ମରିବାକୁ ଚାହୁଁଥିଲେ ମେଘାନ

ଲସ୍‌ ଏଞ୍ଜେଲ୍ସ, ୯ା୩: ପ୍ରିନ୍ସ ହ୍ୟାରିଙ୍କୁ ବିବାହ କରି ବ୍ରିଟେନ ରାଜ ପରିବାରର ସଦସ୍ୟ ହେବା ପରେ ମେଘାନ ମର୍କେଲଙ୍କୁ ବହୁ ସଂଘର୍ଷ କରିବାକୁ ପଡ଼ିଥିଲା। ଏପରିକି ଅନେକ ଥର ସେ ଆତ୍ମହତ୍ୟା କରିବାକୁ ଇଚ୍ଛା କରିଥିଲେ ବୋଲି ଆମେରିକାର ଏକ ନ୍ୟୁଜ୍‌ ଚ୍ୟାନେଲରେ ପ୍ରସାରିତ ସାକ୍ଷାତ୍‌କାରରେ କହିଛନ୍ତି। ରାଜ ପରିବାରରେ ବର୍ଣ୍ଣବୈଷମ୍ୟ ଭେଦଭାବ ଥିବା ସେ ପ୍ରକାଶ କରିଛନ୍ତି। ସେ ଗର୍ଭବତୀ ଥିବାବେଳେ ତାଙ୍କ ଶିଶୁଙ୍କ ରଙ୍ଗ କିପରି ହେବ ସେ ନେଇ ପ୍ରଶ୍ନ କରାଯାଉଥିଲା।
ଶୋ’ ଉପସ୍ଥାପକ ଓପ୍ରାହ୍‌ ଓ୍ବିନଫ୍ରିଙ୍କୁ ପ୍ରିନ୍ସ ହ୍ୟାରି ଓ ମେଘାନ ଦେଇଥିବା ସାକ୍ଷାତ୍‌କାରରେ ଅନେକ କଥା ସାମ୍‌ନାକୁ ଆସିଛି।
କହିଛନ୍ତି, ତାଙ୍କୁ ରାଜ ପରିବାର ବିଷୟରେ ସେତିକି ଜଣାଥିଲା ଯେତିକି ହ୍ୟାରି ତାଙ୍କୁ ଜଣାଇଥିଲେ। ଲୋକଙ୍କ ଜାଣତରେ ଏହା ପରୀମାନଙ୍କ ଦୁନିଆ। କିନ୍ତୁ ସତ ଏହାଠାରୁ ବହୁ ଦୂରରେ। ମହାରାଣୀଙ୍କୁ ବ୍ୟକ୍ତିଗତ ଭାବେ ଦେଖା କରିବାକୁ ହେଲେ ମଧ୍ୟ ଔପଚାରିକତା ମାନିବାକୁ ପଡ଼ୁଥିଲା। ହ୍ୟାରିଙ୍କ ସହ ବିଧିବଦ୍ଧ ବିବାହର ୩ ଦିନ ପୂର୍ବରୁ ମେଘାନ ତାଙ୍କୁ ବାହା ହୋଇସାରିଥିଲେ ବୋଲି କହିଛନ୍ତି। ପ୍ୟାଲେସରେ ତାଙ୍କୁ ବନ୍ଦୀ ଭଳି ଜୀବନ କାଟିବାକୁ ପଡ଼ୁଥିଲା। କୌଣସି କାମ ଥିଲେ ମଧ୍ୟ ସେ ବାହାରକୁ ଯାଇପାରୁ ନ ଥିଲେ। ମନପସନ୍ଦର କାମ କରିବାକୁ ମନା କରାଯାଉଥିବାରୁ ଏକଲାପଣ ବଢ଼ିବାରେ ଲାଗିଥିଲା। ଆତ୍ମହତ୍ୟା କଥା ମନକୁ ଆସିବାରୁ ଏ ବାବଦରେ ମେଘାନ ପ୍ୟାଲେସର ମାନବ ସମ୍ବଳ ବିଭାଗର ସହାୟତା ମାଗିଥିଲେ। କିନ୍ତୁ ସେଠାରୁ ତାଙ୍କୁ କୌଣସି ସାହାଯ୍ୟ ମିଳି ନ ଥିଲା। ଗର୍ଭବତୀ ହେବା ପରେ ପ୍ରିନ୍ସଙ୍କ ପଦବୀ ଅପେକ୍ଷା ତାଙ୍କ ପୁଅର ସୁରକ୍ଷା ଚିନ୍ତା ତାଙ୍କୁ ଘାରିଥିଲା। ପ୍ରିନ୍ସ ହ୍ୟାରି ଓ ମେଘାନଙ୍କ ପୁଅ ଆର୍ଚ୍ଚୀଙ୍କୁ ପ୍ରିନ୍ସ ଉପାଧି ମିଳି ନ ଥିଲା। ଉପାଧି ଲୋଭ ନୁହେଁ ବରଂ ସୁରକ୍ଷା ଦୃଷ୍ଟିରୁ ଆର୍ଚ୍ଚୀଙ୍କୁ ପ୍ରିନ୍ସ ଆଖ୍ୟା ଦିଆଯିବା ଦରକାର ଥିଲା ବୋଲି ମେଘାନ କହିଛନ୍ତି। ରାଜ ପରିବାରରୁ ଅଲଗା ହେବା ପରେ ପୁଅଙ୍କୁ ସୁରକ୍ଷା ଯୋଗାଯିବ ନାହିଁ ବୋଲି ମେଘାନ ଚିନ୍ତିତ ଥିଲେ।
ହ୍ୟାରି ଓ ମେଘାନ ୨୦୧୮ରେ ଓ୍ବିଣ୍ଡସର ପ୍ୟାଲେସ୍‌ରେ ବିବାହ କରିଥିଲେ। ୨୦୧୯ରେ ତାଙ୍କ ପୁଅ ଆର୍ଚ୍ଚୀ ଜନ୍ମ ହୋଇଥିଲା। ୨୦୨୦ ଜୁଲାଇରେ ମେଘାନଙ୍କ ଗର୍ଭପାତ ହୋଇଥିବା ଜଣାପଡିଥିଲା। ଏହି ଦମ୍ପତି ଏବେ ରାଜ ପରିବାର ଛାଡ଼ି ଆମେରିକାରେ ରହୁଛନ୍ତି। ଗତ ବର୍ଷ ପ୍ରାରମ୍ଭରେ ହ୍ୟାରି ତାଙ୍କ ସ୍ତ୍ରୀଙ୍କ ସହ ରାଜ ପରିବାରର ବରିଷ୍ଠ ସଦସ୍ୟ ପଦରୁ ସ୍ବତଃ ବାହାରିଯିବା ଏବଂ ଅଲଗା ରହିବା ନେଇ ଘୋଷଣା କରିଥିଲେ।

Share