ପଛୁଆବର୍ଗ କମିଶନଙ୍କୁ ସ୍ମାରକପତ୍ର

ଭୁବନେଶ୍ୱର,୨୨।୧(ବ୍ୟୁରୋ): ରାଜ୍ୟର ବିଭିନ୍ନ କଲେଜ ଓ ବିଶ୍ବବିଦ୍ୟାଳୟରେ ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି)ର ଛାତ୍ରୀଛାତ୍ରଙ୍କ ନାମ ଲେଖା ପାଇଁ ୨୭ ଭାଗ ସ୍ଥାନ ସଂରକ୍ଷଣ ଲାଗୁ କରିବା ଦିଗରେ ରାଜ୍ୟ ସରକାରଙ୍କୁ ଆବଶ୍ୟକ ପରାମର୍ଶ ଦେବାକୁ ରାଜ୍ୟ ପଛୁଆବର୍ଗ କମିଶନଙ୍କ ନିକଟରେ ଦାବି କରିଛି ସମାଜବାଦୀ ପାର୍ଟି। ପାର୍ଟିର ରାଜ୍ୟ ସଭାପତି ରବି ବେହେରାଙ୍କ ନେତୃତ୍ୱରେ ଦୁଇଜଣିଆ ପ୍ରତିନିଧି ମଣ୍ଡଳୀ ଶୁକ୍ରବାର ରାଜ୍ୟ ପଛୁଆବର୍ଗ କମିଶନ ଅଧ୍ୟକ୍ଷ ବିଚାରପତି ରଘୁନାଥ ବିଶ୍ବାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ନିଟ୍‌- ପି.ଜି. ପରୀକ୍ଷାକୁ ନେଇ ସୁପ୍ରିମକୋର୍ଟର ବିଚାରପତି ଡି.ୱାଇ. ଚନ୍ଦ୍ରଚୂଡ ଓ ବିଚାରପତି ଏ.ଏସ୍‌. ବୋପାନାଙ୍କ ଖଣ୍ଡପୀଠ ଦେଇଥିବା ରାୟରେ ଉଲ୍ଲେଖ କରାଯାଇଛି ଯେ, ଶିକ୍ଷା କ୍ଷେତ୍ରରେ ପଛୁଆବର୍ଗଙ୍କୁ ୨୭ଭାଗ ସ୍ଥାନ ସଂରକ୍ଷଣ ନୀତିଗତ ତଥା ଆଇନଗତ ଦୃଷ୍ଟିରୁ ବୈଧ ଓ ସାମ୍ବିଧାନିକ। ସଂରକ୍ଷଣ ଦ୍ବାରା ମେଧାର କୌଣସି କ୍ଷତି ହେବନାହିଁ। ଅନ୍ୟାନ୍ୟ ସାମାଜିକ ପ୍ରସଙ୍ଗକୁ ନେଇ ବ୍ୟକ୍ତିର ମେଧା ଓ ସଂରକ୍ଷଣର ପ୍ରାସଙ୍ଗିକତା ଉପରେ ବିଚାର ଆଲୋଚନା ହେବା ଉଚିତ ବୋଲି ଏହି ଖଣ୍ଡପୀଠ ମତବ୍ୟକ୍ତ କରିଛନ୍ତି। ସେହିପରି ଓଡ଼ିଶାରେ ପଛୁଆବର୍ଗ ଜନସଂଖ୍ୟାର ଗଣନା ହୋଇପାରୁନାହିଁ। ଇତିମଧ୍ୟରେ ରାଜ୍ୟର ମୋଟ ଜନସଂଖ୍ୟାର ୫୨ ପ୍ରତିଶତ ପଛୁଆ ବର୍ଗ ହୋଇଥିଲେ ମଧ୍ୟ ବହୁବର୍ଷ ତଳର ତଥ୍ୟ ଆଧାରରେ ସେମାନେ ସାମ୍ବିଧାନିକ ଅଧିକାରରୁ ବଞ୍ଚତ୍ତ ହେବାରେ ଲାଗିଛନ୍ତି। ପୁରୁଣା ସଂଖ୍ୟାର ଆଳ ଦେଖାଇ ସଂରକ୍ଷଣ ସୁବିଧା ଦିଆଯାଉନି। ଏହାର ପ୍ରକୃଷ୍ଟ ଉଦାହରଣ ହେଉଛି ଓଡ଼ିଶାରେ ପଞ୍ଚାୟତ ନିର୍ବାଚନ ସଂରକ୍ଷଣ। ତେଣୁ ପଛୁଆବର୍ଗ ଜନସଂଖ୍ୟାର ତୁରନ୍ତ ଜନଗଣନା କରିବା ଦରକାର ବୋଲି ସ୍ମାରକପତ୍ରରେ ଦାବି କରାଯାଇଛି।