ଝିଅ ପାଇଁ ୩୬ ବର୍ଷ ହେବ ପୁରୁଷ ବେଶରେ ରହିଆସୁଛନ୍ତି ମା’

ଚେନ୍ନାଇ,୧୬।୫:ତାମିଲନାଡୁ ଥୁତୁକୁଡି ଜିଲାର ଜଣେ ମହିଳା ନିଜ ଝିଅକୁ ପାଳିପୋଷି ବଡ କରିବା ପାଇଁ ୩୬ ବର୍ଷ ଧରି ପୁରୁଷ ବେଶରେ ରହିଆସୁଛନ୍ତି। କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଥୁତୁକୁଡି ଜିଲା କାଟୁନାୟକ୍କାନପତ୍ତି ଗାଁର ୫୭ ବର୍ଷୀୟା ପେଚିୟାମ୍ମଲ ମାତ୍ର ୨୦ ବର୍ଷରେ ବିବାହ କରିଥିଲେ। ବିବାହର ମାତ୍ର ୧୫ ଦିନରେ ତାଙ୍କ ସ୍ବାମୀ ହୃଦଘାତରେ ଆରପାରିକୁ ଚାଲିଯାଇଥିଲେ। ସେତେବେଳକୁ ସ୍ବାମୀଙ୍କ ରକ୍ତ ତାଙ୍କ ଭିତରେ ସଞ୍ଚାର କରିସାରିଥିଲା। କିଛିଦିନ ପରେ ପେଚିୟାମ୍ମଲ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ। ଝିଅକୁ ଦେଖି ସେ ସବୁ କଷ୍ଟ ଭୁଲିଯାଇଥିଲେ। ସେହି ଦିନ ଝିଅ ଶାନମୁଗାସୁନ୍ଦରୀଙ୍କୁ ବଡ଼ ମଣିଷ କରିବାର ଯେମିତି ପଣ କରିନେଇଥିଲେ ପେଚିୟାମ୍ମଲ। ଝିଅକୁ ମଣିଷ କରିବାକୁ ପର ଘରେ କାମ କଲେ। ହେଲେ କାର୍ଯ୍ୟ କ୍ଷେତ୍ରରେ ତାଙ୍କ ବହୁ ସଂଘର୍ଷର ସାମ୍ନା କରିବାକୁ ପଡିଲା। ପେଚିୟାମ୍ମଲ ନିଷ୍ପତ୍ତି ନେଲେ ଆଉ ବାହା ନ ହୋଇ ପୁରୁଷ ବେଶରେ ରହି ଏକମାତ୍ର ଝିଅକୁ ମଣିଷ କରିବେ। ଫଳରେ ପେଚିୟାମ୍ମଲରୁ ପାଲଟିଗଲେ ମୁଥୁ। ସେ ନିଜ କେଶ କାଟି ଛୋଟ କରିଦେଲେ । ଶାଢୀ ବଦଳରେ ପୁରୁଷଙ୍କ ପରି ଲୁଙ୍ଗି ଓ ଶର୍ଟ ପିନ୍ଧିବାକୁ ଆରମ୍ଭ କଲେ। ସେ ଦିନଠୁ ଆଜିଯାଏଁ ଦୀର୍ଘ ୩୬ ବର୍ଷ ଧରି ମୁଥୁ ବେଶରେ ଚେନ୍ନାଇ ସହର ସହ ଥୁତୁକୁଡିର ବିଭିନ୍ନ ଚା’ ଦୋକାନ ଓ ହୋଟେଲରେ କାମ କରି ନିଜ ପେଟ ପୋଷୁଛନ୍ତି। ସେ ଅନେକ ସ୍ଥାନରେ ପେଣ୍ଟର ଭାବେ କାମ କରନ୍ତି। ପରଟା ଓ ଚା’ ଦୋକାନରେ କାମ କଲାବେଳେ ମୁଥୁଙ୍କୁ ଲୋକେ ମୁଥୁ ମାଷ୍ଟର ଭାବେ ଡାକନ୍ତି। ଏବେ ସେ ତାଙ୍କ ଝିଅଙ୍କୁ ବିବାହ ଦେଇସାରିଛନ୍ତି। କିନ୍ତୁ ଏହା ପରେ ବି ସେ ଏବେ ନିଜ ପ୍ରକୃତ ରୂପକୁ ଫେରିବାକୁ ଚାହୁଁନାହାନ୍ତି। ଯେଉଁ ପରିଚୟ ଦ୍ୱାରା ସେ ଆଜି ଏତେ କିଛି ହାସଲ କରିଛନ୍ତି, ତାକୁ ସେ ମୃତ୍ୟୁ ପର୍ଯ୍ୟନ୍ତ ବଜାୟ ରଖିବାକୁ ଚାହୁଁଛନ୍ତି।

Share