କ୍ରିକେଟ୍‌ ଜଗତରେ ଶୋକର ଛାୟା, ୧୮ ବର୍ଷରେ ଯୁବ କ୍ରିକେଟରଙ୍କ ପରଲୋକ

ଢ଼ାକା,୨୫।୧୦: ବାଂଲାଦେଶ କ୍ରିକେଟ୍‌ ଜଗତରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଯୁବ କ୍ରିକେଟର ମେହେଦୀ ହାସନ ହୃଦୟଙ୍କର ପରଲୋକ ହୋଇଛି । ସେ ଗତ କିଛିଦିନ ହେବ ଗମ୍ଭୀର ରୋଗରେ ପୀଡିତ ରହିଥିବା ବେଳେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ବାଂଲାଦେଶ କ୍ରିକେଟ୍‌ ବୋର୍ଡ (BCB) ସୋସିଆଲ ମିଡିଆ ମାଧ୍ୟମରେ ତାଙ୍କ ମୃତ୍ୟୁ ଖବର ଜଣାଇଛି । ହୃଦୟ ଲ୍ୟୁକେମିଆ ରୋଗରେ ପୀଡ଼ିତ ଥିଲେ । ସେ ଚଟ୍ଟୋଗ୍ରାମ ଡିଭିଜନର ଅଣ୍ଡର ୧୮ କ୍ରିକେଟ୍‌ ଦଳର ପ୍ରତିନିଧିତ୍ୱ କରିଥିଲେ। ଜଣେ ପ୍ରତିଭାବାନ ବାମହାତୀ ଦ୍ରୁତ ବୋଲର ଭାବେ ତାଙ୍କର ଭବିଷ୍ୟତ ଉଜ୍ଜ୍ୱଳ ବୋଲି ଆଶା କରାଯାଉଥିଲା। ଢାକାରେ ତାଙ୍କର ଦେହାନ୍ତ ହୋଇଥିବା ବୋର୍ଡ ପକ୍ଷରୁ କୁହାଯାଇଛି ।

କିଛି ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଚିକିତ୍ସା ପାଇଁ ଢାକା ନିଆଯାଉଥିବା ବେଳେ ଆମ୍ବୁଲାନ୍ସରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ତାଙ୍କ ଚିକିତ୍ସା ପାଇଁ ବାଂଲାଦେଶ କ୍ରିକେଟ୍‌ ବୋର୍ଡ ସହଯୋଗ କରୁଥିଲା। ଗତ ଜୁଲାଇ ୨ ତାରିଖରେ ଯୁବ ଓ କ୍ରୀଡ଼ା ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ଅମିନୁଲ ହକ୍‌ ବୋର୍ଡ କାର୍ଯ୍ୟାଳୟରେ ହୃଦୟଙ୍କ ପିତାଙ୍କୁ ୫ ଲକ୍ଷ ଟଙ୍କାର ଚେକ୍‌ ପ୍ରଦାନ କରିଥିଲେ। ହୃଦୟଙ୍କ ମୃତ୍ୟୁରେ ବାଂଲାଦେଶ କ୍ରିକେଟ୍‌ ବୋର୍ଡ ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କ ପରିବାର ପ୍ରତି ସମବେଦନା ଜଣାଇଛି ।

 

Dharitri – Odisha’s No.1 Odia Daily

Share