ମେଲୋଡି ସିଙ୍ଗର ଡାଡି: ଯୁବ ଗୋଷ୍ଠୀଙ୍କ ଆକର୍ଷଣ

କେନ୍ଦୁଝର, ୨୨ା୧୦ (ସ୍ବ.ପ୍ର.): ଦୀର୍ଘ ୨୦ ବର୍ଷ ହେଲା ସଙ୍ଗୀତ ସହିତ ଯୋଡ଼ି ରହିଛନ୍ତି ପ୍ରକାଶ ପାଢ଼ୀ। ଡାକ ନାଁ ତାଙ୍କର ଡାଡୀ । ଏହି ନାମରେ ରହିଛି ତାଙ୍କର ଗ୍ରୁପ ଡାଡୀ-ମିକ୍ସ । ବୟସ ହେବ ୪୪। ସଙ୍ଗୀତ କ୍ଷେତ୍ରରେ ନିଜକୁ ଉତ୍ସର୍ଗୀକୃତ କରିଥିବା ଡାଡୀ ପ୍ରୋତ୍ସାହନ ଓ ସୁଯୋଗ ଅଭାବରୁ ଆଗେଇ ପାରି ନ ଥିବାରୁ ମନରେ ଦୁଃଖ ରହିଯାଇଛି। କଳାର ମୂଲ୍ୟ ଯଦିଓ କେହି ଦେଇ ପାରିବେ ନାହିଁ ତେବେ ଆଜିକାର ଯୁଗରେ ଜଣେ କଳାକାର ନିଜକୁ ପ୍ରତିଷ୍ଠା କରିବା ସୁବିଧାଜନକ ନୁହେଁ ବୋଲି କୁହନ୍ତି। ଭଲ ଗୀତଟିଏ ଗାଇଲେ ମିଳୁଥିବା ପ୍ରଶଂସା ଶୁଣିଲେ ସେ ସମୟରେ ମନ ଉତଫୁଲ୍ଲିତ ହୋଇଉଠେ। ସେଥିରେ ବେଶୀ ଆନନ୍ଦ ମିଳିଥାଏ ବୋଲି ସେ କୁହନ୍ତି।
କରୋନା ସମୟରେ ନିଜ ଉଦ୍ୟମରେ ସଚେତନତା ଭିଡିଓ ସଙ୍ଗୀତ ପ୍ରସ୍ତୁତ କରି ସମସ୍ତଙ୍କ ପ୍ରଶଂସନୀୟ ହୋଇଛନ୍ତି । ଯଦିଓ ବିଭିନ୍ନ ପ୍ରକାରର ଗୀତ ଗାଇଥାନ୍ତି ତେବେ ବିଶେଷ କରି ସେ ହେଉଛନ୍ତି ଯୁବପିଢିଙ୍କ ପ୍ରଥମ ପସନ୍ଦ। ସେ ମେଳା, ମହୋତ୍ସବ, ପ୍ରଦର୍ଶନୀ ତଥା ମେଲୋଡିରେ ୨୦ ବର୍ଷରୁ ଅଧିକ ସମୟ ହେଲା ଗୀତ ଗାଇଆସୁଛନ୍ତି। ଭଜନ, ଆଧୁନିକ, ଶାସ୍ତ୍ରୀୟ ତଥା ସିନେମା ସଙ୍ଗୀତ ଆଦି ଲୋକପ୍ରିୟ ଗୀତ ଗାନ କରି ଆସୁଛନ୍ତି । ଅଭାବ ଅନଟନ ମଧ୍ୟରେ ଥିଲେ ହେଁ କଳାକୁ ଛାଡି ପାରୁ ନ ଥିବା ଡାଡୀ, ଟିକିଏ ସମ୍ମାନ ଓ ପ୍ରଶଂସା ପାଇଁ ବଞ୍ଚି ରହିଛନ୍ତି ବୋଲି କୁହନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ଗୀତ ଗାଇଛନ୍ତି । ନିଜେ ମଧ୍ୟ ଗୀତ ରଚନା କରିଥାନ୍ତି ଓ ଗାଇଥାନ୍ତି । ବହୁ ନାମୀଦାମୀ ସଙ୍ଗୀତଜ୍ଞ ଓ ଗାୟକଙ୍କ ଭଳି ମିମିକ୍ରି କରି ଗାଇଥାନ୍ତି । ଓଡ଼ିଆ, ହିନ୍ଦିରେ ଏକ ହଜାରରୁ ଅଧିକ ଗୀତ ଗାଇବା ସହ ଏବେ ରେକର୍ଡ ଟ୍ରାକରେ ମଧ୍ୟ ଗୀତ ଗାଇ ପାରଦର୍ଶିତା ଲାଭ କରିପାରିଛନ୍ତି । ଗୀତ ସାଙ୍ଗକୁ କୋରିଓଗ୍ରାଫିରେ ତାଙ୍କର ଦକ୍ଷତା ସେ ଷ୍ଟେଜରେ ଦେଖାଇଥାନ୍ତି। କେନ୍ଦୁଝର ପୁରୁଣା ସହରର ସୁର ଝଙ୍କାର ମେଲୋଡିରେ କାମ ଆରମ୍ଭ କରିଥିବା ବେଳେ ପରବର୍ତ୍ତୀ ସମୟରେ କଟକର ସଙ୍ଗୀତ ଧୂମ, ଅନୁଗୋଳର ସୁର ସଙ୍ଗୀତ ତଥା ତାଳଚେରର ସଙ୍ଗୀତ ସଙ୍ଗୀତ ଭଳି ବହୁ ନାମୀଦାମୀ ମେଲୋଡି ଗ୍ରୁପରେ ବଛା ବଛା କଳାକାରଙ୍କ ସହିତ କାମ କରିବାର ସୁଯୋଗ ପାଇଛନ୍ତି। ପିଲାବେଳଠୁଁ ନୃତ୍ୟଗୀତ ପ୍ରତି ଆକୃଷ୍ଟ ହୋଇ ଏବଂ ପରବର୍ତ୍ତୀ ସମୟରେ ପ୍ରଭୁଦେବା ଓ ମାଇକେଲ ଜାକସନଙ୍କୁ ଆଦର୍ଶ ମନେ କରି ନିଜକୁ ଗଢିଆସୁଥିବା ଡାଡୀ ଅର୍ଥାଭାବରୁ ନୃତ୍ୟ କିମ୍ବା ସଂଗୀତ ଶିକ୍ଷା ଲାଭ କରିପାରି ନ ଥିଲେ। ନିଜ ଉଦ୍ୟମ ଓ ଅଧ୍ୟବସାୟ ବଳରେ ଟିଭି ଓ ସିନେମା ଦେଖି ସେସବୁ ନୃତ୍ୟଗୀତକୁ ଅନୁକରଣ କରି ନିଜକୁ ପ୍ରତିଷ୍ଠିତ କରିପାରିଥିବା କୁହନ୍ତି ।