ରଣଜୀ ଟ୍ରଫିରେ ବଡ଼ ବିବାଦ, କୋର୍ଟଙ୍କ ରାୟ ପରେ ବଦଳିଗଲା ପୂରା ଟିମ୍‌

ନୂଆଦିଲ୍ଲୀ, ୫।୧୧: ମେଘାଳୟ କ୍ରିକେଟ୍‌ ସଂଘ (MCA)ରେ ଚାଲିଥିବା ବିବାଦର ପ୍ରଭାବ ଏବେ ରଣଜୀ ଟ୍ରଫି ଦଳ ଉପରେ ପଡ଼ିଛି । ନାଗାଲାଣ୍ଡ ବିପକ୍ଷ ପ୍ଲେଟ୍‌ ଡିଭିଜନ୍‌ ମ୍ୟାଚ୍‌ ଆରମ୍ଭ ହେବାର ମାତ୍ର ଦୁଇ ଦିନ ପୂର୍ବରୁ ପୂରା ଦଳକୁ ବଦଳାଇ ଦିଆଯାଇଛି । ଏହି ମ୍ୟାଚ୍‌ ପାଇଁ ନୂଆ ଦଳ ଘୋଷଣା କରାଯାଇଥିବାରୁ ପୂର୍ବରୁ ତିନୋଟି ମ୍ୟାଚ୍‌ ଖେଳିଥିବା ଖେଳାଳିମାନେ ହଠାତ୍‌ ଦଳରୁ ବାଦ୍‌ ପଡ଼ିଛନ୍ତି ।

ପୁରୁଣା ଦଳର ଖେଳାଳିମାନେ ଚତୁର୍ଥ ମ୍ୟାଚ୍‌ ପାଇଁ ଅଭ୍ୟାସ ମଧ୍ୟ କରୁଥିଲେ । କିନ୍ତୁ ହାଇକୋର୍ଟଙ୍କ ରାୟ ପରେ ମେଘାଳୟ କ୍ରିକେଟ୍‌ ସଂଘର ସଭାପତି ଜେମ୍ସ ସାଙ୍ଗମାଙ୍କୁ ନୂଆ ଦଳ ଚୟନ କରିବାକୁ ପଡ଼ିଥିଲା। MCA ସଭାପତି ଜେମ୍ସ ସାଙ୍ଗମା ଏବଂ ସଚିବ ରେନୋଲ୍ଡ ଖାର୍କମାନିଙ୍କ ମଧ୍ୟରେ ଚାଲିଥିବା ମତଭେଦ ଏହି ବିବାଦର ମୁଖ୍ୟ କାରଣ। ମେଘାଳୟର ଅଣ୍ଡର-୨୩ ମହିଳା ଦଳର ଖେଳାଳିଙ୍କ ସହ ଜଡ଼ିତ ଯୌନ ଉତ୍ପୀଡ଼ନ ଅଭିଯୋଗ ଉପରେ ଉପଯୁକ୍ତ ପଦକ୍ଷେପ ନେଇ ନଥିବା ଅଭିଯୋଗରେ ଖାର୍କମାନିଙ୍କୁ ନିଲମ୍ବିତ କରାଯାଇଥିଲା।

ତେବେ ମେଘାଳୟ ହାଇକୋର୍ଟ ରେନୋଲ୍ଡଙ୍କ କିଛି ନିଷ୍ପତ୍ତିକୁ ବେଆଇନ ବୋଲି କହିବା ସହ ଆସୋସିଏସନ୍‌ର ଆପେକ୍ସ କାଉନସିଲ୍‌ ଚୟନ କରିଥିବା ରଣଜୀ ଟ୍ରଫି ଦଳକୁ ମଧ୍ୟ ଅବୈଧ ଘୋଷଣା କରିଥିଲେ । ଏହାପରେ ନାଗାଲାଣ୍ଡ ବିପକ୍ଷ ମ୍ୟାଚ୍‌ ପାଇଁ ନୂଆ ଦଳ ଚୟନ କରାଯାଇଥିଲା। ଏହି ଘଟଣାକୁ ନେଇ ବିସିସିଆଇ ସଚିବ ଦେବଜିତ ସାଇକିଆ ଗଣମାଧ୍ୟମକୁ କହିଛନ୍ତି ଯେ ହାଇକୋର୍ଟଙ୍କ ରାୟକୁ ମାନିବା ଛଡ଼ା ବିସିସିଆଇ ପାଖରେ ଅନ୍ୟ କୌଣସି ବିକଳ୍ପ ନଥିଲା। ତେଣୁ ସଭାପତିଙ୍କ ପଦକ୍ଷେପରେ ଚୟନ ହୋଇଥିବା ନୂଆ ଦଳକୁ ଖେଳିବା ପାଇଁ ଅନୁମତି ଦେବାକୁ ପଡ଼ିଥିଲା।

ଅନ୍ୟପକ୍ଷରେ ଦଳରୁ ବାଦ୍‌ ପଡ଼ିଥିବା ଅଭିଜ୍ଞ ବ୍ୟାଟର୍‌ ରାହୁଲ ଦଲାଲ ଏହି ନିଷ୍ପତ୍ତିକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି । ଗଣମାଧ୍ୟମ ସହ ଆଲୋଚନା ବେଳେ ସେ କହିଛନ୍ତି, ପୂର୍ବ ଦଳ ପ୍ରଥମ ତିନୋଟି ରାଉଣ୍ଡ ଖେଳିସାରିଥିଲା। ଶୁକ୍ରବାର ସଭାପତିଙ୍କ ସପକ୍ଷରେ ରାୟ ଆସିଥିଲା। ଶନିବାର ଓ ରବିବାର ଦଳର ଖେଳାଳିମାନେ ଅଭ୍ୟାସ କରୁଥିଲେ।ମ୍ୟାଚ୍‌ ଆରମ୍ଭ ହେବାର ମାତ୍ର ଦୁଇ ଦିନ ପୂର୍ବରୁ ଏଭଳି ପରିବର୍ତ୍ତନ ହେବ ବୋଲି ସେମାନେ ଭାବି ନଥିଲେ । ରବିବାର ଅଭ୍ୟାସ ସାରି ଫେରିବା ପରେ ଅନ୍ୟ ଏକ ଦଳ ମଧ୍ୟ ଅଭ୍ୟାସ କରିଥିବା ସେମାନେ ଜାଣିବାକୁ ପାଇଥିଲେ ବୋଲି ରାହୁଲ କହିଛନ୍ତି ।

 

Dharitri – Odisha’s No.1 Odia Daily

Share
Tags: ranji team