ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବେ ମୀନାକ୍ଷୀରାଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଲୋଇସିଂହା,୫।୯(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ହରେକୃଷ୍ଣ ମହତାବ ହାଇସ୍କୁଲର କଳା ଶିକ୍ଷୟିତ୍ରୀ ତଥା ଗାଳ୍ପିକା ମୀନାକ୍ଷୀରାଣୀ ମିଶ୍ର ଜିଲାର ଏକମାତ୍ର ଶିକ୍ଷୟିତ୍ରୀ ଭାବେ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି। ପଞ୍ଚସଖା ଶିକ୍ଷା ସେତୁ ସଙ୍ଗଠନର ପରାମର୍ଶକ୍ରମେ ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ତାଙ୍କୁ ଏହି ସମ୍ମାନ ପାଇଁ ମନୋନୀତ କରାଯାଇଛି। ରାଜ୍ୟସ୍ତରୀୟ ଗୁରୁଦିବସ ସମାରୋହ ଅବସରରେ ଭୁବନେଶ୍ୱରସ୍ଥିତ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ହସ୍ତରେ ତାଙ୍କୁ ପୁରସ୍କୃତ କରାଯିବ ବୋଲି ଜଣାପଡ଼ିଛି।
ଶିକ୍ଷାଦାନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ସହ ଗଳ୍ପ ରଚନା କ୍ଷେତ୍ରରେ ମଧ୍ୟ ମିଶ୍ର ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ସେ ଗତବର୍ଷ ଜିଲାସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଲାଭ କରିଥିବାବେଳେ, ଗଳ୍ପ ରଚନା କ୍ଷେତ୍ରରେ ଉଲ୍ଲେଖନୀୟ ସୃଜନଶୀଳତା ପାଇଁ କଥା ନବପ୍ରତିଭା ପୁରସ୍କାର-୨୦୧୫ରେ ମଧ୍ୟ ସମ୍ମାନିତ ହୋଇଛନ୍ତି। ପଲ୍ଲବନ ଶବ୍ଦ ସମ୍ମାନ ୨୦୧୯ରେ ପୁରସ୍କୃତ ହୋଇଛନ୍ତି। ତାଙ୍କ ଏହି ସଫଳତା ପାଇଁ ହରେକୃଷ୍ଣ ମହତାବ ହାଇସ୍କୁଲର ସମସ୍ତ ଶିକ୍ଷୟିତ୍ରୀ ଶିକ୍ଷକ, ଛାତ୍ରୀଛାତ୍ରଙ୍କ ସମେତ ବିଭିନ୍ନ ମହଲରୁ ଅଭିନନ୍ଦନ ଓ ଶୁଭେଚ୍ଛାର ସୁଅ ଛୁଟିଛି।
ସୂଚନା ଯୋଗ୍ୟ, ଶିକ୍ଷୟିତ୍ରୀ ମିଶ୍ର ବିଦ୍ୟାଳୟରେ ଇଂଲିଶ ବିଷୟ ଶିକ୍ଷାଦାନ କରିଥାନ୍ତି। ୨୦୨୫-୨୬ ମାଟ୍ରିକ ବୋର୍ଡ ପରୀକ୍ଷାରେ ବିଦ୍ୟାଳୟର ଜଣେ ଛାତ୍ର ୧୦୦ରୁ ୯୭ ମାର୍କ ରଖିଥିବାବେଳେ ୨ ଜଣ ଛାତ୍ର ୯୦ରୁ ଊଦ୍ଧର୍‌ବ ମାର୍କ ଓ ଶିକ୍ଷା ଦକ୍ଷତାକୁ ନେଇ ଏହି ସମ୍ମାନ ପ୍ରଦାନ କରାଯାଉଥିବା ଜଣାପଡିଛି।

 

Dharitri – Odisha’s No.1 Odia Daily

 

Share