୩୧ ଡିସେମ୍ବର ସୁଦ୍ଧା ଟିକାକରଣ ଲକ୍ଷ୍ୟ ପୂରଣ କାଠିକର ପାଠ…

ନୂଆଦିଲ୍ଲୀ,୯।୧୧: ଦେଶରେ କରୋନା ମହାମାରୀ ସଂକ୍ରମଣରୁ ଦୂରେଇ ରହିବା ଲାଗି ସାର୍ବଜନୀକ ଟିକାରଣ ଅଭିଯାନ ଜାରି ରହିଛି। ଜାରି ରହିଛି। ୨୦୨୧ ଶେଷ ସୁଦ୍ଧା ଦେଶର ସମସ୍ତ ୯୪ କୋଟି ବୟସ୍କଙ୍କୁ କରୋନା ଟିକା ଦେବା କାଠିକର ପାଠ ମନେ ହେଉଛି। ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ୭୪ କୋଟିରୁ ଅଧିକ ବୟସ୍କମାନେ କେବଳ ଟିକାର ଗୋଟିଏ ଡୋଜ ନେଇଛନ୍ତି। କେବଳ ୩୫ କୋଟି ଲୋକଙ୍କୁ ଟିକାର ଉଭୟ ଡୋଜ ଦିଆଯାଇଛି। ମୋଟ ଟିକାକରଣ ସଂଖ୍ୟା ୧୦୯ କୋଟି ୮ ଲକ୍ଷ ୧୬ ହଜାର ୩୫୬ରେ ପହଞ୍ଚିଛି।

ସମସ୍ତ ବୟସ୍କଙ୍କ ପାଇଁ ପ୍ରାୟ ୧୮୮ କୋଟି ଡୋଜ ଟିକା ଆବଶ୍ୟକ। ଏକ ରିପୋର୍ଟ ଅନୁଯାୟୀ, ଟିକା ଉପଲବ୍ଧତା ଏକ ସମସ୍ୟା ନୁହେଁ। ଭାରତ ଟିକା ରପ୍ତାନି ମଧ୍ୟ ଆରମ୍ଭ କରିଛି। ଟିକା ନେବା ପାଇଁ ଲୋକଙ୍କୁ ଆଗକୁ ଆସିବାକୁ ପଡିବ। ବହୁ ରାଜ୍ୟ ଏକ୍ଷେତ୍ରରେ ପଛରେ ଅଛନ୍ତି। ଇତିମଧ୍ୟରେ ଘରଘର ବୁଲି ଟିକା ପ୍ରଦାନ କାର୍ଯ୍ୟ ଆରମ୍ଭ ହୋଇଛି। ଅନ୍ୟ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ୨୦ କୋଟିରୁ ଅଧିକ ଟିକା ବିଭିନ୍ନ ରାଜ୍ୟର ସରକାରୀ ତଥା ଘରୋଇ ହସ୍ପିଟାଲରେ ଷ୍ଟକ୍‌ ରହିଛି। ପ୍ରାୟ ୧୬ କୋଟି ଟିକା ସରକାରୀ ହସ୍ପିଟାଲରେ ରହିଛି। ଅବଶିଷ୍ଟ ୪ ରୁ ୫ କୋଟି ଟିକା ଘରୋଇ ହସ୍ପିଟାଲରେ ଷ୍ଟକ୍‌ ରହିଛ। ମୋଟ ଉପରେ ୧୦୯ କୋଟିରୁ ଅଧିକ ଟିକା ଦିଆଯିବା ସହିତ ମୋଟ ୧୩୦ କୋଟି ଡୋଜ ଯୋଗାଇ ଦିଆଯାଇଛି।

ନଭେମ୍ବର ଏବଂ ଡିସେମ୍ବରରେ ପ୍ରାୟ ୫୪ କୋଟି ଡୋଜ ଆସିବ ବୋଲି ଆଶା କରାଯାଉଛି। ସେଥିମଧ୍ୟରେ ୪୪ କୋଟି କୋଭିଶିଲ୍ଡ ଏବଂ ୧୦ କୋଟି କୋଭାକ୍ସିନ ରହିଛି। ଏହା ବ୍ୟତୀତ ଜାୟଡସ କ୍ୟାଡିଲା ଏବଂ ବାୟୋଲୋଜିକାଲ-ଇ ର ଟିକା ଷ୍ଟକ ମଧ୍ୟ ଉପଲବ୍ଧ ହେବ। ତେବେ ୨୦୨୧ ଡିସେମ୍ବର ୩୧ ସୁଦ୍ଧା ଭାରତର ସମସ୍ତ ବୟସ୍କଙ୍କୁ ସମ୍ପୂର୍ଣ୍ଣ ଟିକା ଦେବା ପାଇଁ ୧୮୮ କୋଟି ଡୋଜର ଆବଶ୍ୟକତା ରହିଛି।

ଅଧିକାରୀ କହିଛନ୍ତି ଯେ ପୃଥିବୀର କୌଣସି ଦେଶ ଶତପ୍ରତିଶତ ଟିକାକରଣ ଲକ୍ଷ୍ୟ ହାସଲ କରିବାରେ ଏପର୍ଯ୍ୟନ୍ତ ସକ୍ଷମ ହୋଇ ନାହାଁନ୍ତି। କୋଭିଶିଲ୍ଡ ଟିକା ର ଦୁଇ ଡୋଜ ମଧ୍ୟରେ ୮୪ ଦିନର ବ୍ୟବଧାନ ରହିଛି। ତେଣୁ ଡିସେମ୍ବର ୩୧ ମଧ୍ୟରେ ଅବଶିଷ୍ଟ ୨୦ କୋଟି ଲୋକଙ୍କୁ ଭାରତ ପ୍ରଥମ ଡୋଜ ଦେବାକୁ ସକ୍ଷମ ହେବାର ଆଶା ରହିଛି। ତେବେ ସେମାନଙ୍କୁ ଦ୍ୱିତୀୟ ଡୋଜ ପାଇଁ ୨୦୨୨ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ ।

ଅନ୍ୟ ଜଣେ ବରିଷ୍ଠ ସରକାରୀ ଅଧିକାରୀ କହିଛନ୍ତି ଯେ ଦ୍ୱିତୀୟ ଡୋଜରେ କାର୍ଯ୍ୟ ୨୦୨୨ରେ ଜାରି ରହିବ। କିନ୍ତୁ ୯୦ ପ୍ରତିଶତ ବୟସ୍କଙ୍କୁ ବର୍ଷ ଶେଷ ସୁଦ୍ଧା ପ୍ରଥମ ଡୋଜ୍‌ ମିଳିବାର ସମ୍ଭାବନା ରହିଛି। ମାତ୍ର ସରକାରୀ ଅଧିକାରୀ ଦାବି କରିଛନ୍ତି ଯେ ୨୦୨୧ ଶେଷ ସୁଦ୍ଧା ଭାରତ ୧୫୦ କୋଟି ଟିକାକରଣ ଲକ୍ଷ୍ୟକୁ ଛୁଇଁବ।

Share