ଚାକିରି ଜୀବନରେ ସାଉଁଟିଥିବା ସ୍ମୃତିକୁ ମନେ ପକାଇ ଗୋପାଳକୃଷ୍ଣ କହିଲେ ଅବସର ପରେ…

ଦିଗପହଣ୍ଡି,୧୮ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ଗ୍ରାମ ପ୍ରାଥମିକ ସେବା ସମବାୟ ସମିତି(ପାକ୍ସ)ର ସମ୍ପାଦକ ଗୋପାଳକୃଷ୍ଣ ଜେନାଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ସମବାୟ କାର୍ଯ୍ୟାଳୟ ପରିସରରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ସେବା ସମବାୟ ସମିତି ସଭାପତି ନିରଞ୍ଜନ ପ୍ରଧାନ ଅଧ୍ୟକ୍ଷତା କରିଥିଲେ। ସିଦ୍ଧେଶ୍ୱର ପଞ୍ଚାୟତ ସରପଞ୍ଚ ବିଜୟ କୁମାର ପ୍ରାଧନ, ଜିଲା ପରିଷଦ ସଦସ୍ୟାଙ୍କ ପ୍ରତିନିଧି ଏମ୍‌. ନିରଞ୍ଜନ ରେଡ୍ଡୀ, ସାମାଜିକ କର୍ମୀ ସମୀର କୁମାର ସ୍ବାଇଁ, ଦୁର୍ଯ୍ୟୋଧନ ସ୍ବାଇଁ ପ୍ରମୁଖ ଅତିଥି ଭାବେ ମଞ୍ଚାସୀନ ଥିଲେ। ସମବାୟ ସମିତିର ଭାରପ୍ରାପ୍ତ ସମ୍ପାଦକ ଶିବ ସାହୁ, ନିର୍ଦ୍ଦେଶକ ଗୋପାଳକୃଷ୍ଣ ମଲ୍ଲିକ, ମନୋଜ ଲେଙ୍କା, ମାଗତା ଡାକୁଆ, ପ୍ରସନ୍ନ କୁମାର ବିଷୋୟୀ, ଶଙ୍କର ଜେନା, ବଳରାମ ଭୂୟାଁଙ୍କ ସମେତ ବହୁ ସଂଖ୍ୟକ ଚାଷୀ ପ୍ରତିନିଧି ସଭାରେ ଉପସ୍ଥିତ ଥିଲେ। ସମବାୟ ସମିତିର ବିକାଶ ଦିଗରେ ଅବସରପ୍ରାପ୍ତ ସମ୍ପାଦକଙ୍କ ଉଲ୍ଲେଖନୀୟ ଅବଦାନକୁ ଅତିଥିବୃନ୍ଦ ପ୍ରଶଂସା କରିବା ସହ ତାଙ୍କ ଅବସରକାଳୀନ ଜୀବନ ସୁଖ, ସମୃଦ୍ଧିରେ ପରିପୂର୍ଣ୍ଣ ହେବା ପାଇଁ ଭଗବାନଙ୍କଠାରେ ପ୍ରାର୍ଥନା କରିବା ସହ ତାଙ୍କୁ ପ୍ରଶଂସାପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ସେ ଚାକିରି ଜୀବନରୁ ଅବସର ଗ୍ରହଣ କରିଥିଲେ ମଧ୍ୟ ଅବଶିଷ୍ଟ ସମୟ ସମବାୟ ସମିତିର ବିକାଶ ଦିଗରେ ସହଯୋଗ କରିବେ ବୋଲି ଅବସରପ୍ରାପ୍ତ ସମ୍ପାଦକ ତାଙ୍କ ପ୍ରତିକ୍ରିୟାରେ କହିଥିଲେ। ସମବାୟ କାର୍ଯ୍ୟାଳୟ ଡିଇଓ ସିଦ୍ଧନାଥ ବିଷୋୟୀ, ଜନାର୍ଦ୍ଦନ ଲେଙ୍କା ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Dharitri – Odisha’s No.1 Odia Daily