୯୦ ବର୍ଷୀୟା ବୃଦ୍ଧା ନେଲେ ବିଶ୍ୱର ପ୍ରଥମ ଫାଇଜର ଟିକା

ଲଣ୍ଡନ,୮।୧୨- ଜଣେ ୯୦ ବର୍ଷୀୟା ବୃଦ୍ଧା ମାର୍ଗେରେଟ କିନାନ ମଙ୍ଗଳବାର ବିଶ୍ୱର ପ୍ରଥମ ବ୍ୟକ୍ତି ଭାବେ ଫାଇଜର କୋଭିଡ୍‌-୧୯ ଟିକା ନେଇଛନ୍ତି। ଆସନ୍ତା ସପ୍ତାହରେ ୯୧ ବର୍ଷରେ ପାଦ ଦେବାକୁ ଯାଉଥିବା କିନାନଙ୍କୁ କଭେଣ୍ଟ୍ରିର ଲୋକାଲ ମେଡିକାଲରେ ଟିକା ଦିଆଯାଇଛି। ଫାଇଜର ଓ ବାଇଓଏନ୍‌ଟେକ୍‌ ଦ୍ୱାରା ପ୍ରସ୍ତୁତ କୋଭିଡ୍‌-୧୯ ଟିକା ଜନ ସାଧାରଣଙ୍କ ଉପରେ ବ୍ୟବହାର କରିବାରେ ବ୍ରିଟେନ ପ୍ରଥମ ପଶ୍ଚିମ ଦେଶ। ଫଟୋଗ୍ରାଫର ଓ ଟିଭି କ୍ରିଉ ମେମ୍ବରଙ୍କ ସାମ୍ନାରେ କିନାନଙ୍କୁ ଟିକା ଦିଆଯାଇଥିଲା।

ବିଶ୍ୱର ପ୍ରଥମ ବ୍ୟକ୍ତି ଭାବେ ଫାଇଜର ଟିକା ନେଉଥିବାରୁ ମୁଁ ଗର୍ବିତ। ମୋ ଜନ୍ମଦିନ ପୂର୍ବରୁ ଏହାଠାରୁ ଭଲ ଉପହାର ମୋ ପାଇଁ ଆଉ କ’ଣ ହୋଇଥାନ୍ତା। ମୁଁ ଏବେ ପରିବାର ବର୍ଗ ଓ ବନ୍ଧୁମାନଙ୍କ ସହ ସମୟ ବିତାଇ ପାରିବି ବୋଲି କିନାନ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ୟୁରୋପୀୟ ଦେଶଗୁଡ଼ିକ ମଧ୍ୟରେ ବ୍ରିଟେନ କୋଭିଡ୍‌-୧୯ ଦ୍ୱାରା ସବୁଠୁ ଅଧିକ ପ୍ରଭାବିତ ହୋଇଥିବା ଦେଶ। ଏପର୍ଯ୍ୟନ୍ତ ବ୍ରିଟେନରେ କରୋନା କାରଣରୁ ୬୧ ହଜାର ମୃତ୍ୟୁ ହୋଇଛି। କିନ୍ତୁ ଫାଇଜର ଟିକା ଦେଶର କୋଭିଡ୍‌ ପରିସ୍ଥିତିରେ ସୁଧାର ଆଣିବ ବୋଲି ଆଶା ପ୍ରକଟ କରିଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ।

Share