାତଃ ଭ୍ରମଣ ପାଇଁ ମୁଁ ମୋ ଘର ପାଖ ଏକ ପାର୍କକୁ ପ୍ରତିଦିନ ଯାଏ। ପାର୍କରେ ଡ୍ୟୁଟି କରୁଥିବା ଜଣେ ସିକ୍ୟୁରିଟି ଗାର୍ଡ ଦିନେ ମୋ ନିକଟକୁ…

ଆଉ ଚାରା ନାହିଁ

ଓଡ଼ିଆରେ କଥା ଅଛି ‘ଆଉ ଚାରା ନାହିଁ’। ଅର୍ଥାତ୍‌ ଆଉ କିଛି ଉପାୟ ନ ଥିଲେ ବାଧ୍ୟ ହେବା ସ୍ଥିତିକୁ ଲକ୍ଷ୍ୟ କରାଯାଇ ଏଭଳି କୁହାଯାଇଥାଏ। ଗୋଟିଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri