ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଆୟୋଜିତ ସଭାରେ କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମିଶ୍ର ସଂଯୋଜନା କରିଥିଲେ। ଏନଏସି ଅଧ୍ୟକ୍ଷ ପ୍ରଫୁଲ୍ଲ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଦିଗପହଣ୍ଡି ବିଧାୟକ ଡ଼.ସିଦ୍ଧାନ୍ତ ମହାପାତ୍ରଙ୍କୁ କାଉନସିଲର ଏବଂ କର୍ମଚାରୀଙ୍କ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ପୂର୍ବ କାଉନସିଲ ସଭାର ବିବରଣୀ ପାଠ କରାଯିବା ପରେ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ସହରର ସମସ୍ତ ୱାର୍ଡ ଅଧିନ ସାହି, ବସ୍ତିମାନଙ୍କରେ ନିରନ୍ତର ପାନୀୟ ଜଳ ଯୋଗାଣ ପାଇଁ ପିଏଚଡିର ବିଭାଗୀୟ ଯନ୍ତ୍ରୀ ଓ କର୍ମଚାରୀ ବୃନ୍ଦ ସମୁଚିତ ଦୃଷ୍ଟି ଦେବାକୁ ବିଧାୟକ ପରାମର୍ଶ ଦେଇଥିଲେ । ସେହିପରି ବିଦ୍ୟୁତ ସରବରାହ ବ୍ୟବସ୍ଥାକୁ ସୁନିଶ୍ଚିତ କରିବା ଉପରେ ସଭାରେ ବିସ୍ତୃତ ଆଲୋଚନା କରାଯାଇ ପ୍ରସ୍ତାବ ଗୃହୀତ କରାଯାଇଥିଲା।
ସଭାରେ ଉପସ୍ଥିତ ଥିବା ଜାତୀୟ ରାଜପଥ ସହକାରୀ ଯନ୍ତ୍ରୀଙ୍କୁ ସହର ସଂଲଗ୍ନ ରାସ୍ତା ଓ ରାସ୍ତାର ଉଭୟ ପାର୍ଶ୍ଵରେ ଡିପ ଡ୍ରେନ ନିର୍ମାଣ କାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ ବିଧାୟକ ନିର୍ଦ୍ଦେଶ ଦେଇଥିଲେ । ସେହିପରି ବହୁ ପ୍ରତିକ୍ଷୀତ ସହରର ଐତିହ୍ୟ ସମ୍ପନ୍ନ ବଡବନ୍ଧ ଓ ନେଳିଆ ବନ୍ଧ ସମେତ ପୁଞ୍ଜିକଂୟା ଛକ ସ୍ଥିତ ପୋଖରୀର ସୋନ୍ଦର୍ଯ୍ଯକରଣ ଏବଂ ପ୍ରସ୍ତାବିତ ଚାରିଧାମ ପାର୍କ ନକ୍ସାର ପ୍ରଶାସନିକ ଅନୁମୋଦନ ପରେ ଅନଲାଇନ ମାଧ୍ୟମରେ ଟେଣ୍ଡର ଆହ୍ୱାନ କରାଯାଇଛି ବୋଲି ବିଧାୟକ ସଭାରେ ପ୍ରକାଶ କରିଥିଲେ । ସହରର ବିଭିନ୍ନ ସାହି, ବସ୍ତିଗୁଡ଼ିକୁ ମହାପୁରୁଷ ଓ ବିଶିଷ୍ଟ ବ୍ୟକ୍ତିମାନଙ୍କ ନାଁରେ ନାମିତ କରାଯିବା ନିମନ୍ତେ ସଭାରେ ସର୍ବ ସମ୍ମତ ପ୍ରସ୍ତାବ ଗୃହୀତ କରାଯାଇଥିଲା।ନୂଆ ବସଷ୍ଟାଣ୍ଡ ପାର୍ଶ୍ଵ ସମେତ ବିଭିନ୍ନ ୱାର୍ଡ ସଂଲଗ୍ନ ଅଞ୍ଚଳରେ ନାଳ, ନର୍ଦ୍ଦମା ଓ ବର୍ଷା ଜଳ ଜମିରହି ପୁତିଗନ୍ଧମୟ ପରିବେଶ ସୃଷ୍ଟି କରୁଥିବାରୁ ସେସବୁର ନିଷ୍କାସନ ପାଇଁ ସ୍ଥାୟୀ ପଦକ୍ଷେପ ନିଆଯିବା ପାଇଁ ସଭାରେ ବିଧିବଦ୍ଧ ନିଷ୍ପତ୍ତି ନିଆଯାଇଥିଲା ।
ସଭାରେ ଉପସ୍ଥିତ ୯ ନଂ ୱାର୍ଡ କାଉନସିଲର ନୀଳମାଧବ ଗୌଡ ସହରର ବିଭିନ୍ନ ୱାର୍ଡରେ ଚାଲିଥିବା ଉନ୍ନତିମୂଳକ କାର୍ଯ୍ୟ ପାଇଁ ବିଧାୟକ, ଏନଏସି ଅଧ୍ୟକ୍ଷ ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ସାଧୁବାଦ ଜ୍ଞାପନ କରିଥିଲେ। ବୈଠକ କାର୍ଯ୍ୟକ୍ରମ ଶେଷରେ ନିର୍ବାହୀ ଅଧିକାରୀ ଏବଂ ନଗରପାଳ ସମେତ ସମସ୍ତ କାଉନସିଲର ଦୀପକ କୁମାର ମିଶ୍ର, ସୁଶାନ୍ତ କୁମାର ପାତ୍ର, ସୁନୀଲ କୁମାର ପଣ୍ଡା, ଜ୍ୟୋସ୍ନା ଜେନା, ମାମିନି ବେହେରା, ସନ୍ତୋସିନୀ ବେହେରା, ଇ.ଗାୟତ୍ରୀ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ପରେ ଦିଗପହଣ୍ଡି ଗସ୍ତରେ ଆସିଥିବା ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକବଙ୍ଗଳାରେ ଏନଏସି ଅଧ୍ୟକ୍ଷ ଓ କାଉନସିଲର ବୃନ୍ଦ ଭେଟି ବିଧାୟକଙ୍କ ଉପସ୍ଥିତିରେ ଦିଗପହଣ୍ଡି – ବ୍ରହ୍ମପୁର ଏବଂ ବ୍ରହ୍ମପୁର -ଚିକିଟି ରାସ୍ତାର ଦୋହରିକରଣ ସହ ରାସ୍ତାର ଉଭୟ ପାର୍ଶ୍ବରେ ଥିବା ଡ୍ରେନେଜ୍ ବ୍ୟବସ୍ଥାର ସୁଦୃଢ଼ୀକରଣ ପାଇଁ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଆଗାମୀ ବର୍ଷା ଋତୁ ପୂର୍ବରୁ ମୁଖ୍ୟ ରାସ୍ତାର ଉଭୟ ପାର୍ଶ୍ଵରେ ଡ୍ରେନ ନିର୍ମାଣ କରିବାକୁ ଉପସ୍ଥିତ ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀଙ୍କୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।

