CM ଶିବକୁମାରଙ୍କୁ ଟାର୍ଗେଟ୍‌ କଲେ ତାମିଲନାଡୁ କଂଗ୍ରେସ ମୁଖ୍ୟ, କାରଣ ଜାଣିଲେ…

ନୂଆଦିଲ୍ଲୀ,୧୪ା୧୧: କାବେରୀ ନଦୀ ଉପରେ ପ୍ରସ୍ତାବିତ ମେକେଦାଟୁ ଡ୍ୟାମ୍‌ ନିର୍ମାଣକୁ ନେଇ କଂଗ୍ରେସ ଭିତରେ ମତଭେଦ ସାମ୍ନାକୁ ଆସିଛି । କର୍ନାଟକ ସରକାର ଏହି ପ୍ରକଳ୍ପକୁ ଆଗକୁ ବଢ଼ାଇବାକୁ ଜୋର୍‌ ଦେଉଥିବା ବେଳେ ତାମିଲନାଡୁ ଏହାକୁ ବିରୋଧ କରୁଛି । ଏବେ ଏହି ପ୍ରସଙ୍ଗରେ ତାମିଲନାଡୁ କଂଗ୍ରେସ ସଭାପତି ମାଣିକମ୍‌ ଟାଗୋର କର୍ନାଟକ ମୁଖ୍ୟମନ୍ତ୍ରୀ ଡି.କେ. ଶିବକୁମାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ।

ଶନିବାର ଟାଗୋର କହିଛନ୍ତି ଯେ ଶିବକୁମାରଙ୍କ ଆଭିମୁଖ୍ୟ ଅତ୍ୟନ୍ତ ଜିଦ୍‌ଖୋର । ଏହା ତାମିଲନାଡୁର ଚାଷୀଙ୍କ ସ୍ୱାର୍ଥ ବିରୋଧୀ ଏବଂ କୌଣସି ପରିସ୍ଥିତିରେ ଗ୍ରହଣୀୟ ନୁହେଁ । ଉଲ୍ଲେଖଯୋଗ୍ୟ, କର୍ନାଟକରେ କଂଗ୍ରେସ ସରକାର ଥିବା ବେଳେ ତାମିଲନାଡୁର ଶାସକ ମେଣ୍ଟରେ ମଧ୍ୟ କଂଗ୍ରେସ ସାମିଲ ଅଛି। ଏହାର ଗୋଟିଏ ଦିନ ପୂର୍ବରୁ କର୍ନାଟକ ମୁଖ୍ୟମନ୍ତ୍ରୀ ଶିବକୁମାର ମହୀଶୂରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ କେନ୍ଦ୍ର ସରକାରଙ୍କୁ ମେକେଦାଟୁ ପ୍ରକଳ୍ପ ପାଇଁ ଆବଶ୍ୟକ ଆଇନଗତ ଅନୁମତି ଶୀଘ୍ର ପ୍ରଦାନ କରିବାକୁ ଅନୁରୋଧ କରିଥିଲେ ।

ଶିବକୁମାରଙ୍କ ବୟାନକୁ ନେଇ ଟାଗୋର ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ପ୍ରତିକ୍ରିୟା ରଖିଛନ୍ତି । ତାଙ୍କ ଅଭିଯୋଗ ଅନୁସାରେ, କର୍ନାଟକ ମୁଖ୍ୟମନ୍ତ୍ରୀ ସୁପ୍ରିମକୋର୍ଟଙ୍କ ରାୟ ଏବଂ କାବେରୀ ଜଳ ବିବାଦ ଟ୍ରିବ୍ୟୁନାଲର ଅନ୍ତିମ ନିଷ୍ପତ୍ତିକୁ ଅଣଦେଖା କରି ଏଭଳି ବୟାନ ଦେଉଛନ୍ତି । ଶିବକୁମାର କହିଥିଲେ, ମେକେଦାଟୁ ପ୍ରକଳ୍ପ କର୍ନାଟକରେ ନିର୍ମାଣ ହେବାକୁ ଥିବା ବେଳେ ଏହାକୁ କେହି ଅଟକାଇ ପାରିବେ ନାହିଁ । ଏଥିପାଇଁ କେନ୍ଦ୍ର ସରକାର ଆଇନଗତ ସହଯୋଗ କରିବା ସହ ଆବଶ୍ୟକ ଅନୁମତି ଦିଅନ୍ତୁ ବୋଲି ସେ ଅନୁରୋଧ କରିଥିଲେ।

ଟାଗୋର ଆହୁରି କହିଛନ୍ତି ଯେ କାବେରୀ ନଦୀ ଅବବାହିକାର ଉପରମୁଣ୍ଡରେ କର୍ନାଟକ ରହିଥିବା ବେଳେ ତଳମୁଣ୍ଡରେ ତାମିଲନାଡୁ ଅବସ୍ଥିତ। ତେଣୁ ତାମିଲନାଡୁର ଜଳ ଅଧିକାରକୁ ପ୍ରଭାବିତ କରୁଥିବା କୌଣସି ପ୍ରକଳ୍ପ କର୍ନାଟକ ଏକତରଫା ଭାବେ ଆରମ୍ଭ କରିପାରିବ ନାହିଁ ବୋଲି ସେ ଯୁକ୍ତି ବାଢ଼ିଛନ୍ତି।

ଏହି ବିବାଦ ଦେଶର ସଂଘୀୟ ବ୍ୟବସ୍ଥାର ନୀତି ବିରୋଧୀ ଏବଂ ତାମିଲନାଡୁର ଚାଷୀଙ୍କ ଜୀବିକାକୁ ପ୍ରଭାବିତ କରିପାରେ ବୋଲି ଟାଗୋର ଚେତାବନୀ ଦେଇଛନ୍ତି । ମେକେଦାଟୁ ଡ୍ୟାମ୍‌କୁ ନେଇ ଦୁଇ ରାଜ୍ୟ ମଧ୍ୟରେ ଥିବା ବିବାଦ ଏବେ କଂଗ୍ରେସ ଭିତରେ ମଧ୍ୟ ରାଜନୈତିକ ମତଭେଦ ସୃଷ୍ଟି କରିଛି।

 

Dharitri – Odisha’s No.1 Odia Daily

Share